କେନ୍ଦ୍ର ସରକାରଙ୍କ କୋଓ୍ୱିନ୍ ଆପ୍ କୁ ପ୍ରଶଂସା କଲେ କଂଗ୍ରେସ ସାଂସଦ ଶଶୀ ଥରୁର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ କାର୍ଯ୍ୟକୁ ପ୍ରଶଂସା କଲେ କଂଗ୍ରେସ ସାଂସଦ ଶଶୀ ଥରୁର । ଯେଉଁ କୋଓ୍ୱିନ୍ ଆପକୁ ନେଇ ଶଶୀ ଥରୁର ପୂର୍ବରୁ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରୁଥିଲେ। ଏବେ ସେହି କୋଓ୍ୱିନ ଆପର ଏକ ଫିଚରକୁ ନେଇ ସେ ସରକାରଙ୍କୁ ପ୍ରଶଂସା କରିଛନ୍ତି। ଥରୁର ଟ୍ବିଟ୍ କରି କହିଛନ୍ତି, ହ୍ୱାଟସଆପ ଜରିଆରେ କୋଓ୍ୱିନର ଟିକାକରଣ ସାର୍ଟିଫିକେଟ ମିଳୁଛି। ଏଭଳି ସୁବିଧା ପ୍ରଶଂସନୀୟ ।”

ଦେଶରେ ଟିକାକରଣ କ୍ଷେତ୍ରରେ କୋଓ୍ୱିନ ଆପର ସବୁଠାରୁ ଭଲ ଉପଯୋଗ ହେଉଛି। ଏହି ଆପ୍ ଜରିଆରେ ଟିକା ବୁକିଂ ପାଖରୁ ଆରମ୍ଭ କରି, ଟିକାକରଣର ସାର୍ଟିଫିକେଟ ଏବଂ ଅନ୍ୟାନ୍ୟ ସୁବିଧା ମଧ୍ୟ ରହୁଛି। ଏଣିକି ହ୍ୱାଟସଆପରେ ମେସେଜ କରି ନିଜ ଟିକାକରଣର ପ୍ରମାଣପତ୍ର ବା ସାର୍ଟିଫିକେଟ ପାଇପାରିବେ। କଂଗ୍ରେସ ସାଂସଦ ଶଶୀ ଥରୁରଙ୍କୁ ଏହି ଫିଚର ବହୁତ ପସନ୍ଦ ଆସିଛି ବୋଲି ସେ କହିଛନ୍ତି। ଯେଉଁ ବ୍ୟକ୍ତି ଟିକା ନେଇଛନ୍ତି ସେ ତାଙ୍କର ଟିକା ପ୍ରମାଣପତ୍ର ପାଇବାକୁ ହେଲେ download certificate ଲେଖି 9013151515କୁ ହ୍ୱାଟସଆପରେ ପଠାଇବାକୁ ହେବ।

ଏହାପରେ ଏକ ଓଟିପି ଆସିବ। ଓଟିପି ପରେ ଟିକାକରଣର ସାର୍ଟିଫିକେଟ ବା ପ୍ରମଣାପତ୍ର ଆସିବ। ତେବେ ସାମ୍ପ୍ରତିକ ରାଜନୈତିକ ସ୍ଥିତିରେ ଶଶୀ ଥରୁର ପ୍ରଶଂସା କରିବା ଏକ ବିରଳ ଘଟଣା। ଏବେର ରାଜନୀତିରେ ବହୁତ୍ କମ୍ ଘଟଣା ଦେଖିବାକୁ ମିଳେ ଯେଉଁଠି ବିରୋଧୀ ସରକାରଙ୍କୁ ପ୍ରଶଂସା କରିଥିବେ ଏବଂ ସରକାର ବିରୋଧୀଙ୍କୁ।

Related Posts