ସିବିଆଇ ନିର୍ଦ୍ଦେଶକ ରେସ୍ ରୁ ବାଦ୍ ପଡିଲେ ରାକେଶ ଆସ୍ଥାନା ଏବଂ ଓ୍ୱାଇ ସି ମୋଦି

(ସତ୍ଯପାଠ ବ୍ଯୁରୋ) ଭୁବନେଶ୍ୱର : ଗତକାଲି ରାତିରେ ସିବିଆଇ ନିର୍ଦ୍ଦେଶକ ପଦବୀର ନିଯୁକ୍ତି ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ୯୦ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା। ୯୦ ମିନିଟ୍ ର ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ. ଭି ରମଣା ଏବଂ କଂଗ୍ରେସ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ଉପସ୍ଥିତ ଥିଲେ। ମିଳିଥିବା ସୂଚନା ମୁତାବକ ଏହି ବୈଠକରେ ପ୍ରଧାନ ବିଚାରପତି ଏନ ଭି ରମନ୍ନା ଏମିତି କିଛି କଥା କହିଛନ୍ତି ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସିଜେଆଇ ରାମନା ଏକ “ ୬ ମାସ ନିୟମ” କଥା ଉଠାଇଥିଲେ, ଯାହା ପୂର୍ବରୁ ସିବିଆଇ ନିର୍ଦ୍ଦେଶକ ଚୟନରେ ଉଲ୍ଲେଖ କରାଯାଇ ନାହିଁ । ଜଷ୍ଟିସ ରାମନା ସୁପ୍ରିମକୋର୍ଟର ଏକ ରାୟର ଉଦାହରଣ ଦେଇ କହିଥିଲେ ଯେ କାର୍ଯ୍ୟକାଳ ଶେଷ ହେବାକୁ ୬ ମାସରୁ କମ୍ ସମୟ ଥିବା ଅଫିସର ସିବିଆଇର ନିର୍ଦ୍ଦେଶକ ପଦବୀରେ ନିଯୁକ୍ତି ହୋଇପାରିବେନି। ଚୟନ ପ୍ୟାନେଲ ନିଶ୍ଚିତ ଭାବରେ ଏହି ଆଇନର ପାଳନ କରିବା ଉଚିତ୍ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ, ଗତ ୪ ମାସ ସିବିଆଇ ନିର୍ଦ୍ଦେଶକ ପଦ ଖାଲି ପଡିଛି। ତେବେ ଏହି ବୈଠକରେ ସିଜେଆଇ ରମନ୍ନାଙ୍କ ମତ କେନ୍ଦ୍ର ସରକାରଙ୍କୁ ଏକ ପ୍ରକାର ଝଟକା ବୋଲି କୁହାଯାଉଛି। ତେବେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ପ୍ରଧାନ ବିଚାରପତିଙ୍କ ମତରେ ସହମତି ଜଣାଇଥିଲେ। ଚର୍ଚ୍ଚା ହେଉଥିଲା ଯେ ସିବିଆଇ ନିର୍ଦ୍ଦେଶକ ପଦବୀ ରେସରେ ଥିଲେ ବର୍ତ୍ତମାନର ବିଏସଏଫ ନିର୍ଦ୍ଦେଶକ ରାକେଶ ଆସ୍ଥାନା ଏବଂ NIAର ମୁଖ୍ୟ ୟ୍ୱାଇସି ମୋଦି। ତେବେ ଏହି ଦୁଇ ଅଫିସରଙ୍କ କାର୍ଯ୍ୟକାଳ ଆଉ ଅଳ୍ପ ଦିନ ରହିଛି। ରାକେଶ ଆସ୍ଥାନାଙ୍କ କାର୍ଯ୍ୟକାଳ ଅଗଷ୍ଟ ୩୧ରେ ଶେଷ ହେବାକୁ ଥିବାବେଳେ ୟ୍ୱାଇ ସି ମୋଦିଙ୍କ କାର୍ଯ୍ୟକାଳ ମେ ୩୧ରେ ଶେଷ ହେବାକୁ ଯାଉଛି। ତେବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାସଭବନରେ ବସିଥିବା ଏହି ବୈଠକରେ ତିନି ଜଣଙ୍କ ନାଁକୁ ତାଲିକାଭୁକ୍ତ କରାଯାଇଛି। ସେମାନେ ହେଉଛନ୍ତି ମହାରାଷ୍ଟ୍ରର ପୂର୍ବତନ ଡିଜିପି ତଥା ସିଆଇଏସଏଫ ଡିଜି ସୁବୋଧ କୁମାର ଜୟଶ୍ୱାଲ, ସଶସ୍ତ୍ର ସୀମା ବଳ(SSB)ର ଡିଜିପି କେଆର ଚନ୍ଦ୍ର ଏବଂ ଗୃହ ମନ୍ତ୍ରାଳୟର ସ୍ୱତନ୍ତ୍ର ସଚିବ ଭିଏସକେ କୌମୁଦି। ତେବେ ଏହି ବୈଠକରେ ବିରୋଧୀ ଦଳ ନେତା ଅଧିର ରଞ୍ଜନ ଚୌଧୁରୀ କହିଛନ୍ତି କେନ୍ଦ୍ର ସରକାରଙ୍କ ସିବିଆଇ ନିର୍ଦ୍ଦେଶକ ପଦବୀ ପାଇଁ ଅଫିସରଙ୍କ ତାଲିକା ପ୍ରସ୍ତୁତିକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ସେ କହିଛନ୍ତି ଯେ, ” ଏହି ପ୍ରକ୍ରିୟା ଯେଉଁଭଳି ଭାବେ ପାଳନ କରାଯାଇଥିଲା ତାହା କମିଟି ଆଦେଶର ବିପରୀତ ଥିଲା। ମେ 11 ରେ ମୋତେ 109 ନାମ ଦିଆଯାଇଥିଲା । ଏବଂ ଆଜି ଦ୍ବିପ୍ରହର ୧ଟା ସୁଦ୍ଧା ୧୦ ଟି ନାମ ତାଲିକାଭୁକ୍ତ ହୋଇଥିବାବେଳେ ଅପରାହ୍ନ ୪ ଟା ସୁଦ୍ଧା ୬ ଟି ନାମ ସର୍ଟଲିଷ୍ଟ କରାଯାଇଥିଲା। କର୍ମଚାରୀ ଏବଂ ପ୍ରଶିକ୍ଷଣ ବିଭାଗର ଏଭଳି ଆଭିମୁଖ୍ୟ ଅତ୍ୟନ୍ତ ଆପତ୍ତିଜନକ ।” ସୂଚନାଯୋଗ୍ୟ, ସିବିଆଇର ନିର୍ଦ୍ଦେଶକ ପଦବୀ ଗତ ୪ ମାସ ହେବ ଖାଲି ପଡ଼ିଛି। ଏବେ ଏହି ପଦବୀ ପୂରଣ ପାଇଁ ୧୯୮୪ରୁ ୮୭ ବ୍ୟାଚର ଆଇପିଏସ ଅଫିସରଙ୍କୁ ଗୁରୁତ୍ୱ ଦିଆଯାଉଛି। ସିବିଆଇ ନିର୍ଦ୍ଦେଶକ ପଦବୀ ପାଇଁ ନିଯୁକ୍ତି ବେଳେ ତାଲିକାଭୁକ୍ତ ହୋଇଥିବା ଆଇପିଏସ ଅଫିସରଙ୍କ କାର୍ଯ୍ୟଦକ୍ଷତା, ଅଭିଜ୍ଞତା ଏବଂ ଦୁର୍ନୀତି ମାମଲାରେ ସେ କେତେ ସ୍ୱଚ୍ଛ ଗୁରୁତ୍ୱ ଦିଆଯାଇଥାଏ।

Related Posts