ଭବନରେ ନୁହେଁ ଗ୍ରାଉଣ୍ଡରୁ ଖୋଜିବେ ଦୋଷ

ସତ୍ୟପାଠ ବ୍ୟୁରୋ : ନିର୍ବାଚନୀ ବିପର୍ଯ୍ୟୟ ପାଇଁ କଂଗ୍ରେସ ସମୀକ୍ଷା ଆରମ୍ଭ କରିଛି । ଆଜି ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଏଭଳି ମାନସମଂଥନ ହୋଇଛି । ପୂର୍ବରୁ ତ୍ରୁଟି ଖୋଜିବାକୁ ହୋଇଥିବା ୨୧ ଜଣିଆ କମିଟି ଦୁଇମାସ ଭିତରେ ସ୍ଥିତି ସମୀକ୍ଷା କରି ଏଆଇସିସିକୁ ରିପୋର୍ଟ ଦେବାକୁ ସ୍ଥିର ହୋଇଛି ।

ଆଜିର ବୈଠକରେ ୨୧ ଜଣିଆ କମିଟିକୁ ନେଇ ୬ଟି ସବ କମିଟି ଗଢ଼ା ଯାଇଛି । ପ୍ରତି କମିଟିରେ ୩ଜଣ ଲେଖାଏଁ ସଦସ୍ୟ ରହିବେ । ଏହି କମିଟି ରାଜ୍ୟର ପ୍ରତ୍ୟେକ ଜିଲ୍ଲାକୁ ଗସ୍ତ କରିବ । ଯେଉଁ ଜିଲ୍ଲାର ନେତା ନିଜ ଜିଲ୍ଲାକୁ ସମୀକ୍ଷା କରିବାକୁ ଯିବେ ନାହିଁ ବୋଲି ନିଷ୍ପତି ହୋଇଛି ।

୬ଟି ଯାକ କମିଟି ବିଭିନ୍ନ ଆସନର ପ୍ରାର୍ଥୀ, ଆଶାୟୀ ପ୍ରାର୍ଥୀ, ଡିସିସି ନେତୃତ୍ୱ ଓ ସ୍ଥାନୀୟ କାର୍ଯ୍ୟକର୍ତ୍ତାଙ୍କ ଠାରୁ ମତାମତ ସଂଗ୍ରହ କରିବ । ପ୍ରାର୍ଥୀ କାହିଁକି ହାରିଲେ, ଦଳର ବିପର୍ଯ୍ୟୟର ଅସଲ କାରଣ କଣ, ଦଳ ଭିତରୁ ଥାଇ କେହି ଆତ୍ମଘାତୀ କାମ କରିଛନ୍ତି କି ନାହିଁ, ଏ ବାବଦରେ ବିସ୍ତୃତ ଆଲୋଚନା କରି କମିଟିକୁ ରିପୋର୍ଟ ଦେବା ପରେ ମୁଖ୍ୟ କମିଟି ତାହାକୁ ଅନୁଧ୍ୟାନ କରି ଏଆଇସିସିକୁ ପଠାଇବ । ତେବେ କମିଟି କାରଣ ଖୋଜିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିପାରେ ।

ତେବେ ବରିଷ୍ଠ ନେତା ନରସିଂହ ମିଶ୍ର ଓ ଗଣେଶ୍ୱର ବେହେରା କ୍ଷେତ୍ର ଅନୁଧ୍ୟାନରେ ଯିବାକୁ ଚାହିଁ ନାହାଁନ୍ତି । ସେହିଭଳି ଚିରଂଜୀବି ବିଶ୍ୱାଳ ଓ ପ୍ରଦୀପ ମାଝି ମଧ୍ୟ ଅନିଛା ପ୍ରକାଶ କରିଛନ୍ତି । ତେଣୁ ଏମାନେ ସବ କମିଟିରୁ ବାଦ ପଡି ପାରନ୍ତି ବୋଲି ଅନୁମାନ କରାଯାଉଛି ।

Related Posts