ଟ୍ରାଫିକ ଜାମରେ ଫସିଗଲା ଗାଡ଼ି, ରୋଗୀଙ୍କ ଜୀବନ ବଞ୍ଚାଇବାକୁ ୩ କିଲୋମିଟର ଦୌଡିଲେ ଡାକ୍ତର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଡାକ୍ତରଙ୍କୁ ଦ୍ଵିତୀୟ ଭଗବାନ ଭାବେ ବିବେଚନା କରାଯାଏ । ଅବଶ୍ୟ ଏବେ ଅର୍ଥ ଲୋଭରେ କିଛି ଡାକ୍ତରଙ୍କ ପାଖରେ ଏହାର ବ୍ୟତୀକ୍ରମ ଦେଖିବାକୁ ମିଳିଛି । ତେବେ ବାଙ୍ଗାଲୋରର ଜଣେ ଡାକ୍ତର ରୋଗୀ ବଂଚାଇବା ପାଇଁ ଯେଉଁ ପଦକ୍ଷେପ ଗ୍ରହଣ କରିଛନ୍ତି ତାହାକୁ ଯେତେ ପ୍ରଶଂସା କରାଗଲେ ମଧ୍ୟ କମ ହେବ । ମଣିପାଲ ହସପିଟାଲର ଗ୍ୟାଷ୍ଟ୍ରୋଏଂଟରଲୋଜୀ ସର୍ଜନ ଗୋବିନ୍ଦ ନନ୍ଦକୁମାର ଜଣେ ରୋଗୀଙ୍କ ଲ୍ୟାପ୍ରୋସ୍କୋପିକ ଗାଲବ୍ଲାଡର ଅପେରେଶନ କରିବାକୁ ଘରୁ ବାହାରିଥିଲେ । ତେବେ ସରଜାପୁର ନିକଟରେ ସେ ଟ୍ରାଫିକ ଜାମରେ ଫସି ଯାଇଥିଲେ । ଅନ୍ୟପଟେ ଚିକିତ୍ସିତ ହେବାକୁ ଥିବା ମହିଳା ଅବସ୍ଥା ସଙ୍କଟାପନ୍ନ ହୋଇଥିଲା । ଏହା ଶୁଣିବା ପରେ ସେ ଆଉ ନିଜକୁ ସମ୍ଭାଳିପାରି ନ ଥିଲେ । କାରରୁ ଓହ୍ଲାଇ ୩ କିଲୋମିଟର ଦୌଡି ଡାକ୍ତରଖାନାରେ ପହଞ୍ଚିଥିଲେ ।

ସେ ଠିକ ସମୟରେ ଡ଼ାକ୍ତରଖାନାରେ ପହଞ୍ଚି ଯିବାରୁ ମହିଳାଜଣଙ୍କୁ ବଞ୍ଚାଇବା ସମ୍ଭବପର ହୋଇଥିଲା । ତେବେ ଡାକ୍ତର ଜଣକ ଦୌଡୁଥିବା ସମୟର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏନେଇ ଡାକ୍ତର ଗୋବିନ୍ଦ ନନ୍ଦକୁମାର କହିଛନ୍ତି ଯେ, ମୁଁ ସବୁ ବେଳେ ସକାଳୁ ଦୌଡିବାକୁ ଯାଉଥିବାରୁ ବିଶେଷ ଅସୁବିଧାର ସମ୍ମୁଖୀନ ହୋଇ ନ ଥିଲି । ଏହା ମୋ ପାଇଁ ପ୍ରଥମ ଘଟଣା ନୁହେଁ । ବାଙ୍ଗାଲୋରରେ ଟ୍ରାଫିକ ସମସ୍ୟା ଅଧିକ ଥିବାରୁ ଅନେକ ଥର ଗାଡିରୁ ଓହ୍ଲାଇ ରୋଗୀର ଚିକିତ୍ସା ପାଇଁ ଯାଇଛି ବୋଲି ସେ କହିଛନ୍ତି ।

Related Posts