କୋଭିଡ୍ ରେ ପ୍ରାଣ ହରାଇଥିବା ଡାକ୍ତରଙ୍କ ପତ୍ନୀଙ୍କୁ ୧୪ ଲକ୍ଷ ଟଙ୍କାର ବିଲ୍ ଚାର୍ଜ କଲା ହରିୟାଣାର ପ୍ରାଇଭେଟ୍ ହସ୍ପିଟାଲ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କୋଭିଡ୍ ଭଳି ମହାମାରୀ ସହ ଦେଶ ଲଢେଇ କରୁଥିବା ବେଳେ ହସ୍ପିଟାଲ ଗୁଡିକ ଅଧିକ ଟଙ୍କା ଚାର୍ଜ କରୁଥିବା ଅଭିଯୋଗ ସାମ୍ନାକୁ ଆସୁଛି। ଚଳିତ ମେ ମାସ ୩ ତାରିଖରେ ପଞ୍ଚକୁଲାର ପାରାସ ହସ୍ପିଟାଲରେ ଜଣେ ଡାକ୍ତରଙ୍କର କରୋନାରେ ମୃତ୍ୟୁ ହୋଇଥିଲା। ତେବେ ଡାକ୍ତରଙ୍କ ବିଧବା ପତ୍ନୀ ଅଭିଯୋଗ କରିଛନ୍ତି ଯେ, ହସ୍ପିଟାଲ ତାଙ୍କ ସ୍ଵାମୀଙ୍କ (୨୦ ଦିନରୁ ଅଧିକ )ଚିକିତ୍ସା ପାଇଁ ୧୪ ଲକ୍ଷ ଟଙ୍କାର ବିଲ୍ ଦେଇଥିଲା। ହସ୍ପିଟାଲ ଚାର୍ଜ କରିଥିବା ଏହି ୩୪ ପୃଷ୍ଠାର ଲମ୍ବା ବିଲ୍ କୁ ନେଇ ଏବେ ଚିନ୍ତାରେ ପଡିଯାଇଛନ୍ତି ମୃତ ଡକ୍ଟର କପିଲ ଗର୍ଗଙ୍କ ପତ୍ନୀ ଆରତୀ । ଗର୍ଗଙ୍କ ଚିକିତ୍ସା ପାଇଁ ସମ୍ପର୍କୀୟଙ୍କ ଠାରୁ କରଜ ଆଣିଥିବା ଟଙ୍କା କେମିତି ଫେରସ୍ତ କରିବେ ଏବେ ତାକୁ ନେଇ ସେ ଚିନ୍ତିତ। ଏପଟେ ଡାକ୍ତରଖାନା ପକ୍ଷରୁ କୁହାଯାଇଛି ଯେ, ରୋଗୀର ପରିବାରକୁ ଚିକିତ୍ସା ଖର୍ଚ୍ଚ ବିଷୟରେ ଅବଗତ କରାଯାଇଛି । ଯେହେତୁ ସେ ପଞ୍ଜାବର ବାସିନ୍ଦା ତେଣୁ ହରିୟାଣା ସରକାରଙ୍କ ଦ୍ବାରା ଘୋଷଣା କରାଯାଇଥିବା କୋଭିଡ୍ ପ୍ୟାକେଜ ତାଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ। ତେବେ ତାଙ୍କ ମୃତ୍ୟୁର ଗୋଟିଏ ଦିନ ପରେ ହରିୟାଣାର ସମସ୍ତ ମେଡିକାଲ ପାଇଁ ଡୋମିକିଲ୍ ଜାରି କରାଯାଇଥିଲା । ମୃତ ଡାକ୍ତରଙ୍କ ପତ୍ନୀ ଆରତୀ ଅନେକ ମନ୍ତ୍ରୀ ତଥା ସ୍ୱାସ୍ଥ୍ୟ ସଚିବଙ୍କୁ ମଧ୍ୟ ଚିଠିରେ ଉଲ୍ଲେଖ କରିଛନ୍ତି ଯେ “ ମୁଁ ବର୍ତ୍ତମାନ ଜଣେ ବିଧବା ମହିଳା। ୧୩ ବର୍ଷ ବୟସର ଗୋଟିଏ ବୋଲି ଝିଅ (ସରନ୍ୟା)। ମୋ ସ୍ୱାମୀଙ୍କୁ ଏପ୍ରିଲ ୧୨ ରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ମେ ୩ ରେ ପାରାସ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା। ଚିକିତ୍ସା ସମୟରେ ସେମାନେ ଟେଷ୍ଟ କରିଥିଲେ, ମେଡିକାଲ୍ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ (MICU) ଏବଂ ଭେଣ୍ଟିଲେଟରରେ ରଖିଥିଲେ। ଡାକ୍ତରଖାନା କର୍ତ୍ତୃପକ୍ଷ ପର୍ଯ୍ୟାପ୍ତ ଚିକିତ୍ସା ନକରିଥିବା ହେତୁ ମୋ ସ୍ୱାମୀ ଆଜି ଆଉ ନାହାଁନ୍ତି। ”
ତେବେ ଏଭଳି ରୋଗୀ ମାନଙ୍କୁ ଓଭର ଚାର୍ଜିଂ କରୁଥିବା ନେଇ ପୂର୍ବରୁ ମଧ୍ୟ ପରାସ ହସ୍ପିଟାଲ ବିରୋଧରେ ଅଭିଯୋଗ ହୋଇଥିଲା। ଏହାକୁ ନେଇ ସ୍ଥାନୀୟ ବିଧାୟକ ଜିଆନ ଚାନ୍ଦ ଗୁପ୍ତାଙ୍କ ମଧ୍ୟ ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜୟ ଏବଂ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ଚିଠି ଲେଖି ଅବଗତ କରାଇଥିଲେ। ତେବେ ଏହାର ଯାଞ୍ଚ କରିବା ପାଇଁ ଏକ କମିଟି ଗଠନ କରାଯାଇଥିଲା। ଏହି କମିଟି ମଧ୍ୟ କହିଥିଲା ଯେ ହସ୍ପିଟାଲର ବିଲିଂ ହରିୟାଣା ସରକାରଙ୍କ ଦ୍ୱାରା ସ୍ଥିର କରାଯାଇଥିବା ବିଲ୍ ଠାରୁ ଆହୁରି ଅଧିକ। ତେବେ ଆରତୀ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ, ତାଙ୍କ ସ୍ବାମୀଙ୍କ ଚିକିତ୍ସା ସମୟରେ ତାଙ୍କୁ ବିଲ୍ ଦେବାକୁ ବାଧ୍ୟ କରାଯାଇଥିଲା। ପାଖାପାଖି 13.81 ଲକ୍ଷ ଟଙ୍କା ବିଲ୍ ଦେବାକୁ ଆରତୀଙ୍କୁ ହସ୍ପିଟାଲ କର୍ତ୍ତୃପକ୍ଷ ବାଧ୍ୟ କରିଥିଲେ। ତେବେ ଚିଠିରେ ଆହୁରି ମଧ୍ୟ କୁହାଯାଇଛି ଯେ,” ଗତବର୍ଷ ଜୁନ୍ ମାସରେ ହରିୟାଣା ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶ ବିରୋଧରେ ହସ୍ପିଟାଲ ନିଜ ଇଚ୍ଛାରେ ଓଭର ଚାର୍ଜ କରୁଛି । ଏହି ଡାକ୍ତରଖାନା କେବଳ ହରିୟାଣା ସରକାରଙ୍କ ଆଦେଶକୁ ଉଲ୍ଲଂଘନ କରୁନାହିଁ ବରଂ ଗରୀବ ଲୋକଙ୍କ ଠାରୁ ବିପୁଳ ପରିମାଣର ଟଙ୍କା ଆଦାୟ କରି ସେମାନଙ୍କୁ ମହାମାରୀ ଭଳି ସଙ୍କଟ ସମୟରେ ଶୋଷଣ କରୁଛି ବୋଲି ସେ କହିଛନ୍ତି। ତାଙ୍କ ସ୍ବାମୀ ମେ ୩ ରେ ଶେଷ ନିଶ୍ୱାସ ତ୍ୟାଗ କରିଥିବାବେଳେ ତାଙ୍କ ଶାଶୁ ମେ ୭ ରେ କୋଭିଡ୍ ରେ ପ୍ରାଣ ହରାଇଥିଲେ। “ମୋ ସ୍ବାମୀଙ୍କ ଚିକିତ୍ସା ସମୟରେ ମୁଁ ମୋ ଶାଶୁଙ୍କ ସହ ମୋ ଝିଅ ମଧ୍ୟ ସଂକ୍ରମିତ ହୋଇଥିଲି। ଏକ ସାକ୍ଷାତକାରରେ ସେ କହିଛନ୍ତି: “ଆମେ ଏକ ଭଡା ଘରେ ରହୁଛୁ ଏବଂ ବର୍ତ୍ତମାନ ଆମ ପାଖରେ ରୋଜଗାର କରିବାର କୌଣସି ଉପାୟ ନାହିଁ । ଆମେ ମୋ ସ୍ୱାମୀଙ୍କୁ ଏକ ସରକାରୀ ହସ୍ପିଟାଲରେ ଭର୍ତ୍ତି କରିବାକୁ ଚାହୁଁଥିଲୁ କିନ୍ତୁ କେଉଁଠି ବି ବେଡ୍ ମିଳି ନଥିଲା। ପାରାସ ହସ୍ପିଟାଲରେ କେବଳ ଗୋଟିଏ ବେଡ୍ ଉପଲବ୍ଧ ଥିବାରୁ ତାଙ୍କୁ ସେଠାରେ ଆଡମିଟ୍ କରିଥିଲୁ କାରଣ ଆମ ପାଖରେ କୌଣସି ବିକଳ୍ପ ବ୍ୟବସ୍ଥା ନଥିଲା। ” ତାଙ୍କ ସ୍ବାମୀଙ୍କ ମୃତ୍ୟୁ ପାଇଁ ସରକାରୀ ସିଷ୍ଟମ କୁ ଦାୟୀ କରିଛନ୍ତି।

Related Posts