ବର୍ଷା ବନ୍ୟାରେ ୮ ମୃତ : ଏସଆରସି

ସତ୍ୟପାଠ ବ୍ୟୁରୋ : ବର୍ଷା ବନ୍ୟାରେ ଓଡିଶାରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । କଳାହାଣ୍ଡି କର୍ଲାମୁଣ୍ଡାରେ ସର୍ବାଧିକ ୬୦୮ ମିମି ବର୍ଷା ରେକର୍ଡ କରାଯାଇଛି । ବଲାଙ୍ଗୀର, ବୌଦ୍ଧ, କନ୍ଧାମାଳ, କଳାହାଣ୍ଡି ଓ ସୋନପୁରରେ ବର୍ଷାରେ ବେଶୀ ପ୍ରଭାବିତ ହୋଇଛି । କେବଳ କଳାହାଣ୍ଡି ଓ ବଲାଙ୍ଗୀରର ୪ଟି ବ୍ଲକରେ ୩୦୦ରୁ ୪୦୦ ମିମି ବର୍ଷା ରେକର୍ଡ ହୋଇଛି । ତେବେ କଳାହାଣ୍ଡି ସାରଗଡାରେ ୧୫୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

ଯେ କୌଣସି ପରିସ୍ଥିତିରେ ଉଦ୍ଧାର କାର୍ଯ୍ୟ ପାଇଁ ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ବିଭାଗ ପ୍ରସ୍ତୁତ ରହିଥିବା ସେ କହିଛନ୍ତି । ବଲାଙ୍ଗୀରକୁ ଗୋଟିଏ ଏନଡିଆରଫ ଟିମ ପଠାଯିବ । ୨୪ଘଂଟା ଯାଏ ବର୍ଷା ଲାଗି ରହିବ ବୋଲି ଏସଆରସି କହିଛନ୍ତି । ତେଣୁ ସମସ୍ତ ଜିଲ୍ଲାପାଳ ମାନେ ସତର୍କ ରହିବାକୁ କୁହାଯାଉଛି । ଜିଲ୍ଲାସ୍ତରରେ ଖୋଲା ଯାଇଥିବା ନିୟନ୍ତ୍ରଣ କକ୍ଷକୁ ୨୪ ଘଂଟା ଖୋଲା ରଖି ବର୍ଷା ଓ ସମ୍ଭାବ୍ୟ ବନ୍ୟା ସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେପଟେ ୧୪ଟି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି । ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ସମ୍ବଲପୁର, ଝାରସୁଗୁଡା, ଅନୁଗୁଳ, ଢ଼େଙ୍କାନାଳ, ଦେବଗଡ, ସୁନ୍ଦରଗଡ, ବରଗଡ, କେନ୍ଦୁଝର ଏବଂ ମୟୁରଭଞ୍ଜ ଜିଲ୍ଲାକୁ ସତର୍କ କରାଯାଇଛି । ଦିନ ୧ଟା ୧୫ ଯାଏ ଘଡଘଡି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା କୁହାଯାଇଛି ।

Related Posts