ଆସନ୍ତା ଅଗଷ୍ଟ ୧୨ରେ ମୁଖ୍ୟମନ୍ତ୍ରୀଙ୍କର ମୟୂରଭଞ୍ଜ ଗସ୍ତ; ଲୋକାର୍ପିତ ହେବ ୨ ପ୍ରକଳ୍ପ, ସେପଟେ ଜିଲ୍ଲା ବିଜେଡି ପକ୍ଷରୁ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆସନ୍ତା ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରିବେ । ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଦୁଇଟି ପ୍ରକଳ୍ପ ଲୋକାର୍ପିତ କରିବାର କାର୍ଯ୍ୟକ୍ରମ ରହିଛି। କରଞ୍ଜିଆ ବ୍ଲକର ହାତିବାରୀଠାରେ ଦେଓ ପ୍ରକଳ୍ପ ଓ ରାସଗୋବିନ୍ଦପୁର ବ୍ଲକର ଟିକପଦାଠାରେ ସୁବର୍ଣ୍ଣରେଖା ପ୍ରକଳ୍ପକୁ ଚାଷୀଙ୍କ ନିମନ୍ତେ ଲୋକାର୍ପଣ ହେବ।ଏହି ପ୍ରକଳ୍ପର ନିର୍ମାଣ ପରେ ପରୀକ୍ଷାମୂଳକ ଭାବେ ଉଭୟ ପାର୍ଶ୍ଵ ବାମ ଓ ଡାହାଣ କେନାଲରେ ପାଣି ଛଡାଯିବ । ମୟୂରଭଞ୍ଜ ଓ ବାଲେଶ୍ଵର ଜିଲ୍ଲାର ପାଖାପାଖି ୧୭ ହଜାରରୁ ଉର୍ଦ୍ଧ୍ବ ହେକ୍ଟର ଚାଷ ଜମି ଏହି ପ୍ରକଳ୍ପ ଦ୍ବାରା ଜଳସେଚିତ ହେବ।

ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ଜିଲ୍ଲା ବିଜେଡ଼ି ପକ୍ଷରୁ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ ହୋଇଛି । ବାରିପଦା ମ୍ୟୁନିସିପାଲଟି ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ କର୍ମକର୍ତ୍ତାଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସହ ପର୍ଯ୍ୟବେକ୍ଷକ ଜନ୍ମଜୟ ଲେଙ୍କାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଭାପତି ଓ ପୂର୍ବତନ ରାଜସ୍ଵ ମନ୍ତ୍ରୀ ସୁଦାମ ମାରାଣ୍ଡି ବୈଠକ ପରିଚାଳନା କରିଥିଲେ । ଏହି ପ୍ରସ୍ତୁତି ବୈଠକରେ ବିଧାୟକ, ମହିଳା, ଯୁବ ଓ ଛାତ୍ର ମୋର୍ଚ୍ଚାର ଶତାଧିକ କର୍ମକର୍ତ୍ତା ଉପସ୍ଥିତି ରହିଥିଲେ ।

Related Posts