
ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ନେତୃତ୍ଵାଧୀନ କେନ୍ଦ୍ର ସରକାର ବଡ ନିଷ୍ପତ୍ତି ନେଇଛନ୍ତି। ପଡୋଶୀ ଦେଶରୁ ଆସି ଗୁଜରାଟରେ ରହୁଥିବା ସଂଖ୍ୟାଲଘୁଙ୍କୁ ମିଳିବ ନାଗରିକତା। କେନ୍ଦ୍ର ସରକାର ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଆସି ଗୁଜରାଟରେ ରହୁଥିବା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାରସି ଏବଂ ଖ୍ରୀଷ୍ଟିୟାନଙ୍କୁ ଭାରତୀୟ ନାଗରିକ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ନାଗରିକତା ଆଇନ, ୧୯୫୫ ଆଧାରରେ ଲାଗୁ କରାଯାଇଛି।
ବିବାଦୀୟ ନାଗରିକତା ସଂଶୋଧନ ଅଧିନିୟମ, ୨୦୧୯(ସିଏଏ) ପରିବର୍ତ୍ତେ ନାଗରିକତା ଅଧିନିୟମ, ୧୯୫୫ ଅନୁଯାୟୀ ନାଗରିକତା ପ୍ରଦାନ କରାଯିବ।
ଉଲ୍ଲେଖନୀୟ ସିଏଏ ଅନୁଯାୟୀ ଆଫଗାନିସ୍ତାନ, ବାଂଲାଦେଶ ଏବଂ ପାକିସ୍ତାନରୁ ଆସିଥିବା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାରସି ଏବଂ ଖ୍ରୀଷ୍ଟିୟାନଙ୍କୁ ଭାରତୀୟ ନାଗରିକତା ଦେବାର ପ୍ରାବଧାନ ରହିଛି। କିନ୍ତୁ ଦେଶରେ ଏ ପର୍ଯ୍ୟନ୍ତ ସିଏଏ ଲାଗୁ ହୋଇ ନାହିଁ। ତେଣୁ ନାଗରିକତା ଆଇନ, ୧୯୫୫ ଅନୁଯାୟୀ ନାଗରିକତା ପ୍ରଦାନ କରାଯାଉଛି।
କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଅଧିସୂଚନା ଅନୁଯାୟୀ, ଗୁଜରାଟର ଆଣନ୍ଦ ଏବଂ ମେହସାଣା ଜିଲ୍ଲାରେ ରହୁଥିବା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାରସି ଏବଂ ଖ୍ରୀଷ୍ଟିୟାନଙ୍କୁ ଭାରତର ନାଗରିକତା ଭାବେ ପଞ୍ଜିକରଣ ପାଇଁ ଅନୁମତି ପ୍ରଦାନ କରାଯିବ। ପୁଣି ଦେଶର ନାଗରିକ ହେବାର ସାର୍ଟିଫିକେଟ୍ ଦିଆଯିବ। ଏହି ନାଗରିକତା ଅଧିନିୟମ ୧୯୫୫ର ଧାରା ୬ ଏବଂ ନାଗରିକତା ନିୟମ ୨୦୦୯ର ପ୍ରାବଧାନ ହିସାବରେ ପ୍ରଦାନ କରାଯିବ।