(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଆଗକୁ ପାର୍ବଣ ଋତୁ ଆସୁଛି। ଏଥିପାଇଁ ଧୀରେ ଧୀରେ ଚଳ ଚଞ୍ଚଳ ହୋଇ ଉଠିଛି ଗାଁ ଠୁ ସହର। ପ୍ରଥମେ ଗଣେଶ ପୂଜା ,ନୂଆଖାଇ ପରେ ପରେ ଦୁର୍ଗା ପୂଜାକୁ ନେଇ ସବୁଆଡ଼େ ଉତ୍ସାହର ମାହୋଲ ଦେଖିବାକୁ ମିଳୁଛି । ତେବେ ଏହି ସମୟରେ ଚିନ୍ତାର କାରଣ ପାଲଟିଛି କରୋନା ସଂକ୍ରମଣ। ରାଜ୍ୟରେ ଧୀରେ ଧୀରେ ସଂକ୍ରମଣ କମୁଥିଲେ ମଧ୍ୟ ସମ୍ଭାବ୍ୟ ତୃତୀୟ ତରଙ୍ଗକୁ ନେଇ ବିଶେଷଜ୍ଞ ମାନେ ଚେତାବନୀ ଦେଇଛନ୍ତି। ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ପାର୍ବଣ ସମୟରେ ସଂକ୍ରମଣ ବ୍ୟାପିବାର ଅଧିକ ଆଶଙ୍କା ରହିଛି। ଏଥିପାଇଁ ପୂଜା ଆୟୋଜକ ମାନଙ୍କୁ ଚେତାଇ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ।
ଜିଲ୍ଲାପାଳ କହିଛନ୍ତି , ରୀତିନୀତିରେ ପୂଜା କରିବା ଉପରେ କୌଣସି କଟକଣା ନାହିଁ । କିନ୍ତୁ କୌଣସି କାରଣରୁ ଯଦି ପୂଜା ପାଇଁ କରୋନା ସଂକ୍ରମଣ ବ୍ୟାପେ ତେବେ ଏଥିପାଇଁ ପୂଜା ଆୟୋଜକମାନେ ଦାୟୀ ରହିବେ ବୋଲି ସେ ଚେତାବନୀ ଦେଇଛନ୍ତି । ଏବଂ ଉକ୍ତ ପୂଜା କମିଟି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି । ସୂଚନା ଥାଉକି ପୂଜା ନେଇ ପୂର୍ବରୁ ସ୍ବତନ୍ତ୍ର ରିଲିଫ ଆୟୋଗଙ୍କ ତରଫରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଏହି ନିର୍ଦ୍ଦେଶନାମା ଅନୁଯାୟୀ ଜିଲ୍ଲାରେ ପୂଜା ଆୟୋଜନ ହେବ ବୋଲି ସେ କହିଛନ୍ତି।
ତେବେ ସରକାରଙ୍କ ତରଫରୁ ଜାରି ଗାଇଡଲାଇନ ଅନୁଯାୟୀ, କଟକଣା ସହ ପୂଜା ଆୟୋଜନ ପାଇଁ ପୂଜା କମିଟି ଗୁଡ଼ିକୁ ଅନୁମତି ଦିଆଯାଇଛି । ମଣ୍ଡପ, ପେଣ୍ଡାଲରେ ପୂଜା ପାଇଁ ଅନୁମତି ନେବା ଜରୁରୀ କରାଯାଇଥିବା ବେଳେ ଜିଲ୍ଲାରେ ଜିଲ୍ଲାପାଳ ଓ ଟୁଇନ ସିଟିରେ ସିପିଙ୍କ ଅନୁମତି ଆବଶ୍ୟକ। ମଣ୍ଡପକୁ ଶ୍ରଦ୍ଧାଳୁ ଆସି ପାରିବେ ନାହିଁ ବୋଲି ଗାଇଡଲାଇନରେ କୁହାଯାଇଛି। ପୂଜାରେ ଭୋଜିଭାତ କରିବାକୁ ଅନୁମତି ଦିଆଯାଇ ନାହିଁ। ଗାଇଡଲାଇନ ଉଲ୍ଲଂଘନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଦୃଢ ଚେତାବନୀ ଦିଆଯାଇଛି।