କଂଗ୍ରେସ ଶାସିତ ରାଜ୍ୟ ଗୁଡ଼ିକ କେନ୍ଦ୍ରସରକାରଙ୍କ ଦ୍ଵାରା ଦିଆ ଯାଇଥିବା ଭେଣ୍ଟିଲେଟର ବ୍ୟବହାର କରୁନାହାଁନ୍ତି: କେନ୍ଦ୍ର ଆଇନମନ୍ତ୍ରୀ

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ସାରା ଦେଶରେ ମହାମାରୀ କରୋନା ତାର ତାଣ୍ଡବ ମଚାଇ ଚାଲିଛି । ଏପରି ମୁହୁର୍ତ୍ତରେ କେନ୍ଦ୍ର ଆଇନମନ୍ତ୍ରୀ ରବି ଶଙ୍କର ପ୍ରସାଦ କଂଗ୍ରେସ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ତେବେ କଂଗ୍ରେସ ଶାସିତ ରାଜ୍ୟମାନେ ଜାଣିଶୁଣି ପିଏମ କେୟାର ପାଣ୍ଠି ଅଧୀନରେ ଦିଆଯାଇଥିବା ଭେଣ୍ଟିଲେଟରକୁ ବ୍ୟବହାର କରୁନାହାଁନ୍ତି ବୋଲି ସଂଗିନ ଅଭିଯୋଗ ଆଣିଛନ୍ତି । କେବଳ ଏତିକି ନୁହେଁ ବରଂ କେନ୍ଦ୍ର ଆଇନମନ୍ତ୍ରୀ ଏହାକୁ ବିରୋଧ କରି ଟ୍ୟୁଟରେ #CongressToolkitExposed ବୋଲି ଲେଖି ଟ୍ରେଣ୍ଡ କରାଇଥିଲେ । ଦେଶ ମହାମାରୀ ସହ ଲଢେଇ କରୁଥିବା ବେଳେ କଂଗ୍ରେସ ଦଳର ଏପରି କାମକୁ ନିନ୍ଦା କରିଛନ୍ତି କେନ୍ଦ୍ର ଆଇନମନ୍ତ୍ରୀ । ଏହା ସହ ସେ ଟ୍ୟୁଟରେ ଲେଖିଛନ୍ତି, କଂଗ୍ରେସ ପାର୍ଟି ସହିତ କ’ଣ ହୋଇଛି? ଏହି ମହାମାରୀ ସମୟରେ ଦେଶର ସମସ୍ତଙ୍କୁ ଏକାଠି କାମ କରିବା ଏବଂ ନାଗରିକମାନଙ୍କୁ ରିଲିଫ୍ ଯୋଗାଇବା ଆବଶ୍ୟକ ରହିଛି । ଠିକ୍ ସେହି ସମୟରେ କଂଗ୍ରେସ କେବଳ ମିଥ୍ୟା ଉପରେ ଆଧାରିତ ଭୁଲ ତଥ୍ୟର ପ୍ରଚାର ପ୍ରସାର ପାଇଁ ଚିନ୍ତା କରୁଛି ।

ଏହା ସହ କଂଗ୍ରେସ ଶାସିତ ରାଜ୍ୟମାନଙ୍କରେ କାହିଁକି ପିଏମ କେୟାର ପାଣ୍ଠି ଅଧୀନରେ ଦିଆଯାଇଥିବା ଭେଣ୍ଟିଲେଟରକୁ ବ୍ୟବହାର କରୁନାହାଁନ୍ତି ବୋଲି ପ୍ରଶ୍ନ କରିଛନ୍ତି । ତେବେ ଏପରି କରି କଂଗ୍ରେସ ଦଳ ତାର ପ୍ରକୃତ ରଙ୍ଗ ଏବଂ ଚରିତ୍ରକୁ ପ୍ରତିଫଳିତ କରିବା ସହ ସାମ୍ପ୍ରଦାୟିକତା ସୃଷ୍ଟି କରୁଛି ବୋଲି କେନ୍ଦ୍ର ଆଇନ ମନ୍ତ୍ରୀ ତାଙ୍କ ଟ୍ୟୁଟର ପୋଷ୍ଟରେ ଉଲ୍ଲେଖ କରିଛନ୍ତି । ଅନ୍ୟପଟେ ସାମ୍ପ୍ରଦାୟିକ ଅସହଯୋଗ ତଥା ନାଗରିକ ଅଶାନ୍ତି ସୃଷ୍ଟି କରିବା ଉଦ୍ଦେଶ୍ୟରେ ମିଥ୍ୟା ଖବର ତଥା ନକଲି ଦସ୍ତାବିଜ ପ୍ରଚାର କରିଥିବା ଦର୍ଶାଇ କଂଗ୍ରେସ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିଛି । ତେବେ ବିଜେପି ସଭାପତି ଜେପି ନାଡା, କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ, ବିଜେପି ରାଷ୍ଟ୍ରୀୟ ନାଗରିକଙ୍କ ବିରୋଧରେ ଏଫଆଇଆର ଦାଖଲ କରିବାକୁ ଜାତୀୟ କଂଗ୍ରେସ ଦିଲ୍ଲୀ ପୋଲିସ କମିଶନରଙ୍କୁ ଅନୁରୋଧ କରିଛି।

Related Posts