
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆସନ୍ତା ୧୦ ତାରିଖରେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତେବେ ରାଷ୍ଟ୍ରପତି ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ଓଡିଶା ଗସ୍ତ। ଏହି ଗସ୍ତକାଳରେ ରାଷ୍ଟ୍ରପତି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।
ତେବେ ରାଷ୍ଟ୍ରପତିଙ୍କ ଏହି ଗସ୍ତକୁ ନେଇ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଭୁବନେଶ୍ବର ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ କମିଶନର, ଡିସିପି, ବିମାନବନ୍ଦର ନିର୍ଦ୍ଦେଶକ ଓ ସିଆରପିଏଫ ଅଧିକାରୀ । ବ୍ଲୁ ବୁକ ଅନୁସାରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଜଣାପଡିଛି । ସୁରକ୍ଷା ଲାଗି ମୁତୟନ ହେବେ ୫୫ ପ୍ଲାଟୁନ ପୋଲିସ ଫୋର୍ସ । ଏହା ସହ ୩୦୦ ଜଣ ବରିଷ୍ଠ ପୋଲିସ ଅଧିକାରୀ ମଧ୍ୟ ସୁରକ୍ଷା ଦାୟିତ୍ବରେ ରହିବେ ।
ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବିମାନବନ୍ଦରଠାରୁ ରାଜଭବନ ପର୍ଯନ୍ତ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ । ଭୁବନେଶ୍ୱରରେ ରାଷ୍ଟ୍ରପତିଙ୍କ ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ସେ ସବୁ ସ୍ଥାନରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ । ଏନେଇ ଆସନ୍ତାକାଲି ଫୁଲ୍ ଡ୍ରେସ ରିହଲସଲ କରାଯିବ । ରାଷ୍ଟ୍ରପତିଙ୍କୁ ଗାର୍ଡ ଅଫ ଅନର ଦେବା ପାଇଁ ରିହଲସଲ କରାଯାଇଛି ।