ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଚନ୍ଦ୍ରଗ୍ରହଣରେ ପାକତ୍ୟାଗକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ମୁହାଁମୁହିଁ ହୋଇଛନ୍ତି ହେତୁବାଦୀ ଓ ପରମ୍ପରାବାଦୀ। ଗତକାଲି ପର୍ଯ୍ୟନ୍ତ ଏ ପ୍ରସଙ୍ଗରେ ଉଭୟ ପକ୍ଷ ମଧ୍ୟରେ କେବଳ ବିଭିନ୍ନ ଗଣମାଧ୍ୟମରେ ଯୁକ୍ତିତର୍କ ହେଉଥିବା ବେଳେ ଆଜି ଏହା ହିଂସାର ରୂପ ନେଇଛି। ରାଜଧାନୀ ଭୁବନେଶ୍ୱର ଓ ବ୍ରହ୍ମପୁରରୁ ଆସିଛି ଏଭଳି ଚିତ୍ର।
ଭୁବନେଶ୍ୱର ଲୋହିୟା ଏକାଡେମୀରେ ହେତୁବାଦୀଙ୍କ ପକ୍ଷରୁ ଏକ ଆଲୋଚନା ଚକ୍ରର ଆୟୋଜନ କରାଯାଇଥିଲା। ଏହା ସହିତ ସାମୂହିକ ଭୋଜନର କାର୍ଯ୍ୟକ୍ରମ ଥିଲା। ତେବେ ସେମାନଙ୍କର କାର୍ଯ୍ୟକ୍ରମ ଚାଲିଥିବା ବେଳେ ପରମ୍ପରାବାଦୀମାନେ ସେଠାରେ ପହଞ୍ଚି ପ୍ରତିବାଦ କରିଥିଲେ। ପରମ୍ପରାବାଦୀଙ୍କ ବିରୋଧ ପରେ ସେଠାରେ ଦୁଇ ପକ୍ଷ ମୁହାଁମୁହିଁ ହୋଇଥିଲେ। ହେତୁବାଦୀ ଓ ପରମ୍ପରାବାଦୀଙ୍କ ମଧ୍ୟରେ ମାରପିଟ ହୋଇଥିଲା। ଉଭୟ ଗୋଷ୍ଠୀ ପରସ୍ପରକୁ ବିଧା, ଗୋଇଠା ମାରିବା ସହିତ ଗୋବର ଓ ଢେଲାପଥର ମାଡ଼ କରିଥିଲେ। ପୁଲିସ୍ ଉପସ୍ଥିତ ଥିବା ସତ୍ତ୍ୱେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ପୁଲିସ୍ ସ୍ଥିତିକୁ ନିୟନ୍ତ୍ରଣାଧୀନ କରିଛି।
ସମାନ ସ୍ଥିତି ବ୍ରହ୍ମପୁରରେ ମଧ୍ୟ ଦେଖିବାକୁ ମିଳିଥିଲା। ସେଠାରେ ହେତୁବାଦୀମାନେ ସାମୁହିକ ଭୋଜନର ଆୟୋଜନ କରିଥିଲେ। ତେବେ ଆୟୋଜନ ସ୍ଥଳରେ ବଜରଙ୍ଗ ଦଳ କର୍ମୀ ଓ ପରମ୍ପରାବାଦୀମାନେ ପହଞ୍ଚି ବିରୋଧ କରିଥିଲେ। ହେତୁବାଦୀ ଲଗାଇଥିବା ବ୍ୟାନରକୁ ଚିରି ଦେଇଥିଲେ ପରମ୍ପରାବାଦୀ। ତା’ସହିତ ଗୋବର ମାଡ଼ କରିଥିଲେ। ହେତୁବାଦୀମାନେ ଏହାକୁ ବିରୋଧ କରିଥିଲେ। ପରେ ଉଭୟ ପକ୍ଷ ମଧ୍ୟରେ ଧସ୍ତଧସ୍ତା ହୋଇଥିଲା। ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ୍ ଲାଠି ମାଡ଼ କରିଥିଲା।
ସୂଚନାଯୋଗ୍ୟ, ଆଜି ହେଉଛି କାର୍ତ୍ତିକ ପୂର୍ଣ୍ଣିମା। ଆଜି ମଧ୍ୟ ହେଉଛି ବର୍ଷର ଶେଷ ଚନ୍ଦ୍ରଗ୍ରହଣ। ଚନ୍ଦ୍ରଗ୍ରହଣରେ ପାକ ନିଷେଧ ଓ ଖାଦ୍ୟ ବର୍ଜନ ପରମ୍ପରା ରହିଛି। ତେବେ ହେତୁବାଦୀମାନେ ଏହା ବିଜ୍ଞନା ସମ୍ମତ ନୁହେଁ ବୋଲି କହନ୍ତି। ଚନ୍ଦ୍ରଗ୍ରହଣରେ ଖାଦ୍ୟ ଗ୍ରହଣ କଲେ କିଛି ଅସୁବିଧା ହୁଏ ନାହିଁ ବୋଲି ମତ ଦିଅନ୍ତି। ଏହାକୁ ପ୍ରମାଣ କରିବାକୁ ଓ ଲୋକଙ୍କୁ ସଚେତନ କରିବା ଲକ୍ଷ୍ୟରେ ସେମାନେ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣରେ ସାମୂହିକ ଭୋଜନର ଆୟୋଜନ କରନ୍ତି। ଏହି କାରଣରୁ ଗତ ସୂର୍ଯ୍ୟପରାଗ ବେଳେ ବିବାଦ ଦେଖାଯାଇଥିଲା। ତେବେ ହେତୁବାଦୀମାନେ ଚନ୍ଦ୍ରଗ୍ରହଣ ବେଳେ ପୁଣି ବିରିୟାନୀ ଖାଇବେ ବୋଲି କହିଥିଲେ। ଆଉ ଏହାର ଜବାବରେ ପରମ୍ପରାବାଦୀମାନେ ଏହାକୁ ଦୃଢ଼ ବିରୋଧ କରାଯିବ ବୋଲି କହିଥିଲେ। ଆଉ ଆଜି ଏହାର ଫଳ ଦେଖିବାକୁ ମିଳିଥିଲା ବ୍ରହ୍ମପୁର ଓ ଭୁବନେଶ୍ୱରରେ।





