କରୋନାରେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ପାହାଡିଆଙ୍କ ପରଲୋକ : ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ପାହାଡିଆଙ୍କ ବୁଧବାର ବିଳମ୍ବିତ ରାତିରେ ପରଲୋକ ଘଟିଛି। କିଛି ଦିନ ପୂର୍ବରୁ ଜଗନ୍ନାଥ ପାହାଡିଆ କୋଭିଡ୍ ଆକ୍ରାନ୍ତ ହୋଇ ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଗତକାଲି ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ହୋଇଥିଲା। ଆଜି ରାଷ୍ଟ୍ରୀୟ ସମ୍ମାନ ସହ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ତାଙ୍କ ମୃତ୍ୟୁକୁ ନେଇ ରାଜ୍ୟ ସରକାର ଗୋଟିଏ ଦିନ ପାଇଁ ରାଜ୍ୟ ଶୋକର ଘୋଷଣା କରିଛନ୍ତି। ଆଜି ରାଜସ୍ଥାନର ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପରଲୋକରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ୍ ଶୋକ ପ୍ରକାଶ କରିଛନ୍ତି।

ସେ ଟୁଇଟ୍ କରି କହିଛନ୍ତି, ‘ପୂର୍ବତନ ରାଜ୍ୟ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ପାହାଡିଆଙ୍କ ଦେହାନ୍ତ ଖବର ଅତ୍ୟନ୍ତ ଦୁଃଖଦାୟକ। ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ତଥା କେନ୍ଦ୍ର ମନ୍ତ୍ରୀ ଭାବରେ ଦୀର୍ଘ ଦିନ ଧରି ଦେଶ ସେବା କରିଥିଲେ, ସେ ଦେଶର ବରିଷ୍ଠ ନେତାଙ୍କ ମଧ୍ୟରେ ଥିଲେ। ‘ସେ ଆହୁରି ଲେଖିଛନ୍ତି, ‘ଆରମ୍ଭରୁ ତାଙ୍କର ମୋ ପ୍ରତି ବହୁତ ଭଲପାଇବା ଥିଲା, ତାଙ୍କ ବିୟୋଗ ଯୋଗୁଁ ମୋର ବ୍ୟକ୍ତିଗତ କ୍ଷତି ହୋଇଛି।’ ଜଗନ୍ନାଥ ପାହାଡିଆ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଶାସନ କାଳରେ କେନ୍ଦ୍ର ମନ୍ତ୍ରୀ ଥିଲେ। ବିହାର ଓ ହରିୟାଣାର ରାଜ୍ୟପାଳ ଭାବେ ମଧ୍ୟ ସେ ଦାୟିତ୍ୱ ତୁଲାଇଛନ୍ତି। ୧୯୮୦ ଜୁନ ୬ ରୁ ୩୦ ଜୁଲାଇ ୧୯୮୨ ପର୍ଯ୍ୟନ୍ତ ସେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଥିଲେ।

Related Posts