ଗୁଜରାଟ ଦଙ୍ଗା ପୀଡ଼ିତା ଦୁଷ୍କର୍ମକାରୀଙ୍କୁ ଜେଲରୁ ମୁକ୍ତ ଘଟଣା: ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ: ଗୁଜରାଟ ସରକାରଙ୍କୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ । ଦଙ୍ଗା ପୀଡ଼ିତା ବିଲକିସ ବାନୋଙ୍କ ୧୧ ଜଣ ଦୁଷ୍କର୍ମକାରୀଙ୍କୁ ଜେଲରୁ ମୁକ୍ତ କରାଯିବା ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି ସୁପ୍ରିମକୋର୍ଟ। ଏଥିସହ ସର୍ବୋଚ୍ଚ ଅଦାଲତ ଆଜି ଗୁଜରାଟ ସରକାରଙ୍କୁ ନୋଟିସ କରିଛନ୍ତି।କେଉଁ କାରଣ ପାଇଁ ସେମାନଙ୍କୁ ଛଡ଼ା ଯାଇଥିଲା? ଜେଲରୁ ଖଲାସ କରାଯିବା ବେଳେ ସମସ୍ତ ଗାଇଡଲାଇନକୁ ପାଳନ କରାଯାଇ ଥିଲା କି ନାହିଁ, ସେକଥା ଜଣାଇବା ପାଇଁ ସୁପ୍ରିମକୋର୍ଟ ଚାହିଁଛି। ଏଥିପାଇଁ ଆଜି ଗୁଜରାଟ ସରକାରଙ୍କୁ ନୋଟିସ କରାଯାଇଛି। ଏବେ ଗୁଜରାଟ ସରକାର ପୂରା ଘଟଣା ଉପରେ ନିଜର ମତ ରଖିବେ। ସରକାର ଜବାବ ଦେବା ପରେ ମାମଲାର ଶୁଣାଣି ହେବ। ଗୁଜରାଟ ସରକାରଙ୍କୁ ନୋଟିସ କରିବା ବେଳେ ମାମଲାର ପରବର୍ତ୍ତୀ ଶୁଣାଣି ୨ ସପ୍ତାହ ପରେ ହେବ ବୋଲି କୋର୍ଟ କହିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନାଙ୍କ ଖଣ୍ଡପୀଠ କ୍ଷମାନୀତି ବଳରେ ଖଲାସ ହୋଇଥିବା ଦୁଷ୍କର୍ମକାରୀଙ୍କୁ ମଧ୍ୟ ମାମଲାରେ ପକ୍ଷଭୁକ୍ତ କରିବାକୁ ଆବେଦନକାରୀଙ୍କୁ କହିଛନ୍ତି।ସ୍ୱତନ୍ତ୍ର କ୍ଷମା ନୀତି ବଳରେ ଗୁଜରାଟ ସରକାର ବିଲକିସ ବାନୋଙ୍କୁ ଦୁଷ୍କର୍ମ କରିବା ପରେ ତାଙ୍କ ପରିବାର ଲୋକଙ୍କୁ ହତ୍ୟା କରିଥିବା ୧୧ ଜଣ ଦୋଷୀଙ୍କୁ ସ୍ୱାଧୀନତା ଦିବସରେ ଖଲାସ କରିଥିଲେ। ଏହାକୁ ନେଇ ବିବାଦ ଚାଲିଥିବା ବେଳେ ମଙ୍ଗଳବାର ମହିଳା ଅଧିକାରୀ ପାଇଁ ଲଢ଼େଇ ସୁଭାଷିନ ଅଲୀ, ରେବତୀ ଲାଉଲ ଓ ରୂପା ରେଖା ବର୍ମା ମିଳିତ ଭାବେ ସୁପ୍ରିମକୋର୍ଟରେ ପିଆଇଏଲ ଦାଖଲ କରି ଦୋଷୀଙ୍କୁ ମିଳିଥିବା କ୍ଷମାକୁ ଖାରଜ କରିବାକୁ କହିଥିଲେ। ୧୪ ଜଣଙ୍କୁ ହତ୍ୟା ଓ ଜଣେ ଗର୍ଭବତୀଙ୍କୁ ଦୁଷ୍କର୍ମ କରାଯାଇଥିବାରୁ ଗୁଜରାଟ ସରକାରଙ୍କ କ୍ଷମାନୀତିକୁ ଚ୍ୟାଲେଞ୍ଜ କରାଯାଇଥିଲା।ଗୁଜରାଟ ଦଙ୍ଗା ବେଳେ ବିଲକିସ ବାନୋଙ୍କୁ ଦୁଷ୍କର୍ମ ଓ ତାଙ୍କ ପରିବାର ୧୪ ଜଣଙ୍କୁ ହତ୍ୟା କରିବା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୧୧ ଜଣ ଏବେ ଜେଲରୁ ବାହାରି ମୁକ୍ତ ଜୀବନ ବିତାଉଛନ୍ତି। ସେମାନଙ୍କୁ ଏହି ବର୍ବରକାଣ୍ଡ ପାଇଁ ୧୫ ବର୍ଷ ତଳେ ଆଜୀବନ ଜେଲଦଣ୍ଡ ମିଳିଥିଲା। ହେଲେ ସ୍ୱାଧୀନତା ଦିବସରେ ଗୁଜରାଟ ସରକାରଙ୍କ ସ୍ୱତନ୍ତ୍ର ପ୍ୟାନେଲର ପରାମର୍ଶକ୍ରମେ ସେମାନଙ୍କୁ କ୍ଷମା ନୀତି ଅନୁସାରେ ଜେଲରୁ ଖଲାସ କରି ଦିଆଯାଇଛି।୨୧ ବର୍ଷୀୟ ବିଲକିସ୍‌ ବାନୋ ସେତେବେଳେ ୫ ମାସର ଗର୍ଭବତୀ ଥିଲେ। ୨୦୦୨ ମସିହା ମାର୍ଚ୍ଚ ୩ରେ ତାଙ୍କୁ ଦୁଷ୍କର୍ମ କରାଯାଇଥିଲା। ଏହାପରେ ବାନୋଙ୍କ ଛୋଟ ଝିଅଙ୍କ ସମେତ ପରିବାରର ଅନ୍ୟ ୧୩ ଜଣଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଥିଲା।

Related Posts