୧୫ ଅଗଷ୍ଟ ରେ ତିରଙ୍ଗା ନୁହଁ ଶିଖ ଝଣ୍ଡା ଉତ୍ତୋଳନ କରିବାକୁ ଆହ୍ଵାନ ଦେଲେ ଅକାଳି ଦଳ ସାଂସଦ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଅଗଷ୍ଟ ୧୫ରେ ତିରଙ୍ଗା ନୁହଁ ଶିଖ ଝଣ୍ଡା ଉତ୍ତୋଳନ କରିବାକୁ କହିଛନ୍ତି ଶିରୋମଣି ଅକାଳି ଦଳର ସାଂସଦ ସିମ୍ରନଜିତ ସିଂ ମାନ। ପଞ୍ଜାବର ସଙ୍ଗରୁର ରୁ ସାଂସଦ ଥିବା ସିମ୍ରନଜିତ ହର ଘର ତ୍ରିରଙ୍ଗା ଅଭିଯାନକୁ ନେଇ ଏଭଳି ମନ୍ତବ୍ୟ ଦେଇଥିବା ଜଣା ପଡ଼ିଛି। ଏକ ମେସେଜରେ ସିମ୍ରନଜିତ ସ୍ଵାଧୀନତା ଦିବସରେ ଘର ଉପରେ ତ୍ରିରଙ୍ଗା ବଦଳରେ କେଶରୀ କିମ୍ବା ଶିଖ ଝଣ୍ଡା ଲଗାଇବାକୁ ଅନୁରୋଧ କରିଛନ୍ତି।

ତେବେ ଏହି ସପ୍ତାହ ପୂର୍ବରୁ ମଧ୍ୟ ମାନ ଟ୍ୱିଟ୍ କରି ଲେଖିଥିଲେ ଯେ, “ସ୍ୱାଧୀନତାର ୭୫ ତମ ବାର୍ଷିକୀ ପାଳନ ପାଇଁ ପ୍ରତି ଘରେ ପତାକା ଉତ୍ତୋଳନ କରିବା ପରିବର୍ତ୍ତେ ଲଦାଖକୁ ଚାଇନା ଠାରୁ ମୁକ୍ତ କରିବା ଦେଶ ପାଇଁ ସବୁଠାରୁ ବଡ଼ ଉପହାର ହେବ।” ଏହା ବ୍ୟତୀତ ଗରୀବ ଲୋକଙ୍କୁ ଖାଦ୍ୟ ଏବଂ ଆଶ୍ରୟ ଯୋଗାଇ ଦିଅନ୍ତୁ ବୋଲି ନିଜ ଟୁଇଟରେ ସେ ସରକାରଙ୍କୁ କହିଥିଲେ।

ସେପଟେ ତ୍ରିରଙ୍ଗା କୁ ନେଇ ସିମ୍ରନଜିତଙ୍କ ଏହି ମନ୍ତବ୍ୟ ଉପରେ ବିଭିନ୍ନ ରାଜନୈତିକ ଦଳ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ପଞ୍ଜାବ କଂଗ୍ରେସ ମୁଖ୍ୟ ଅମରିନ୍ଦର୍ ସିଂ ରାଜା ଏହି ଘଟଣାରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ନିଜ ଘରେ କେସାରୀ ପତାକା ଉଡ଼ାଇବାକୁ କେହି ବାରଣ କରିନାହାନ୍ତି। ପ୍ରତ୍ୟେକ ଶିଖ ‘କେସାରୀ’ ରଙ୍ଗ ପାଇଁ ଗର୍ବିତ ହେବା ଉଚିତ କାରଣ ଏହା ସର୍ବଦା ମହାନ ପ୍ରତୀକ ଅଟେ। ମାତ୍ର ତ୍ରିରଙ୍ଗା ଆମ ଜାତୀୟ ପ୍ରତୀକ ଏବଂ ପ୍ରତ୍ୟେକ ଭାରତୀୟ ଏହାକୁ ସମ୍ମାନ ଦେବା ଉଚିତ୍ ବୋଲି ଅମରିନ୍ଦର୍ କହିଛନ୍ତି।

Related Posts