ସିବିଆଇ ଓ ଇଡି ଭଳି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର କାର୍ଯ୍ୟାନୁଷ୍ଠାନରେ ଦୋମୁହାଁ ନୀତି ଅବଲମ୍ବନ କରୁଛି କଂଗ୍ରେସ: ଓମାର ଅବଦୁଲ୍ଲା

ନୂଆଦିଲ୍ଲୀ: ନୂଆ ଅବକାରୀ ନୀତିକୁ ନେଇ ସିବିଆଇ ରେଡରେ ଫସିଛନ୍ତି ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ତେବେ ମନୀଷ ସିସୋଦିଆଙ୍କୁ ସିବିଆଇ ଘେରିବାକୁ ନେଇ କଂଗ୍ରେସ ଆପ କୁ ଟାର୍ଗେଟ କରିଛି । ତେବେ କଂଗ୍ରେସ ର ସିବିଆଇ ଓ ଇଡି ଭଳି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର କାର୍ଯ୍ୟାନୁଷ୍ଠାନରେ ଦୋମୁହାଁ ନୀତି ଅବଲମ୍ବନ କରୁଛି ବୋଲି ଓମାର ଅବଦୁଲ୍ଲା ସର୍ବସମ୍ମୁଖରେ କହିଛନ୍ତି।

ଦିଲ୍ଲୀର ଅବକାରୀ ନୀତିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗରେ ସିବିଆଇ ସିସୋଦିଆଙ୍କ ଘର ଓ ଅଫିସରେ ରେଡ୍‌ କରିଥିଲା। ଏହାକୁ ଆଧାର କରି କଂଗ୍ରେସ ତାଙ୍କୁ ସମାଲୋଚନା କରିବା ସହ ଇସ୍ତଫା ଦାବି କରିଥିଲା। କଂଗ୍ରେସର ଏପରି ଦାବିକୁ ସମାଲୋଚନା କରିଛନ୍ତି ଅବଦୁଲ୍ଲା। ସେ କହିଛନ୍ତି, “ଏହା କେମିତି ସମ୍ଭବ? ଯେତେବେ ସିବିଆଇ/ଇଡି/ଏନଆଇଏ ଇତ୍ୟାଦି କଂଗ୍ରେସ ନେତାମାନଙ୍କ ପଛରେ ପଡ଼ନ୍ତି ସେତେବେଳେ ଏହି ସଂସ୍ଥାଗୁଡ଼ିକ ବିଜେପିର ଏଜେଣ୍ଡ ହୋଇଯାଆନ୍ତି। କିନ୍ତୁ ଯେତେବେଳେ ଆପ୍‌ ନେତାମାନଙ୍କୁ ଟାର୍ଗେଟ କରାଯାଏ ଏହି ସଂସ୍ଥାଗୁଡ଼ିକର ବିଶ୍ୱସନୀୟତା ଫେରିଆସେ। ଗୋଟିଏ ସମୟରେ ଏହି ସଂସ୍ଥାଗୁଡ଼ିକ କେମିତି ବିଶ୍ୱସନୀୟ ଓ ଅବିଶ୍ୱସନୀୟ ହୋଇପାରନ୍ତି?”

ଆଉ ଏକ ଟ୍ୱିଟରେ ଅବଦୁଲ୍ଲା କହିଛନ୍ତି, “ମୁଁ ଆପ୍‌ର ସୁବିଧାବାଦୀ ରାଜନୀତିକୁ ଅଣଦେଖା କରୁନାହିଁ। ୨୦୧୯ରେ ଜମ୍ମୁ-କଶ୍ମୀର ଏହାକୁ ଦେଖି ସାରିଛି। ତଦନ୍ତକାରୀ ସଂସ୍ଥାକୁ ନେଇ କଂଗ୍ରେସର ଦୁଇ ବିପରୀତ ଆଭିମୁଖ୍ୟକୁ ନେଇ ମୁଁ କେବଳ ପ୍ରଶ୍ନ ଉଠାଇଛି।”

ନିକଟରେ ନ୍ୟାଶନାଲ ହେରାଲ୍ଡ ମାମଲାରେ ଇଡି ସୋନିଆ ଗାନ୍ଧିଙ୍କୁ ଜେରା କରିବାରୁ କଂଗ୍ରେସ କର୍ମୀମାନେ ରାଜରାସ୍ତାରେ ବଡ଼ ବିକ୍ଷୋଭ କରିଥିଲେ। ହେଲେ ମନୀଷ ସିସୋଦିଆଙ୍କ ଘରେ ସିବିଆଇ ରେଡ୍‌ ବେଳେ କଂଗ୍ରେସ ଚୁପ ରହିବା ବିରୋଧୀଙ୍କ ଏକତା ପ୍ରତି ପ୍ରଶ୍ନ ଉଠାଇଛି। ସେହିପରି ରାହୁଲ ଗାନ୍ଧି ଓ ସୋନିଆ ଗାନ୍ଧିଙ୍କୁ ଇଡିର ଜେରା ବେଳେ ଆପ୍‌ ଏହାକୁ ନିନ୍ଦା କରି ନଥିଲେ। ତେଣୁ ଏବେ ସିସୋଦିଆଙ୍କ ଘରେ ସିବିଆଇ ରେଡକୁ ନେଇ କଂଗ୍ରେସ ତାଙ୍କ ଇସ୍ତଫା ଦାବି କରିଥିବା କୁହାଯାଉଛି।

Related Posts