ସେଦିନର ଗୋଲକିପର ଆଜିର ଛେଳି ଚରାଳି

ସତ୍ୟପାଠ ବ୍ୟୁରୋ : ଷ୍ଟାର ଖେଳାଳୀରୁ ଛେଳି ଚରାଳି । ଶୁଣିବାକୁ ଟିକିଏ ଅଡୁଆ ଲାଗିଲେ ବି କଥାଟା ଏକଦମ୍ ସତ । ଦିନ ଥିଲା ସେ ଭାରତୀୟ ମହିଳା ଫୁଟବଲ ଟିମର ଗୋଲକିପର ଥିଲେ ହେଲେ ଏବେ ସେ ଗାଁରେ ଛେଳି ଚରାଉଛନ୍ତି । ଗରୀବି କିଭଳି ତାଙ୍କୁ କେଉଁଠୁ କେଉଁଠି ଆଣି ଛାଡି ଦେଇଛି ତାହା ଏହି ମହିଳା ଫୁଟବଲ ଖେଳାଳୀଙ୍କୁ ଦେଖିଲେ ଜଣାପଡି ଯାଉଛି ।

ନାଁ ତାଙ୍କର ତନୁଜା ବାଗ୍ । ୨୦୦୪ ମସିହାରେ ଫୁଟବଲରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ତନୁଜା । ପରେ ପରେ ତାଙ୍କର ପ୍ରତିଭା ତାଙ୍କୁ ସ୍ଥାନ ଦେଇଥିଲା ଜାତୀୟ ମହିଳା ଫୁଟବଲ ଦଳରେ । ଆକର୍ଷଣୀୟ ପ୍ରଦର୍ଶନ ପାଇଁ ସେ ଗୋଲକିପର ସାଜୁଥିଲେ ଟିମରେ । କେବଳ ଫୁଟବଲ କାହିଁକି ରଗବିରେ ବି ସେ ଓଡିଶା ଦଳ ପକ୍ଷରୁ ନିଜର ପ୍ରତିଭା ଦେଖାଇଥିଲେ । କିନ୍ତୁ ଶିଳ୍ପ ସମୃଦ୍ଧ ଝାରସୁଗୁଡା ଜିଲ୍ଲାର ଏହି ଅନନ୍ୟ ପ୍ରତିଭା ଆଜି ଗାଁ ହିଡରେ ଛେଳି ଚରାଉଛନ୍ତି ।

ତିନିବର୍ଷ ତଳେ ବିବାହ କରିଥିବା ତନୁଜା ଏବେ କନ୍ୟା ସନ୍ତାନର ଜନନୀ । ସ୍ୱାମୀ ଦିନ ମଜୁରିଆ । ଓଳିଏ ଖାଇଲେ ଆର ଓଳିକୁ ଉପାସ । କାମ ନ ମିଳିଲେ ପେଟକୁ ଦାନା ଯୋଗାଡ କରିବା କଷ୍ଟକର । ଫୁଟବଲରେ ଗୋଲ ପରେ ଗୋଲ ଦେଉଥିବା ତନୁଜା କିନ୍ତୁ ରହିଯାଇଛି ସରକାର ଓ ପ୍ରଶାସନର ନଜର ଆଢ଼ୁଆଳରେ । ସମସ୍ତଙ୍କ ଅଲକ୍ଷ୍ୟରେ ଗରୀବି ତାକୁ ସଜାଇ ଦେଇଛି ଛେଳି ଚରାଳି ।

କ୍ରୀଡା ଓ କ୍ରୀଡାବିତଙ୍କ ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ହେଲେ ଜାତୀୟ ସ୍ତରରେ ଓଡିଶା ପାଇଁ ସୁନାମ ଆଣିଥିବା ତନୁଜା ବେଳକୁ ସଭିଏଁ ଯେମିତି ଆଖି ବୁଜି ଦେଇଛନ୍ତି । କ୍ରିଡାବିଭାଗ ଏ ଦିଗରେ ଦୃଷ୍ଟି ଦେଇ ତନୁଜାଙ୍କୁ ସହଯୋଗର ହାତ ବଢ଼ାଇଲେ ହୁଏତ ତନୁଜାର ଭବିଷ୍ୟତ ପରିବର୍ତ୍ତନ ହୋଇ ପାରନ୍ତା ।

Related Posts