ଅକ୍ସିଜେନ୍ ଅଭାବରୁ କରୋନା ରୋଗୀଙ୍କ ମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ଇସ୍ତଫା ଦେଵା ଉଚିତ ; ସିଦାରମୟା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଚାମରାଜନଗର ଅମ୍ଳଜାନ ଅଭାବ ଘଟଣାରେ ନ୍ୟାୟିକ ତଦନ୍ତ ଦାବି କରିଛନ୍ତି କର୍ଣ୍ଣାଟକର ବିରୋଧୀ ଦଳର ନେତା ସିଦାରମୟା। ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରପ୍ପା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ ସୁଧାକର କେ ଏବଂ ଜିଲ୍ଲା ଦାୟିତ୍ୱରେ ଥିବା ମନ୍ତ୍ରୀ ଏସ୍ ସୁରେଶ କୁମାର ଏହି ଦୁଃଖଦ ଘଟଣା ପାଇଁ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବା ଉଚିତ୍।  ଏକ ଟୁଇଟ୍ ଜରିଆରେ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏକ ନିରପେକ୍ଷ ତଦନ୍ତକାରୀ ସଂସ୍ଥା ଦ୍ବାରା ଅନୁସନ୍ଧାନ କରି ଘଟଣାର ସତ୍ୟତା ପ୍ରକାଶ କରିବା ସହିତ ପୀଡିତଙ୍କ ପରିବାରକୁ ନ୍ୟାୟ ମିଳିବା ଉଚିତ।  ସେ ଟ୍ୱିଟ୍ କରି କହିଛନ୍ତି, “ଅମ୍ଳଜାନ ଅଭାବରୁ ୩ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ଡ.ସୁଧାକର କେ ମିଛ କହୁଛନ୍ତି। ସିଦ୍ଧାରମୟା ଆହୁରି ମଧ୍ୟ କହିଛନ୍ତି ଯେ , “ଚାମରାଜନଗର ଡାକ୍ତରଖାନାରେ ରୋଗୀଙ୍କୁ ଚିକିତ୍ସା କରିବା ପାଇଁ ପ୍ରତିଦିନ 350 ଅମ୍ଳଜାନ ସିଲିଣ୍ଡର ଆବଶ୍ୟକ କିନ୍ତୁ ରବିବାର ଦିନ ଡାକ୍ତରଖାନାରେ ମାତ୍ର 126 ସିଲିଣ୍ଡର ଥିଲା। ଏହାଦ୍ୱାରା ସନ୍ଧ୍ୟା ସୁଦ୍ଧା ଅମ୍ଳଜାନ ସଙ୍କଟରୁ 28 ରୋଗୀଙ୍କର ମୃତ୍ୟୁ ଘଟିଥିଲା।” ସେ କହିଛନ୍ତି ଯେ ଚାମରାଜନଗର ଜିଲ୍ଲା କମିଶନର (ଡିସି) ଏବଂ ସ୍ୱାସ୍ଥ୍ୟ ଅଧିକାରୀ ଏଥିରେ ସହମତ ହୋଇଛନ୍ତି ଯେ କେବଳ ଅମ୍ଳଜାନର ଅଭାବ ହେତୁ 28 ରୋଗୀଙ୍କ ମୃତ୍ୟୁ ଘଟିଛି।  “କିନ୍ତୁ ସରକାର ଭିନ୍ନ ମତ ରଖୁଛନ୍ତି। ଡ.ସୁଧାକର କେ ଏବଂ ବି.ଏସ୍ ୟେଦୁରପ୍ପା ଏ ନେଇ କଣ କରୁଛନ୍ତି ବୋଲି ?”  ସେ ପ୍ରଶ୍ନ କରିଛନ୍ତି ।  ସେ ଟ୍ୱିଟ୍ କରି କହିଛନ୍ତି, “ଚାମରାଜନଗର ଡିସି, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ଏବଂ ଚିକିତ୍ସା ଶିକ୍ଷା ମନ୍ତ୍ରୀ ଚାମରାଜନଗର ଡାକ୍ତରଖାନାର ଅମ୍ଳଜାନ ଅଭାବ ସଙ୍କଟ ବିଷୟରେ ଭିନ୍ନ ଭିନ୍ନ ବିବୃତ୍ତି ଦେଉଛନ୍ତି। ସତ୍ୟ ପଦାକୁ ଆସିବା ପାଇଁ ତଦନ୍ତ କରାଯିବା ଉଚିତ ଏବଂ ଏହି ସଙ୍କଟ ପାଇଁ ଯେଉଁମାନେ ଦାୟୀ ସେମାନଙ୍କୁ ଦଣ୍ଡିତ କରାଯିବା ଆବଶ୍ୟକ ।” ଅମ୍ଳଜାନ ଅଭାବ ହେତୁ କର୍ଣ୍ଣାଟକର ଚାମରାଜନଗର ଜିଲ୍ଲାର ଏକ ସରକାରୀ ଡାକ୍ତରଖାନାରେ 24 ରୁ ଅଧିକ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରପ୍ପା ଜିଲ୍ଲା କଲେକ୍ଟରଙ୍କ ସହ କଥା ହୋଇ ମଙ୍ଗଳବାର ଜରୁରୀକାଳୀନ କ୍ୟାବିନେଟ ବୈଠକ ଡାକିଛନ୍ତି। କର୍ଣ୍ଣାଟକରେ ସୋମବାର ଦିନ 44,438 ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ 4,44,734 ସକ୍ରିୟ ମାମଲା ରହିଛି।  ଗତ 24 ଘଣ୍ଟା ମଧ୍ୟରେ 239 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମୃତ୍ୟୁ ସଂଖ୍ୟା 16,250 ରେ ପହଞ୍ଚିଛି।  

Related Posts