କଂଗ୍ରେସ ବଦଳାଇବ ରଣନୀତି

ସାରା ଦେଶରେ ପ୍ରଚାର କରିବେ ପ୍ରିୟଙ୍କା

ପ୍ରିୟଙ୍କା ଗାନ୍ଧି ପ୍ରତ୍ୟକ୍ଷ ରାଜନୀତିକୁ ଆସିବା ପରେ କଂଗ୍ରେସ ଶିବିରରେ ଉତ୍ସାହ । ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ନିଜର ରଣନୀତି ପରିବର୍ତ୍ତନ କରିବା ସୂଚନା ମିଳିଛି । ପ୍ରିୟଙ୍କାଙ୍କୁ କଂଗ୍ରେସ ସାରା ଦେଶରେ ପ୍ରଚାର ମଇଦାନରେ ଉତ୍ତୀର୍ଣ୍ଣ କରିପାରେ । କେବଳ ସେତିକି ନୁହେଁ, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମଙ୍ଗରେ କଂଗ୍ରେସ ଏକାକୀ ଲୋକସଭା ନିର୍ବାଚନ ମଇଦାନରେ ଉର୍ତ୍ତୀର୍ଣ୍ଣ ହେବ ବୋଲି ସୂଚନା ମିଳିଛି ।

ଆନ୍ଧ୍ରପ୍ରଦେଶରେ କଂଗ୍ରେସ ଏକାକୀ ନିର୍ବାଚନ ଲଢ଼ିବା ନେଇ ଗତକାଲି ଘୋଷଣା କରିଥିଲେ କେରଳ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାନ ଚାଣ୍ଡି । ଦଳ ଏକାକୀ ୨୫ ଲୋକସଭା ଓ ୧୭୫ ବିଧାନସଭା ଆସନରେ ଲଢ଼ିବ ବୋଲି କହିଥିଲେ ଓମାନ । ତେଲଙ୍ଗାନାରେ ଉଭୟ କଂଗ୍ରେସ୍‌ ଓ ଟିଡିପି ମେଣ୍ଟ କରି ନିର୍ବାଚନ ଲଢ଼ିଥିଲେ ।

ସେହିପରି ପଶ୍ଚିମବଙ୍ଗରେ ବି କଂଗ୍ରେସ ଏକାକୀ ନିର୍ବାଚନ ଲଢ଼ିପାରେ । କଂଗ୍ରେସ ସହ ମେଣ୍ଟ ହେବନାହିଁ ବୋଲି ପୂର୍ବରୁ ସ୍ପଷ୍ଟ କରିସାରିଛି ଟିଏମ୍‌ସି । ପଶ୍ଚିମବଙ୍ଗ କଂଗ୍ରେସ ୟୁନିଟ ମଧ୍ୟ ଏହା ଚାହୁଁନାହିଁ । ଗତ ଶନିବାର କୋଲକାତାରେ ବିରୋଧୀଙ୍କ ମହାରାଲିରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ସାମିଲ ହୋଇ ନଥିଲେ ।

କିଛି ଦିନ ତଳେ ଉତ୍ତରପ୍ରଦେଶରେ ମାୟା ଓ ଅଖିଳେଶ ମେଣ୍ଟ ନେଇ ଘୋଷଣା କରିବା ଏବଂ କଂଗ୍ରେସକୁ ଦୂରରେ ରଖିବା ପରେ ରାହୁଲ କହିଥିଲେ ଆଗାମୀ ଦିନରେ କିଛି ବଡ଼ ପରିବର୍ତ୍ତନ ହେବ । ଆଉ ତା’ର ଦିନ କେଇଟା ପରେ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରତ୍ୟକ୍ଷ ମଇଦାନ୍‌କୁ ଓହ୍ଲାଇ ନିଜର ପରିବର୍ତ୍ତିତ ଆଭିମୁଖ୍ୟ ସ୍ପଷ୍ଟ କରିଛି ।

Related Posts