
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଷ୍ଟାଣ୍ଡଅପ୍ କମେଡିଆନ୍ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟବସ୍ଥାରେ ଧୀରେ ଧୀରେ ସୁଧାର ଆସୁଛି । ଦୀର୍ଘ ୧୫ ଦିନ ପରେ ଆଜି ତାଙ୍କ ଚେତା ଫେରିଥିବା ସୂଚନା ମିଳିଛି। ଡାକ୍ତରୀ ଟିମ୍ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଲଗାତାର ମନିଟିରିଂ ଜାରି ରଖିଛନ୍ତି। ଏନେଇ ତାଙ୍କ ପିଆର୍ଓ ଆଜି ସୂଚନା ଦେଇଛନ୍ତି। ରାଜୁ ଶ୍ରୀବାସ୍ତବଙ୍କ ପିଆର୍ଓ ତଥା ପରାମର୍ଶଦାତା ଅଜିତ ସକ୍ସେନାଙ୍କ କହିବା ମୁତାବକ, ଆଜି ସକାଳ ୮.୧୦ରେ ରାଜୁଙ୍କ ଚେତା ଫେରିଛି। ଏହାପରେ ଡାକ୍ତରୀ ଟିମ୍ ତାଙ୍କ ଚେକ୍ଅପ୍ କରିଛନ୍ତି। ରାଜୁଙ୍କ ଚେତା ଫେରିବା ପରେ ତାଙ୍କ ପରିବାର ଲୋକଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି।
ସୂଚନା ଅନୁସାରେ, ଅଗଷ୍ଟ ୧୦ ତାରିଖରେ ରାଜୁ ଶ୍ରୀବାସ୍ତବଙ୍କୁ ହୃଦ୍ଘାତ ହୋଇଥିଲା ଓ ସେ ବ୍ୟାୟମ କରିବା ବେଳେ ତଳେ ପଡିଯାଇଥିଲେ। ଏହାପରେ ତାଙ୍କୁ ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେବେଠାରୁ ତାଙ୍କର ଚିକିତ୍ସା ଚାଲିଛି। ସେ କିଭଳି ଶୀଘ୍ର ସୁସ୍ଥ ହେବେ ସେ ନେଇ ତାଙ୍କ ପରିବାର ଓ ତାଙ୍କର ଲକ୍ଷ ଲକ୍ଷ ଫ୍ୟାନ୍ମାନେ ମଧ୍ୟ ପ୍ରାର୍ଥନା କରୁଛନ୍ତି।