
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ପଦ୍ମ ବିଭୂଷଣ ତଥା ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ରଙ୍କ କୋଭିଡରେ ଦେହାନ୍ତ ହୋଇଥିଲା । ଆଜି ପୁଣି ଅଳ୍ପ ଦିନ ବ୍ୟବଧାନରେ ତାଙ୍କ ପୁତ୍ର ପ୍ରଶାନ୍ତ ମହାପାତ୍ରଙ୍କ ପରଲୋକ ହୋଇଛି। କରୋନା ସଂକ୍ରମିତ ହୋଇ ସେ ଭୁବନେଶ୍ୱରସ୍ଥିତ ସର୍ବ ଭାରତୀୟ ଆୟୁର୍ବିଜ୍ଞାନ ସସ୍ଥାନ(AIIMS) ରେ ଚିକିତ୍ସାଧୀନ ଥିଲେ । ଚିକିତ୍ସାଧୀନ ଅବସ୍ଥାରେ ସେ ଇହଲୋକ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୪୭ ବର୍ଷ ହୋଇଥିଲା । ଏନେଇ ଏମସ୍ ସୁପରିଟେଣ୍ଡେଣ୍ଟ ସଚ୍ଚିଦାନନ୍ଦ ମହାନ୍ତି ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ , ଶ୍ରୀଯୁକ୍ତ ମହାପାତ୍ର ଜଣେ ସୁଦକ୍ଷ ରେଫରୀ ଓ ରଣଜୀ ଖେଳାଳୀ ଭାବେ ପରିଚିତ ଥିଲେ । ଓଡ଼ିଶା ପାଇଁ ଅନେକ ରଣଜୀ ମ୍ୟାଚ ଖେଳି ସୁନାମ ଅର୍ଜନ କରିବା ସହ ସଫଳତାର ଶୀର୍ଷରେ ପହଞ୍ଚିଥିଲେ ।। କିଛି ଦିନ ତଳେ ସେ କରୋନା ସଂକ୍ରମିତ ହୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ । କ୍ରମଶଃ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିଲା। ଏପରିକି ତାଙ୍କ କରୋନା ପରୀକ୍ଷାର ଫଳାଫଳ ନେଗେଟିଭ୍ ଆସିଥିଲା। ସେଥିପାଇଁ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ ଅତ୍ୟନ୍ତ ଉତ୍ସାହିତ ହୋଇପଡିଥିଲେ। କିନ୍ତୁ ହଠାତ୍ ପୁଣି ଥରେ ତାଙ୍କ ଅବସ୍ଥା ଗୁରୁତର ଆଡକୁ ଅଗ୍ରସହ ହେଲା। ତେଣୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଡାକ୍ତରମାନଙ୍କ ସମସ୍ତ ଚେଷ୍ଟା ସତ୍ତ୍ୱେ ଶେଷରେ ସେ ଆଜି ସକାଳେ ଆଖି ବୁଜି ଦେଇଥିଲେ ।ତାଙ୍କର ପରଲୋକରେ ଶୋକର ଛାୟା ଖେଳିଯିବା ସହ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି ।