ବିଜୟପୁରାରେ ଥିବା କଂଗ୍ରେସ ଅଫିସରେ ସାବରକରଙ୍କ ଏକାଧିକ ପୋଷ୍ଟର ଲଗାଇଲା ବିଜେପି

ବେଙ୍ଗାଲୁରୁ: କର୍ଣ୍ଣାଟକାରେ ସାବରକରଙ୍କ ପୋଷ୍ଟମରାକୁ ନେଇ ବିବାଦ ଦେଖାଦେଇଛି । ଶାସକ ବିଜେପି ଓ କଂଗ୍ରେସ୍ ମୁହାମୁହି ହୋଇଛନ୍ତି । ବିଜେପି ସାବରକରଙ୍କୁ ସମର୍ଥନ କରୁଥିବା ବେଳେ ସେ ଇଂରେଜମାନଙ୍କୁ କ୍ଷମା ମାଗିଥିବା ଜଣେ ବ୍ୟକ୍ତି ବୋଲି କଂଗ୍ରେସ କହିଛି। ଫଳରେ ବିବାଦ ଉଗ୍ର ରୂପ ଧାରଣ କରିଛି ।

ଏସବୁ ଭିତରେ ବିଜୟପୁରାରେ ଥିବା କଂଗ୍ରେସ ଅଫିସରେ ସାବରକରଙ୍କ ଏକାଧିକ ପୋଷ୍ଟର ଲଗାଇଛି ବିଜେପି। ଦଳର ଯୁବ ଜିଲ୍ଲା ସଭାପତି ବାସବରାଜ ହୋଗ୍ରା କଂଗ୍ରେସ ଅଫିସରେ ପୋଷ୍ଟର ଲଗାଇଥିବା କଥାକୁ ସ୍ୱୀକାର ମଧ୍ୟ କରିଛନ୍ତି।

ସେ କହିଛନ୍ତି, “ଆମ କର୍ମୀମାନେ ଓ ମୁଁ ପୋଷ୍ଟର ମାରିଛୁ। ଏଥିରେ କୌଣସି ପ୍ରକାରର ସନ୍ଦେହ ନାହିଁ। ହୁବଲିରେ କଂଗ୍ରେସ କର୍ମୀମାନେ ସାବରକରଙ୍କ ପୋଷ୍ଟର ପୋଡ଼ିଥିଲେ। ଏ ସମ୍ପର୍କରେ କଥା ହେବା ଦରକାର। କଂଗ୍ରେସ ଏହି ପ୍ରସଙ୍ଗକୁ ବାରମ୍ବାର ଉଠାଇ ବିବାଦ ସୃଷ୍ଟି କରୁଛି। ପୋଷ୍ଟର ଜଳାଇବା ଠାରୁ ପୋଷ୍ଟର ଲଗାଇବା ଆଦୌ ଖରାପ ନୁହେଁ। କଂଗ୍ରେସ ନିଜର ପ୍ରଚାର ପାଇଁ ସାବରକରଙ୍କ ବ୍ୟବହାର କରିବାକୁ ଚାହୁଁ। କଂଗ୍ରେସ ତାଙ୍କୁ ସମ୍ମାନ କରୁ। ତାଙ୍କ ସଂଘର୍ଷର କାହାଣୀ ପଢ଼ୁ।”

ରବିବାର ରାତିରେ ବିଜୟପୁରାରେ ଥିବା କଂଗ୍ରେସର ଆଞ୍ଚଳିକ ମୁଖ୍ୟାଳୟର କାନ୍ଥର ବିଭିନ୍ନ ସ୍ଥାନରେ ସାବରକରଙ୍କ ଫୋଟ ଲଗାଯାଇଥିବା ଦୃଶ୍ୟ ସାମ୍ନାକୁ ଆସିଛି। ସ୍ଥାନୀୟ ନେତାମାନେ ଏ ବିଷୟରେ ସୂଚନା ପାଇବା ପରେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଖବର ପାଇ ପୋଷ୍ଟରଗୁଡ଼ିକୁ ହଟାଇଥିଲା ଓ କଂଗ୍ରେସ ଅଫିସରେ ଏମିତି କାମ କରିଥିବା ଲୋକଙ୍କୁ ଏବେ ଖୋଜିବା ଆରମ୍ଭ କରିଛି। ତେବେ ଏହି ଘଟଣାକୁ ନେଇ ବିଜୟପୁରା ଜିଲ୍ଲାରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି। ସ୍ଥିତିକୁ ଦେଖି ପୁଲିସ୍‌ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି।

Related Posts