ସୁବର୍ଣ୍ଣପୁର : ଜମିବାଡ଼ି ବିବାଦରୁ ତୁମୁଳକାଣ୍ଡ। ଦୁଇ ପରିବାର ମଧ୍ୟରେ ହାତାହାତି ପରିସ୍ଥିତି ଉତ୍ପନ୍ନ ହୋଇଛି । ଫଳରେ ଧାରୁଆ ଅସ୍ତ୍ର ଆକ୍ରମଣରେ ୮ଜଣ ଆହତ ହୋଇଛନ୍ତି।
ଏଭଳି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ କୁମ୍ଭାରମୁଣ୍ଡା ଗାଁରେ। ଆହତମାନଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି।
ଗାଁର ଚନ୍ଦନ ମିଶ୍ର ଓ ଅଭିମନ୍ୟୁ ମେହେରଙ୍କ ପରିବାର ଭିତରେ ଦୀର୍ଘ ଦିନ ହେଲା ଜମି ବିବାଦ ଲାଗି ରହିଥିଲା। ଗତକାଲି ସଂନ୍ଧ୍ୟାରେ ବିବାଦ ଉଗ୍ର ରୂପ ନେଇଥିଲା। ଉଭୟ ପରିବାରର ସଦସ୍ୟମାନେ ନିଜ ନିଜ ଭିତରେ ମାଡପିଟ୍ ହୋଇଥିଲେ। ପରେ ଧାରୁଆ ଅସ୍ତ୍ରରେ ଉଭୟ ପରିବାର ଲୋକେ ଆକ୍ରମଣ କରିଥିଲେ। ଫଳରେ ଚନ୍ଦନଙ୍କ ପରିବାରର ୩ ଜଣ ଓ ଅଭିମନ୍ୟୁଙ୍କ ପରିବାରର ୪ ଜଣ ଗୁରୁତର ହୋଇଛନ୍ତି।
ଏହା ସହିତ ଅଭିମନ୍ୟୁଙ୍କର ଜଣେ ପଡୋଶୀ ମହିଳା ମଧ୍ୟ ଆକ୍ରମଣରେ ଗୁରୁତର ହୋଇଛନ୍ତି। ଗୁରୁତର ୮ ଜଣଙ୍କୁ ପ୍ରଥମେ ତରଭା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି।
ଏନେଇ ଖବର ପାଇବା ପରେ ତରଭା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଉଭୟ ପଟରୁ ମାମଲା ରୁଜୁ କରିଛି ।
