ହୁସିଆର୍ ଦଳଭାଇ !

ଏମିତି କ୍ବଚିତ ହୁଏ, ରାଜନୀତିରେ ଖୁବ ବିରଳ ହୁଏ ଯେତେବେଳେ ରାଜନୀତିର ଦୁଇ ଘୋର ବିରୋଧୀ ବିନ୍ଦୁ କୈଣସି ବ୍ୟକ୍ତି କିମ୍ବା ବିଷୟରେ ଏକମତ ହୋଇଯାନ୍ତି । କିନ୍ତୁ ବେଳେ ବେଳେ ଏମିତି କିଛି ହୁଏ ଯାହା ଜଣେ ରାଜନୈତିକ ସମୀକ୍ଷକ କୁ ଏହା ଭାବିବାକୁ ବାଧ୍ୟ କରେ ଯେ, ପ୍ରକୃତରେ ଯାହା ଦେଖାଯାଉଛି ସତ ତାଠାରୁ ଢେର ଅଲଗା । ପରଦା ପଛର କଥା ଆଉ କିଛି ବୟାନ କରେ ।

ରାଜ୍ୟସଭା ପାଇଁ ଅଶ୍ବିନୀ ବୈଷ୍ଣବ ଙ୍କ ନାମ ସେଇଭଳି କିଛି ପ୍ରଶ୍ନ ଉଠାଇଛି । ନିକଟ ଅତୀତ ରାଜନୈତିକ ଇତିହାସ ରେ ଏମିତି ଖୁବ କମ ଉଦାହରଣ ମିଳିବ ଯେତେବେଳେ ଜଣେ ପ୍ରାର୍ଥୀଙ୍କ ଉପରେ ଦୁଇଟା ଦଳ ନିଜ ଦାବିଦାରି ରଖିବେ । କିନ୍ତୁ ଅଶ୍ୱିନୀ ଙ୍କ ମାମଲାରେ ସେମିତି ହେଇଛି । ତାଙ୍କ ନାମ ବିଜେଡି ଓ ବିଜେପି ଉଭୟ ରାଜ୍ୟସଭି ପାଇଁ ଘୋଷଣା କରିଦେଲେ । ବିଜେପି ତାଙ୍କୁ ନିଜର ବୋଲି ଦାବି କଲା । ବିଜେଡି କହିଲା ସେ ଆମ ପ୍ରାର୍ଥୀ । ଅଶ୍ବିନୀ ଙ୍କ ପାଇଁ ଦୁଇ ଦଳର ଏଈ ଅବୁଝା ପ୍ରେମର ଇକ୍ବେସନକୁ ଓଡ଼ିଆ ବୁଝିବାରେ ବିଫଳ ହେବା ପରେ ସିଏମ ଆଗକୁ ଆସିଲେ । କହିଲେ ପିଏମ ଓ ଅମିତ ଶାହ ଫୋନ କରିଥିଲେ । ତେଣୁ ଆମେ ଅଶ୍ବିନୀ ଙ୍କୁ ସମର୍ଥନ କରିବୁ । ଏବେ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଚିତ୍ର ଯେତିକି ସ୍ପଷ୍ଟ କରୁଛି ସେତିକି ଗୋଳିଆ କରୁଛି । କେମିତି ?

ଆଛା ନଜର ପକାନ୍ତୁ ବିଜେଡି ଓ ନବୀନଙ୍କ ରାଜନୈତିକ ବିଚାରଧାରା ଉପରେ । ଦୁଇଟି ବକ୍ୟ ନବୀନଙ୍କ ପ୍ରିୟ । କେନ୍ଦ୍ର ଅବହେଳା ଓ ସମଦୂରତା । ନବୀନ ସବୁବେଳେ କେନ୍ଦ୍ର ଅବହେଳା କଥା ଘୋଷନ୍ତି । ବିଜେପି ଓ କଂଗ୍ରେସ ଠାରୁ ସମାନ ଦୂରତା କଥା କୁହନ୍ତି । କିନ୍ତୁ ଅଶ୍ବିନୀ ମାମଲାରେ ସେ ସମଦୂରତା ଥିଓରୀକୁ ଭୁଲିଗଲେ । ପିଏମ ଓ ଶାହଙ୍କ ଗୋଟିଏ କଲ ତାଙ୍କୁ ଅଶ୍ବିନୀ ପଛରେ ଛିଡା କରାଇଲା । ମନେ ରଖନ୍ତୁ ଇଏ ସେହି ଶାହ ଯିଏ ନବୀନଙ୍କ ସରକାରକୁ କିଛିଦିନ ତଳ ପର୍ଯ୍ୟନ୍ତ ପୋଡା ଟ୍ରନସଫର୍ମର କହୁଥିଲେ । ଚିଟ୍ ଫଣ୍ଡ୍ ଚୋରି କଥାବି କହୁଥିଲେ । ଆଉ ଏବେ ସେ ଦେଶର ଗୃହମନ୍ତ୍ରୀ । ମାନେ ସିବିଆଇ ତାଙ୍କ କଣ୍ଟ୍ରୋଲ ରେ । ଚିଟଫଣ୍ଡ ମାମଲାର ଛିଟା ନବୀନ ଙ୍କ ନିୟର ଆଣ୍ଡ ଡିୟରଙ୍କ ଉପରେ ପଡିଛି । ସିବିଆଇ ଏହି ମାମଲାକୁ ନେଇ ବେଳେ ବେଳେ ନିଦ୍ରା ତ୍ୟାଗ କରି ଆକ୍ଟିଭ ମୋଡକୁ ଆସେ । ତେବେ କଣ ସିବିଆଇକୁ ସ୍ଲିପମୋଡକୁ ଯିବାକୁ ଦେବା ବଦଳରେ ଅଶ୍ବିନୀ ଙ୍କୁ ସମର୍ଥନ ?

ପ୍ରଶ୍ନ ତ ଉଠିବ । କାରଣ ନବୀନଙ୍କ ସମଦୂରତା ଏବେ ସ୍ବାର୍ଥ ସମର୍ଥନର ରୂପ ନେଲାଣି । ବିଜେପି ରାଜ୍ୟସଭାର ଗଣିତ ଏପଟ ସେପଟ କରିବା ମିଶନମୋଡରେ ଅଛି । ଅଶ୍ବିନୀ ଙ୍କ ପ୍ରାର୍ଥିତ୍ବକୁ ଗତ ଦୁଇଦିନର ରାଜନୈତିକ ଘଟଣାକ୍ରମ ସହ ଯୋଡନ୍ତୁ । ହୁଏତ କିଛିଟା ଚିତ୍ର ସ୍ପଷ୍ଟ ହେବ । ଚନ୍ଦ୍ରାବାବୁ ଆମେରିକାରେ । ଏପଟେ ତାଙ୍କ ଦଳର ଚାରିଜଣ ରାଜ୍ୟସଭା ସାଂସଦ ବିଜେପି କାନି ଟରିଲେଣି । ଆଉ ସେଇ ଚାରିଜଣଙ୍କ ଭିତରୁ ଦୁଇଙ୍କ ବିପି ବଢାଉଥିଲେ, Ed,IT, ଇତ୍ୟାଦି । ସାମ,ଦାନ,ଦଣ୍ଡ, ଭେଦ ଆପ୍ଲାଏ କରି ବିଜେପି ଚାଣକ୍ୟ ରାଜ୍ୟସଭାର ଅଙ୍କ ଓଲଟାଇବା ଚକ୍କର ରେ ଅଛନ୍ତି । ଚନ୍ଦ୍ରାବାବୁଙ୍କ ଚାରି ଯଦି ଶିକାର ତେବେ ଅଶ୍ବିନୀ ନବୀନଙ୍କ ସମର୍ଥନରେ ଉପହାର ।

ରାଜନୈତିକ ସମଦୂରତା ଅପେକ୍ଷା ନବୀନ ଲାଗୁଛି ସିବିଆଇଠାରୁ ସମାନ ଓ ସୁରକ୍ଷିତ ଦୁରତା ମେଣ୍ଟେନ କରିବାକୁ ଚାହୁଁଛନ୍ତି । ନହେଲେ ଅଶ୍ବିନୀ ଙ୍କୁ ସମର୍ଥନର ଆଉ ଗୋଟେ କାରଣ ହେଲା ତାଙ୍କ ବ୍ୟାକଗ୍ରାଉଣ୍ଡ । ବାଜପେୟୀଙ୍କ ସହ ତା୍କ ନିକଟତାକୁ ଭୁଲିଯାନ୍ତୁ । କାରଣ ବାଜପେୟୀ ଓ ତାଙ୍କ ଅମଳ ନେତା ବିଜେପି ପାଇଁ କେବଳ ମାର୍ଗ ଦର୍ଶକ ହୋଇପାରିବେ । ରାଜନୈତିକ ଆସେଟ ନୁହେଁ । ତେବେ କଣ ପାଇଁ ଉଭୟ ବିଜେପି ଓ ବିଜେଡି ଅଶ୍ବିନୀ ଙ୍କୁ ନେଇ ଦୋ ଦିଲ ମିଳ ରହେ ମୋଡ୍ ରେ ? ଉତ୍ତର ହେଲା ଅଶ୍ବିନୀ ଖାଲି ପୂର୍ବତନ ଆଇଏସ ନୁହନ୍ତି । ସେ ମଧ୍ୟ କିଛି ଘରୋଇ କମ୍ପାନୀ ର ମ୍ୟାନେଜମେଣ୍ଟ ରେ ସାମିଲ ଅଛନ୍ତି । ଯାହା ଭିତରୁ ଦୁଇଟି ଖଣି ରାଜ୍ୟ ଭାବେ ଓଡ଼ିଶା ପାଇଁ ଗୁରୁତ୍ବ ରଖେ । ଗୋଟେ ହେଲା ତ୍ରୀବେଣୀ ପ୍ୟାଲେଟ ଲିମିଟେଡ଼ ଓ ଆରଟି ହେଲା ବ୍ରାହ୍ମଣୀ ରିଭର ପ୍ୟାଲେଟ । ଏବେ କିଛି ବୁଝିପାରିଲେ କି ? ବିଜେଡି ଓ ନବୀନ ସରକାରଙ୍କ ଖଣି ଚରିତ୍ର ପାଞ୍ଜିକା ବେସ ଖରାପ । ତେବେ କଣ ଦୁଇ ଦଳ ଖଣି ଲବିର ଚାପରେ ଓଡ଼ିଆ କୁ ନପଠାଇ ଅଣ ଓଡ଼ିଆ ଙ୍କୁ ପଠାଉଛନ୍ତି ?

ଆଉ ରହିଲା ଫୋନ କଲ କଥା । କେନ୍ଦ୍ର ଅବହେଳା ରାଗ ଗାୟନ କରୁଥିବା ନବୀନ ବାବୁ କହି ପାରିବେ କି , କେତେଥର ପିଏମ ଓ ଶାହ ତାଙ୍କୁ ଏମିତି ରାଜ୍ୟ ସ୍ବାର୍ଥ ପାଇଁ କଲ କରିଛନ୍ତି ? ଏଇଟା ସ୍ପଷ୍ଟ ଯେ, ଏ ପାଳି ପୌନବୀନଙ୍କ ଶେଷ ଇନିଂସ । ଶେଷ ଇନିଂସରେ ନବୀନ କଣ ସମଦୂରତାକୁ ସମାଧି ଦେଇ ସିବିଆଇ, ଇଡିଠାରୁ ସମାନ ଦୂରତା ରକ୍ଷା କରିବା ଚାହାଁନ୍ତି ? ଅଶ୍ବିନୀ ଙ୍କ ପ୍ରାର୍ଥିତ୍ବ ସେଇଭଳି ଆଶଙ୍କାକୁ ଜନ୍ମ ଦେଉଛି । ହୁଏତ ନବୀନ ଆଗକୁ ମୋଦି ଆଣ୍ଡ କୋ କୁ ସତର୍ଥନ ଦେଇ ଶାନ୍ତି କିଣିବେ । ତେବେ ମିଲିୟନ ଡଲାର ପ୍ରଶ୍ନ ହେଲା ଏହି ବଦଳୁଥିବା ସମୀକରଣ ଭିତରେ ରାଜ୍ୟ ବିଜେପି କଣ କରିବ ଓ କେମିତି ରଣନୀତି ତିଆରି କରିବ । କାରଣ ପୋଡା ଟ୍ରାନ୍ସଫର୍ମର ତ ରାଜନୈତିକ ବିକାଶ ଫିଡ୍ ଲାଇନକୁ ନିହାତି ପ୍ରଭାବିତ କରିବ ।

Related Posts