ନୀତିଶ ମନ୍ତ୍ରୀମଣ୍ଡଳରେ କଂଗ୍ରେସକୁ ୪ ଟି ମନ୍ତ୍ରୀପଦ ମିଳିପାରେ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିହାରରେ ନୀତିଶ କୁମାରଙ୍କ ନେତୃତ୍ୱରେ ଗଠନ ହେବାକୁ ଯାଉଛି ମହା ଗଠବନ୍ଧନ ସରକାର। ଏହି ସରକାରରେ କଂଗ୍ରେସ ସମେତ ଆରଜେଡି ଓ ବାମ ଦଳ ପ୍ରମୁଖ ସାମିଲ ହୋଇଛନ୍ତି। ତେବେ ନୀତିଶଙ୍କ ନୂତନ ମନ୍ତ୍ରୀମଣ୍ଡଳରେ କଂଗ୍ରେସ କୁ ୪ ଟି ମନ୍ତ୍ରୀପଦ ମିଳିବା ନେଇ ସୂଚନା ମିଳୁଛି। ବୁଧବାର ନୀତିଶ ଶପଥ ନେବାକୁ ଥିବା ବେଳେ ମନ୍ତ୍ରୀମଣ୍ଡଳ ସମ୍ପର୍କରେ ସେ କଂଗ୍ରେସ ଅଧକ୍ଷା ସୋନିଆ ଗାନ୍ଧୀ ଓ ସାଂସଦ ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା କରିଥିବା ଜଣା ପଡିଛି। ଏହାପରେ ତାଙ୍କୁ ସମର୍ଥନ ଦେଇଥିବାରୁ ନୀତିଶ କଂଗ୍ରେସ ନେତୃତ୍ବକୁ ଧନ୍ୟବାଦ୍ ମଧ୍ୟ ଜଣାଇଛନ୍ତି।

ମିଳିଥିବା ସୂଚନା ଅନୁସାରେ କଂଗ୍ରେସ ୪ଟି ମନ୍ତ୍ରୀପଦ ବ୍ୟତୀତ ବିଧାନସଭାର ବାଚସ୍ପତି ପଦ ମଧ୍ୟ ଚାହିଁଥିଲା ମାତ୍ର ନୀତିଶ ବାଚସ୍ପତି ପଦ ଦେବାକୁ ସହମତି ପ୍ରକାଶ କରିନଥିଲେ। ବିହାର ବିଧାନସଭାରେ ମୋଟ ୨୪୩ ବିଧାୟକ ମଧ୍ୟରୁ ବର୍ତ୍ତମାନ କଂଗ୍ରେସର ୧୯ ଜଣ ବିଧାୟକ ଅଛନ୍ତି ସେହିପରି ଜେଡିୟୁ ର ୪୩, ଆରଜେଡି ର ୭୯, ସିପିଆଇଏମ ର ୧୨ ବିଧାୟକ ଅଛନ୍ତି ଏହି ସମସ୍ତ ବିଧାୟକ ଙ୍କ ବ୍ୟତୀତ କିଛି ସ୍ଵାଧୀନ ବିଧାୟକ ମଧ୍ୟ ନୀତିଶ କୁମାରଙ୍କୁ ସମର୍ଥନ ଜଣାଇଛନ୍ତି।

ତେବେ ବିହାରରେ ନୂତନ ସରକାର ଗଠନ ନେଇ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ବିହାରରେ ଅଣ ବିଜେପି ସରକାର ଗଠନ ହେବା ଦେଶରେ ଧର୍ମନିରପେକ୍ଷ ଶକ୍ତିକୁ ସୁଦୃଢ କରିବ । ଏହା ଆମର ଏକ ଆଦର୍ଶଗତ ଯୁଦ୍ଧ ଏବଂ ଆମେ ସତ୍ତା ପାଇଁ ସଂଗ୍ରାମ କରୁନାହୁଁ। କଂଗ୍ରେସ ଯେକୌଣସି ଅଣ-ବିଜେପି ସରକାରକୁ ସମର୍ଥନ କରିବ ଏବଂ ଧର୍ମନିରପେକ୍ଷ ଶକ୍ତିକୁ ମଜବୁତ କରିବାରେ ସାହାଯ୍ୟ କରିବ ବୋଲି କଂଗ୍ରେସର ସାଧାରଣ ସମ୍ପାଦକ ତାରିକ ଅନୱାର କହିଛନ୍ତି।

ତେବେ ସବୁ କଳ୍ପନା ଜଳ୍ପନା ମଧ୍ୟରେ ବିହାରରେ ନୂତନ ସରକାର ଗଠନ ହେବାକୁ ଯାଉଛି। ଆଜି ମୁଖ୍ୟମନ୍ତ୍ରୀ ଙ୍କ ସମେତ ନୂତନ ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ କରିବା ନେଇ ସୂଚନା ମିଳିଛି।

Related Posts