୮ ଦିନ ବିତିଲାଣି, ‘କାଳିଆ’ କାର୍ଯ୍ୟକ୍ରମକୁ ଯାଇ ଘରକୁ ଫେରି ନାହାନ୍ତି ଚାଷୀ, କାନ୍ଦୁଛନ୍ତି ପରିବାର ଲୋକେ

କନ୍ଧମାଳରୁ ଆସିଥିଲେ ପୁରୀ ମୁଖ୍ୟମନ୍ତ୍ରୀଙ୍କ ‘କାଳିଆ’ ଯୋଜନାର କାର୍ଯ୍ୟକ୍ରମରେ ଯୋଗ ଦେବାକୁ । ୟା ଭିତରେ 8 ଦିନ ବିତିଲାଣି କିନ୍ତୁ ଘରକୁ ଫେରିନାହାନ୍ତି କନ୍ଧମାଳ ତୁମୁଡ଼ିବନ୍ଧ ବ୍ଲକ୍‌ ବିଲମାଳ ପଞ୍ଚାୟତ ଓଡ଼ିଆ ସାହିର ଚାଷୀ ଲିଙ୍ଗରାଜ ଗଉଁତିଆ । ପରିବାର ଲୋକେ କାନ୍ଦି କାନ୍ଦି ନୟାନ୍ତ ହେଉଥିଲେ ବି ନିଖୋଜ ଚାଷୀଙ୍କୁ ଖୋଜିବାରେ ପ୍ରଶାସନ କୌଣସି ଉଦ୍ୟମ କରୁ ନଥିବା ଅଭିଯୋଗ ହୋଇଛି ।

ଚଳିତ ମାସ 24 ତାରିଖରେ ପୁରୀଠାରେ ଆୟୋଜିତ ହୋଇଥିଲା ରାଜ୍ୟ ସରକାରଙ୍କ ବହୁ ପ୍ରଚାରିତ ‘କାଳିଆ’ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ । ଏଥିରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ପ୍ରାୟ ସବୁ ଜିଲ୍ଲାରୁ ଚାଷୀଙ୍କୁ ପୁରୀକୁ ଅଣାଯାଇଥିଲା । କନ୍ଧମାଳ ଜିଲ୍ଲାରୁ ମଧ୍ୟ ଶତାଧିକ ଚାଷୀଙ୍କୁ ଅଣାଯାଇଥିଲା । ଏମାନଙ୍କ ଭିତରେ ଥିଲେ ଲିଙ୍ଗରାଜ । ଅନ୍ୟମାନେ ଘରକୁ ଫେରିଥିବାବେଳେ 8 ଦିନ ବିତିଲାଣି ଲିଙ୍ଗରାଜଙ୍କର କିନ୍ତୁ କୌଣସି ଖୋଜ ଖବର ନାହିଁ ।

ଏ ଖବର ଆସିବା ପରେ କନ୍ଧମାଳରୁ ପୁରୀ ଯାଇଥିବା ଅନ୍ୟ କେତେକ ଚାଷୀ ଅଭିଯୋଗ କରିଛନ୍ତି ଯେ ଚାଷୀଙ୍କୁ ଠିକ୍‌ ଭାବେ ନେବା ଆଣିବା ପାଇଁ ସରକାରୀ ନିର୍ଦ୍ଦେଶ ଥିଲେ ବି ଦାୟିତ୍ୱରେ ଥିବା ଅଧିକାରୀମାନେ ଠିକ୍‌ ଭାବେ କୌଣସି କାମ କରୁ ନଥିଲେ ।

ଏବେ ଲିଙ୍ଗରାଜ ନିଖୋଜ ହେବା ନେଇ ତାଙ୍କ ଅଞ୍ଚଳର କେତେକ ବ୍ୟକ୍ତି ଖୋଜା ଖୋଜି କରିବା ସହ ସୋସିଆଲ ମିଡିଆରେ ଏଭଳି ଲୋକଙ୍କୁ ଦେଖିଲେ ସୂଚନା ଦେବାକୁ ଅନୁରୋଧ କରିଛନ୍ତି । ଅନ୍ୟପଟେ ପ୍ରଶାସନ ପକ୍ଷରୁ ଲିଙ୍ଗରାଜଙ୍କୁ ଖୋଜିବା ନେଇ କୌଣସି ପଦକ୍ଷେପ ନିଆଯାଉନାହିଁ । ପରିବାର ଲୋକେ ଏବେ କଣ କରିବେ ସେ ନେଇ ଉପାୟ ପାଉ ନାହାନ୍ତି ।

Related Posts