କଂଗ୍ରେସ ଜାରି କଲା ମେନିଫେଷ୍ଟୋ; କ୍ଷମତାକୁ ଆସିବାର ୧୦ ଦିନ ମଧ୍ୟରେ କୃଷକଙ୍କ ଋଣ ଛାଡ଼ କରିବାର ଦେଲା ପ୍ରତିଶୃତି

ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶ ନିର୍ବାଚନକୁ ଆଉ ମାତ୍ର କିଛି ଦିନ ରହିଛି । ଏହାକୁ ଦୃଷ୍ଟିରେ ରଖି ରାଜନୈତିକ ଦଳମାନେ ଚଳଚଞ୍ଚଳ ହୋଇ ଉଠିଛନ୍ତି । ବିଭିନ୍ନ ପ୍ରକାରର ସ୍କିମ ନେଇ ଲୋକଙ୍କ ପାଖକୁ ଭୋଟ ହାତେଇବା ପାଇଁ ଯାଉଛନ୍ତି । ଏହା ମଧ୍ୟରେ କଂଗ୍ରେସ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ନିଜର ମେନିଫେଷ୍ଟୋ ଜାରି କରିଛି। ଏହାକୁ ଘୋଷଣା କରି ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ ୟୁପିରେ ଆମ ସରକାର ଗଠନର ୧୦ ଦିନ ମଧ୍ୟରେ ଆମେ କୃଷକଙ୍କ ଋଣ ଛାଡ କରିବୁ। ସେପଟେ କଂଗ୍ରେସ ଏହାକୁ ଉନ୍ନତି ବିଧାନ ଜନ ମେନିଫେଷ୍ଟୋ ନାମରେ ନାମିତ କରିଛି । ମେନିଫେଷ୍ଟୋରେ ବିଦ୍ୟୁତ୍ ବିଲ୍ ଛାଡ ବ୍ୟତୀତ କରୋନା ଅବଧିରେ ପ୍ରଭାବିତ ପରିବାରକୁ ୨୫,୦୦୦ ଟଙ୍କା ପ୍ରଦାନ କରାଯିବ ବୋଲି କୁହାଯାଇଛି।

ଏହା ସହ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ ଆମେ ସାରା ରାଜ୍ୟରେ ୨୦ ଲକ୍ଷ ସରକାରୀ ଚାକିରୀ ଦେବୁ। ଏ ଖବର ସମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଅନ୍ୟପଟେ କିଛି ଦିନ ପୂର୍ବରୁ ପ୍ରିୟଙ୍କା ଗାନ୍ଧୀ ବିଜେପିର ମେନିଫେଷ୍ଟୋ ଉପରେ ପ୍ରଶ୍ନ କରିଥିଲେ ଏବଂ ଏହାକୁ ଏକ ଚିଟ୍ ସିଟ୍ ବୋଲି କହିଥିଲେ। ସେ ଏକ ଟୁଇଟରେ ଲେଖିଛନ୍ତି ଯେ ବିଜେପି ସେମାନଙ୍କର “ମେନିଫେଷ୍ଟୋ” କୁ ଚିଟ୍ ସିଟ୍ ବୋଲି କହିବା ଉଚିତ୍। ଏହା ସହ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ ଏହି ସରକାର ୫ ବର୍ଷର କାର୍ଯ୍ୟର ହିସାବ ଦେଇ ନାହାଁନ୍ତି କିମ୍ବା ଭବିଷ୍ୟତ ଗଠନ ପାଇଁ ଏହାର କୌଣସି ଦର୍ଶନ ନାହିଁ। ସେଥିପାଇଁ କଂଗ୍ରେସର ପ୍ରତିଶ୍ରୁତିଗୁଡ଼ିକର କପି-ପେଷ୍ଟ କରି କାର୍ଯ୍ୟ କରୁଛନ୍ତି ବୋଲି ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ।

Related Posts