ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଚାଷୀଙ୍କ ଖାତାକୁ ଗଲା ୮ଶହ ଟଙ୍କା ଲେଖାଏଁ ଇନପୁଟ୍ ସବସିଡି । ଆଜି ବରଗଡ଼ ସୋହେଲା ସମାବେଶରେ ଚାଷୀଙ୍କୁ ଇନପୁଟ୍ ସହାୟତା ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କେନ୍ଦ୍ର ସରକାରଙ୍କ ୨୩୦୦ ଟଙ୍କା MSP ସହିତ ରାଜ୍ୟ ସରକାରଙ୍କ ୮୦୦ ଟଙ୍କା ଇନପୁଟ୍ ସହାୟତା ଚାଷୀଙ୍କ ଖାତାକୁ ଯାଇଛି।
ବରଗଡ଼ ସୋହେଲାରେ ଆୟୋଜିତ ଏହି ସମାବେଶରେ ପୂର୍ବ ନବୀନ ସରକାରକୁ ମୁଖ୍ୟମନ୍ତ୍ରୀ ସିଧା ନିଶାନା କରି ବର୍ଷିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପୂର୍ବ ସରକାର ଏହି ସୋହେଲାରେ ୧୦୦ ଟଙ୍କା ବୋନସ୍ ଦେବାକୁ କହିଥିଲେ। ୨୦୧୬ରେ ସେମାନେ ଦେଇଥିବା ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ହେଲା। ତେଣୁ ଆମେ ସେହି ସୋହେଲାରେ ୮୦୦ ଟଙ୍କା ଇନପୁଟ୍ ସହାୟତା ଦେଲୁ। ଆମ ସରକାର ବର୍ଦ୍ଧିତ ରାଶି ଦେବାପରେ ଈର୍ଷାରେ ଜଳୁଛନ୍ତି ବିଜେଡି ନେତା। ଆମ ସରକାର ମିଛୁଆ ସରକାର ନୁହେଁ, ଯାହା କହିଛି କରି ଦେଖାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ଆମେ ଯେଉଁ ପ୍ରତିଶ୍ରୁତି ଦେଇଥିଲୁ, ତାହା ପୂରଣ କରି ଦେଖାଉଛୁ। ସରକାର ଗଠନ ହେବାର ଘଣ୍ଟାଏ ମଧ୍ୟରେ ୪ ପ୍ରତିଶ୍ରୁତି ଦେଇଥିଲୁ। ଧାନର MSP ୨୩୦୦ ଟଙ୍କା ସହ ୮୦୦ ଇନପୁଟ୍ ସହାୟତା ଦେବୁ କହିଥିଲୁ। ଆଜିଠାରୁ ଯେଉଁ ଚାଷୀ ଧାନ ବିକିବେ ୪୮ ଘଣ୍ଟାରେ ୩୧ ଶହ ପାଇବେ। ସେହିଭଳି ପୂର୍ବ ସରକାର ଦଲାଲମାନଙ୍କୁ ସହାୟତା କରୁଥିଲେ ଏବଂ କେବଳ ଭୋଟବ୍ୟାଙ୍କ ପାଇଁ ରାଜନୀତି କରୁଥିଲେ ବୋଲି ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି। ଦଲାଲଙ୍କୁ ଚେତାବନୀ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଯିଏ ଚାଷୀଙ୍କ ସହ ଦଲାଲି କରିବ ତାକୁ ସିଧା ଜେଲରେ ପୂରାଯିବ।
ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ସାଂସଦ ପ୍ରଦୀପ ପୁରୋହିତ, ବିଧାୟକ ଈରାଶିଷ ଆଚାର୍ଯ୍ୟ, ଅଶ୍ବିନୀ ଷଡ଼ଙ୍ଗୀ ଓ ସନତ ଗଡ଼ତିୟା, ପଦ୍ମଶ୍ରୀ ହଳଧର ନାଗ ଓ ପଦ୍ମଶ୍ରୀ ଭାଗବତ ପ୍ରଧାନ ପ୍ରମୁଖ ଉପସ୍ଥିତ ଅଛନ୍ତି।