
ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଲଗାଣ ବର୍ଷା ବିପର୍ଯ୍ୟୟ ସୃଷ୍ଟି କରିଛି। ସମଗ୍ର ସହର ଜଳମଗ୍ନ ହୋଇପଡ଼ିଛି । ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳ ବାସୀ। ତେବେ ଏହି ଲଗାଣ ବର୍ଷା ୨ ପୁଲିସ କନେଷ୍ଟବଳଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ହୋଇଛି। ବର୍ଷା ପାଇଁ ବିଭିନ୍ନ ସ୍ଥାନରେ ବିଜୁଳି ସରବରାହ ବନ୍ଦ ରହିଛି। ୨ ଦିନର ଲଗାଣ ବର୍ଷାରେ ରାସ୍ତାଘାଟ ପାଣିରେ ବୁଡ଼ି ରହିଥିବା ଜନସାଧାରଣ ଘୋର ହଟହଟାର ସମ୍ମୁଖୀନ ହୋଇଛି। ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଥିବା ବେଳେ ଯାତାୟତ କ୍ଷେତ୍ରରେ ସଙ୍କଟ ବଢ଼ିଚାଲିଛି। ୨ ଦିନ ଧରି ବେଙ୍ଗାଲୁରୁରେ ସ୍କୁଲ୍ ବନ୍ଦ ରହିଛି। ଅଫିସ୍ରେ ପହଞ୍ଚିବା ପାଇଁ ଲୋକଙ୍କୁ ସଂଘର୍ଷ କରିବାକୁ ପଡ଼ୁଛି। ଉଦ୍ଧାର କାର୍ଯ୍ୟ ପାଇଁ କର୍ତ୍ତୃପକ୍ଷ ମଧ୍ୟ ଟ୍ରାକ୍ଟର ବ୍ୟବହାର କରିଛନ୍ତି। ବର୍ଷା ପାଇଁ ଜଣେ ୨୩ ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଛି। ସହରତଳି ଅଞ୍ଚଳରେ ମଧ୍ୟ ବର୍ଷା ଯୋଗୁଁ ହଜାର ହଜାର ଘର କ୍ଷତିଗ୍ରସ୍ତ ହୋଇଛି।
ଅନେକ ଅଞ୍ଚଳରେ ଜରୁରୀ ସାମଗ୍ରୀ ପହଞ୍ଚୁନଥିବାରୁ ଜନ ଅସନ୍ତୋଷ ଚରମରେ ପହଞ୍ଚିଲାଣି। ସହରରେ ସବୁଠି ପାଣିର ସୁଅ ଛୁଟିଛି, କିନ୍ତୁ ଅଧିକାଂଶ ଲୋକଙ୍କ ପାଖରେ ପିଇବା ପାଣି ନାହିଁ। ପମ୍ପିଂ ଷ୍ଟେସନ୍ ବୁଡ଼ି ଯାଇଥିବାରୁ ଆଗାମୀ ୨-୩ ଦିନ ପର୍ଯ୍ୟନ୍ତ ପାନୀୟ ଜଳ ଯୋଗାଣ ବନ୍ଦ ରହିବ। ଅନ୍ୟପକ୍ଷେ ଆସନ୍ତା ସପ୍ତାହାନ୍ତ ପର୍ଯ୍ୟନ୍ତ ଉପକୂଳ ଏବଂ ଉତ୍ତର ଆଭ୍ୟନ୍ତରୀଣ କର୍ଣ୍ଣାଟକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଇଛି।
ବେଙ୍ଗାଲୁରୁ ସହର ଜଳବନ୍ଦି ସମସ୍ୟାକୁ ନେଇ ବିଜେପି-କଂଗ୍ରେସ ପରସ୍ପରକୁ ଦାୟୀ କରିଛନ୍ତି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ବେଙ୍ଗାଲୁରୁରେ ବର୍ତ୍ତମାନର ସ୍ଥିତି ପାଇଁ ପୂର୍ବ କଂଗ୍ରେସ ସରକାରକୁ ଦାୟୀ କରିଛନ୍ତି। ସାମ୍ବାଦିକଙ୍କୁ ସୂଚନା ଦେଇ ବୋମ୍ମାଇ କହିଛନ୍ତି, ବେଙ୍ଗାଲୁରୁରେ ଅପ୍ରତ୍ୟାଶିତ ବର୍ଷା ହୋଇଛି। ବିଗତ ୯୦ ବର୍ଷ ଧରି ଏଭଳି ବର୍ଷା ହେଉଛି। କିନ୍ତୁ ପୂର୍ବ କଂଗ୍ରେସ ସରକାରର ଭୁଲ୍ ଯୋଜନା ପାଇଁ ଏଭଳି ସ୍ଥିତି ଉପୁଜିଛି। କଂଗ୍ରେସ ସରକାର ସମୟର ଖରାପ ନୀତି ଓ କାର୍ଯ୍ୟ ପାଇଁ ଏହି ସ୍ଥିତି ଉପୁଜିଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ବୋମାଇଙ୍କ ବିରୋଧରେ ବର୍ଷିଛନ୍ତି କଂଗ୍ରେସର କର୍ଣ୍ଣାଟକ ସଭାପତି ଡିକେ ଶିବକୁମାର। ବର୍ତ୍ତମାନର ବିଜେପି ସରକାର ଏବଂ ଏହାର ଅଧିକାରୀମାନେ ବର୍ତ୍ତମାନ ସ୍ଥିତି ପାଇଁ ଦାୟୀ ବୋଲି ସେ କହିଛନ୍ତି।