ବେଙ୍ଗାଲୁରୁର ଏପରି ଅବସ୍ଥା ପାଇଁ କଂଗ୍ରେସ ସରକାର ଦାୟୀ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ: ପ୍ରବଳ ବର୍ଷାରେ ବେହାଲ ବେଙ୍ଗାଲୁରୁ ସହର । ଅନେକ ଅଞ୍ଚଳ ଏବେ ଜଳମଗ୍ନ । ଚାରିଆଡେ଼ ଖାଲି ପାଣି ହିଁ ପାଣି । ଗୋଟିଏ ସପ୍ତାହରେ ଦ୍ବିତୀୟ ଥର ପାଇଁ ବେଙ୍ଗାଲୁରୁ‌ରେ ଜଳବନ୍ଦୀ ଅବସ୍ଥା ଉପୁଜିଛି। ଆଇଏମ୍‌ଡି ଅନୁଯାୟୀ ବେଙ୍ଗାଲୁରୁରେ ଦିନକରେ ୧୩୧.୬ ମିମି ବର୍ଷା ହୋଇଛି। ଲୋକଙ୍କର ଘରୁ ବାହାରିବା ଅସମ୍ଭବ ହୋଇଥିବା ବେଳେ ଜଣେ ଛାତ୍ରୀଙ୍କର ମୃତ୍ୟୁ ଘଟିଛି।

ତେବେ ସହରର ଏଭଳି ଅବସ୍ଥା ପାଇଁ ସାଧାରଣ ଲୋକେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବମ୍ମାଇଙ୍କୁ ଲୋକେ ଦାୟୀ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ପୂର୍ବରୁ ଥିବା କଂଗ୍ରେସ ସରକାରଙ୍କୁ ଦାୟୀ କରିଛନ୍ତି।

ସାଇବର ସହର ବେଙ୍ଗାଲୁରୁରେ ବନ୍ୟା ପରିସ୍ଥିତି ପାଇଁ ରାଜ୍ୟର ପୂର୍ବ କଂଗ୍ରେସ ସରକାରଙ୍କୁ ଦାୟୀ କରିଛନ୍ତି ବସବରାଜ ବମ୍ମାଇ। ମଙ୍ଗଳବାର ଗଣମାଧ୍ୟମକୁ ସୂଚନା ଦେଇ ବସବରାଜ ବମ୍ମାଇ କହିଛନ୍ତି, “‌ବେଙ୍ଗାଲୁରୁର ଏଭଳି ଅବସ୍ଥା ପୂର୍ବ କଂଗ୍ରେସ ସରକାରଙ୍କ ଦୁର୍ନୀତିଗ୍ରସ୍ତ ପ୍ରଶାସନ ଯୋଗୁଁ ହୋଇଛି। କଂଗ୍ରେସ ସରକାରଙ୍କ ଦୁର୍ନୀତିଗ୍ରସ୍ତ ପ୍ରଶାସନ ସହରରେ ହ୍ରଦ ଏବଂ ବଫର ଜୋନ୍ ପାଇଁ ଅନୁମତି ଦେଇଥିବାରୁ ଆଜି ଏଭଳି ପରିସ୍ଥିତି ଉପୁଜିଛି।”

ସେ ଆହୁରି କହିଛନ୍ତି ଯେ, କର୍ଣ୍ଣାଟକ, ବିଶେଷକରି ବେଙ୍ଗାଲୁରୁରେ ଏଭଳି ପ୍ରବଳ ବର୍ଷା ଆଗରୁ କେବେ ହୋଇନଥିଲା। ଗତ ୯୦ବର୍ଷ ହେଲାଣି ଏଭଳି ବର୍ଷା ରେକର୍ଡ ହୋଇନଥିଲା। ଏବେ ହୋଇଥିବା ବର୍ଷା ଯୋଗୁଁ ଜଳ ସଂରକ୍ଷଣ ପାଇଁ ବ୍ୟବହୃତ ହେଉଥିବା ସମସ୍ତ ଟାଙ୍କି ଭରିଯାଇଛି। ସେମାନଙ୍କ ମଧ୍ୟରୁ କେତେକ ମଧ୍ୟ ଭାଙ୍ଗି ଯାଇଛି। ଏଭଳି ଦେଖାଯାଉଛି ଯେ, ଯେମିତି ସମଗ୍ର ବେଙ୍ଗାଲୁରୁ ଜଳମଗ୍ନ ହୋଇଛି। ଏହା ଭୁଲ୍। ବେଙ୍ଗାଲୁରୁର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଏଭଳି ଜଳ ସମସ୍ୟା ଦେଖାଦେଇଛି, ସବୁ ସ୍ଥାନରେ ନୁହେଁ।

Related Posts