ହର ଘର ତ୍ରିରଙ୍ଗା ଅଭିଯାନ ଗରିବଙ୍କ ଉପରେ ବୋଝ ନହେଉ : ବରୁଣ ଗାନ୍ଧୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ନୀତି ବିରୋଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଥିବା ବିଜେପି ସଂସଦ ବରୁଣ ଗାନ୍ଧୀ ପୁଣି ଥରେ ସରକାରୀ ନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି। ଏଥର ବରୁଣ ଗାନ୍ଧୀ ମୋଦି ସରକାରଙ୍କ ହର ଘର ତ୍ରିରଙ୍ଗା ଅଭିଯାନ ଦ୍ୱାରା ଗରିବଙ୍କ ପାଇଁ ହେଉଥିବା କ୍ଷତି ସମ୍ପର୍କରେ ଟୁଇଟ କରିଛନ୍ତି।ଏହି ଟୁଇଟରେ ବରୁଣ ଗାନ୍ଧୀ ଏଥର ଗରିବ ଲୋକଙ୍କ ପାଇଁ ସ୍ବର ଉତ୍ତୋଳନ କରୁଥିବା ଦେଖିବାକୁ ମିଳିଛି।

ବରୁଣ ଗାନ୍ଧୀ ତାଙ୍କ ଟୁଇଟରେ ଲେଖିଛନ୍ତି, ଯଦି ସ୍ବାଧୀନତାର ୭୫ ତମ ବାର୍ଷିକୀ ପାଳନ ଗରିବଙ୍କ ଉପରେ ବୋଝ ହୋଇଯାଏ ତେବେ ତାହା ଦୁର୍ଭାଗ୍ୟଜନକ ହେବ। ରାଶନ କାର୍ଡଧାରୀମାନଙ୍କୁ ତ୍ରି୍‌ରଙ୍ଗା କିଣିବାକୁ ବାଧ୍ୟ କରାଯାଉଛି। ଏହା ବାବଦରେ ତାଙ୍କ ରାଶନର ଅଂଶ କଟାଯାଉଛି। ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ରହୁଥିବା ତ୍ରିରଙ୍ଗା ମୂଲ୍ୟ ଗରୀବଙ୍କ ମୁହଁରୁ ଖାଦ୍ୟ ଛଡ଼ାଇ ସଂଗ୍ରହ କରିବା ଲଜ୍ଜାଜନକ ବୋଲି ସେ କହିଛନ୍ତି।ବରୁଣ ଏନେଇ ୧ ମିନିଟ ୪୨ ସେକେଣ୍ଡର ଏକ ଭିଡ଼ିଓ ମଧ୍ୟ ଶେୟାର କରିଛନ୍ତି।

ସୂଚନା ଅନୁସାରେ ହର ଘର ତ୍ରିରଙ୍ଗା ଅଭିଯାନ ଅନ୍ତର୍ଗତ ମୋଦି ସରକାର ୨୦ କୋଟି ଘରେ ତ୍ରିରଙ୍ଗା ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ଏହି ଅଭିଯାନରେ ବିଜେପି ଶାସିତ ରାଜ୍ୟମାନେ ମଧ୍ୟ ନଗଦ ଟଙ୍କା ନେଉଛନ୍ତି। ଏହି ସମୟ ମଧ୍ୟରେ ହରିୟାଣାର ସୋସିଆଲ ମିଡିଆରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ଲୋକେ କହୁଛନ୍ତି ଯେ ସମସ୍ତ ରାଶନ କାର୍ଡଧାରୀମାନଙ୍କୁ ପତାକା ପାଇଁ ୨୦ ଟଙ୍କା ଦେବାକୁ ପଡୁଛି। ଯେଉଁମାନେ ପତାକା ନେଉ ନାହାନ୍ତି ସେମାନଙ୍କୁ ଅଗଷ୍ଟ ମାସ ପାଇଁ ଆସିଥିବା ରାଶନ ଦିଆଯିବ ନାହିଁ ବୋଲି କୁହାଯାଉଛି। ଏହି ଭିଡ଼ିଓ କେବଳ ହରିୟାଣାରେ ନୁହେଁ ସାରା ଦେଶରେ ପହଞ୍ଚିଛି। ଏହା ପରେ ବରୁଣ ଗାନ୍ଧୀ ଟୁଇଟ କରିଛନ୍ତି। ଭିଡିଓ ଲୋକମାନେ କହୁଛନ୍ତି ଯେ ଆମର ରାଶନ କିଣିବା ପାଇଁ ଟଙ୍କା ନାହିଁ ଏପରିସ୍ଥଳେ ତ୍ରିରଙ୍ଗା କିଣିବା ପାଇଁ କେଉଁଠାରୁ ଟଙ୍କା ପାଇବୁ।

Related Posts