ଦଳର ବିପର୍ଯ୍ୟୟ ନେଇ ଆସନ୍ତାକାଲି ସମୀକ୍ଷା ବୈଠକ

ସତ୍ୟପାଠ ବ୍ୟୁରୋ : ଆସନ୍ତାକାଲି ପୁଣି ବସିବ ରାଜ୍ୟ କଂଗ୍ରେସର ସମୀକ୍ଷା ବୈଠକ । ଏହି ବୈଠକରେ ଦଳର ବିପର୍ଯ୍ୟୟ ପ୍ରସଙ୍ଗରେ ସମୀକ୍ଷା ହେବା । ବରିଷ୍ଠ ବିଧାୟକ ନରସିଂହ ମିଶ୍ର ଏଥିରେ ଅଧ୍ୟକ୍ଷତା କରିବେ । ଏହି ବୈଠକରେ ନିର୍ବାଚନ ପରାଜୟ ନେଇ କାରଣ ଖୋଜାଯିବ ।

ଅନେକ ଆସନରେ ଦଳୀୟ ପ୍ରାର୍ଥୀ ୨୦ ପ୍ରତିଶତରୁ କମ୍ ଭୋଟ ପାଇ ଅମାନତ ହରାଇଛନ୍ତି ।ଦଳର ବିପର୍ଯ୍ୟୟ ନେଇ ଗଠିତ ୨୧ ଜଣିଆ କମିଟି ଆସନ୍ତାକାଲି ବୈଠକରେ ରିପୋର୍ଟ ପ୍ରସ୍ତୁତ କରିବେ । ଖୁବଶୀଘ୍ର ଉକ୍ତ ରିପୋର୍ଟ କେନ୍ଦ୍ରୀୟ ନେତୃତ୍ୱକୁ ପଠାଯିବ । ତେବେ ପ୍ରାୟ ସବୁ ଆସନରେ କଂଗ୍ରେସର ଖରାପ ଅବସ୍ଥା ପାଇଁ ଦଳୀୟ ଅର୍ନ୍ତଦ୍ୱନ୍ଦ ଓ କିଛି ନେତାଙ୍କ ଆତ୍ମଘାତୀ କାର୍ଯ୍ୟ ଦାୟୀ ବୋଲି ବିଭିନ୍ନ ନେତା ଖୋଲାଖୋଲି କହୁଛନ୍ତି ।

ଏପରିକି ଗୋଟିଏ ଦିନ ପୂର୍ବରୁ ସୁନ୍ଦରଗଡ ସାଂସଦ ପ୍ରାର୍ଥୀ ଜର୍ଜ ତିର୍କୀ ତାଙ୍କ ପରାଜୟ ପାଇଁ ପିସିସି ଓ ଡିସିସିର ବରିଷ୍ଠ ନେତାଙ୍କ ଷଡଯନ୍ତ୍ର କରିଥିବା ଅଭିଯୋଗ କରିଥିଲେ । ଏମିତିରେ ପୂର୍ବରୁ ବରିଷ୍ଠ ନେତା ହେମାନନ୍ଦ ବିଶ୍ୱାଳ ଓ କାହ୍ନୁ ଲେଙ୍କାଙ୍କ ମଧ୍ୟରେ ଦଳର ପ୍ରଦର୍ଶନକୁ ନେଇ କଥା କଟାକଟି ହୋଇଥିଲା । ତେବେ ଏନେଇ ଗଠିତ ୨୧ଜଣିଆ କମିଟି କଣ ରିପୋର୍ଟ ଦେଉଛି ତାହା ସମସ୍ତଙ୍କ ଉକ୍ରଣ୍ଠା ବଢ଼ାଇଛି ।

ଏହି ଅବସରରେ କଂଗ୍ରେସ ବିଧାୟକ ଦଳ ନେତା ବଛାଯାଇପାରେ । ବରିଷ୍ଠ ବିଧାୟକ ନରସିଂହ ମିଶ୍ରଙ୍କୁ ଦଳର ବିଧାୟକ ଦଳ ନେତା ଭାବେ ମନୋନୀତ କରାଯାଇପାରେ ।

Related Posts