ଦିନକୁ କେତେ ହେଉଛି ଦୁଷ୍କର୍ମ , ହିସାବ ଦେଲେ ତାରା

ସତ୍ୟପାଠ ବ୍ୟୁରୋ : ଭୁବନେଶ୍ୱରରେ ଆଶ୍ରମ ସ୍କୁଲରେ ନାବାଳିକା ଛାତ୍ରୀ ଗର୍ଭବତୀ ହେବା ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି କଂଗ୍ରେସ । ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ସରକାରକୁ ଘେରିଛି ଦଳ । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ କିମ୍ବା ସରକାର ବିବୃତି ରଖିବାକୁ ଦାବୀ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । କିନ୍ତୁ ବିଧାୟକ ତାରା ପ୍ରସାଦ ବାହିନୀ ପତି ଏହି ଘଟଣାରେ ଦିନକୁ କେତେ ଦୁଷ୍କର୍ମ ହେଉଛି ତାହାର କଡା ଗଣ୍ଡା ହିସାବ ରଖିଛନ୍ତି ।

ତାରା କହିଛନ୍ତି, ଓଡିଶାରେ ପ୍ରତିଦିନ ୭ଟି ଦୁଷ୍କର୍ମ ହେଉଛି କିନ୍ତୁ ବର୍ଷକୁ ମାତ୍ର ଜଣେ ଦୁଷ୍କର୍ମକାରୀ ଦଣ୍ଡ ପାଉଛି । ଫଳରେ ରାଜ୍ୟରେ ଦୁଷ୍କର୍ମକାରୀମାନେ ଭୟଭୀତ ହେବା ବଦଳରେ ଅଧିକ ମାତ୍ରାରେ ଦୁଷ୍କର୍ମ କରି ଚାଲିଛନ୍ତି । ବିଜେଡି ସରକାରରେ ନାବାଳିକା ଅସୁରକ୍ଷିତ ବୋଲି କହିଛନ୍ତି ତାରା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମା’ମାନଙ୍କୁ ସମ୍ମାନ ଆଉ ଏସଏଚଜି ମହିଳାଙ୍କୁ ନିଯୁକ୍ତି ବାରମ୍ବାର ସ୍ଲୋଗାନ ଦେଉଛନ୍ତି, କିନ୍ତୁ ଯେଉଁ ରାଜ୍ୟରେ ନାବାଳିକାମାନେ ଅସୁରକ୍ଷିତ ସେଠି ଏଭଳି ସ୍ଲୋଗାନ୍ କେବଳ ପ୍ରହସନ ।

ରାଜଧାନୀର ଛାତ୍ରୀନିବାସରେ ୪ ଜଣ ନାବାଳିକା ଗର୍ଭବତୀ ହେବା ନବୀନ ସରକାରଙ୍କ ଶାସନ କାର‌୍ୟ୍ୟକାରିତା ଉପରେ ପ୍ରଶ୍ନ ଉଠାଇଛି । କେବଳ ରାଜଧାନୀ ନୁହେଁ ରାଜ୍ୟର ନବରଙ୍ଗପୁର, କନ୍ଧମାଳ, ମାଲକାନଗିରି ଏବଂ କୋରାପୁଟ ଭଳି ବିଭିନ୍ନ ଜିଲ୍ଲାରେ ଶହ ଶହ ନାବାଳିକା ଦୁଷ୍ମର୍କର ଶିକାର ହେଉଛନ୍ତି ଆଉ ଗର୍ଭବତୀ ହେଉଛନ୍ତି । ଏହା କ’ଣ ରାଜ୍ୟ ସରକାରଙ୍କ ମହିଳାଙ୍କୁ ସମ୍ମାନ ବୋଲି ପ୍ରଶ୍ନ କରିଛନ୍ତି ତାରା? ତେଣୁ ଏଭଳି ଜଘନ୍ୟ କାଣ୍ଡ ଭିଆଉଥିବା ଦୋଷୀମାନଙ୍କ ବିରୋଧରେ କଠୋର କାର‌୍ୟ୍ୟନୁଷ୍ଠାନ ଗ୍ରହଣ କରିବାକୁ ବିଧାନସଭାରେ ଦାବି କରି ବାଚସ୍ପତିଙ୍କୁ ଅବଗତ କରାଇଛି କଂଗ୍ରେସ ବୋଲି କହିଛନ୍ତି ତାରାପ୍ରସାଦ ବାହିନୀପତି ।

Related Posts