କଂଗ୍ରେସ ମହା ବିକାଶ ଅଘାଡୀ ଗଠବନ୍ଧନକୁ ଭାଙ୍ଗିବ ନାହିଁ, ପାଞ୍ଚ ବର୍ଷ ପର୍ଯ୍ୟନ୍ତ ସମର୍ଥନ କରିବ : ପୃଥ୍ୱୀରାଜ ଚୌହାନ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଗତ କିଛିଦିନ ହେବ ମହାରାଷ୍ଟ୍ରର ମହା ବିକାଶ ଅଘାଡି (ଏମଭିଏ) ଗଠବନ୍ଧନରେ ମତଭେଦ ଦେଖାଦେଇଥିଲା । ଆଗାମୀ ବିଧାନସଭା ନିର୍ବାଚନରେ କଂଗ୍ରେସ ଏକାକୀ ନିର୍ବାଚନ ଲଢିବା ବୋଲି ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ ନାନା ପାଟୋଲ ଘୋଷଣା କରିବା ପରେ ଗଠବନ୍ଧନ ସରକାରକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଏହା ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ପୃଥ୍ୱୀରାଜ ଚୌହାନ କହିଛନ୍ତି ଯେ ଗଠବନ୍ଧନ ସରକାର ଭାଙ୍ଗିବା ପାଇଁ କଂଗ୍ରେସର କୌଣସି ଉଦ୍ଦେଶ୍ୟ ନାହିଁ । ଏନସିପି ଏବଂ ଶିବସେନା ସହ କଂଗ୍ରେସ ମିଳିତ ଭାବେ ରହିଛି ଏବଂ ଦଳ ରାଜ୍ୟ ସରକାରଙ୍କୁ ପୂର୍ଣ୍ଣ ୫ ବର୍ଷ ପର୍ଯ୍ୟନ୍ତ ପୂର୍ଣ୍ଣ ସମର୍ଥନ ଦେବ। ସେ କହିଛନ୍ତି “ କଂଗ୍ରେସ ପାର୍ଟି ମହା ବିକାଶ ଅଘାଡୀ ଗଠବନ୍ଧନ ସରକାର ଭାଙ୍ଗିବ ନାହିଁ। ଆମେ ସମ୍ପୂର୍ଣ୍ଣ ଭାବେ ନିଶ୍ଚିତ ଯେ MVA ସରକାର ପାଞ୍ଚ ବର୍ଷ କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିବ।  ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ଏହି ଗଠବନ୍ଧନ କରାଯାଇଥିଲା ତେଣୁ କଂଗ୍ରେସ ପକ୍ଷରୁ ସରକାରଙ୍କୁ ସମର୍ଥନ ପ୍ରତ୍ୟାହାର କରିବାର କୌଣସି ପ୍ରଶ୍ନ ଉଠୁନାହିଁ ବୋଲି ଚୌହାନ କହିଛନ୍ତି। ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ ମୁଖ୍ୟ ନାନା ପାଟୋଲ ଏବଂ ଭୋଇ ଜଗତାପଙ୍କ ଏକାକୀ ନିର୍ବାଚନ ଲଢିବା ବିବୃତ୍ତି ପରେ ଗଠବନ୍ଧନ ସରକାରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏପରିକି ନାନା ପାଟୋଲ ଆଗାମୀ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଚେହେରା ହେବାକୁ ଇଚ୍ଛା ପ୍ରକାଶ କରିଥିଲେ ଗତ ସପ୍ତାହରେ ଶିବସେନା ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପରୋକ୍ଷରେ କଂଗ୍ରେସକୁ ଟାର୍ଗେଟ କରିଥିଲେ।କଂଗ୍ରେସ MVA ସରକାରକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛି ବୋଲି ହେଉଥିବା ଚର୍ଚ୍ଚାକୁ ବରିଷ୍ଠ କଂଗ୍ରେସ ନେତା ପୃଥ୍ୱୀରାଜ ଚୌହାନ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, “କଂଗ୍ରେସ ନିଜ ଶକ୍ତିରେ ସମସ୍ତ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି କହିବାରେ କିଛି ଭୁଲ୍ ନାହିଁ।  ଯଦି ଆମେ ଏକ ତୃତୀୟାଂଶ ସିଟ୍ ରେ ପ୍ରତିଦ୍ୱନ୍ଦ୍ୱିତା କରିବୁ, ତା’ହେଲେ 288 ଟି ସିଟ୍ ମଧ୍ୟରୁ କେବଳ 80 ଟି ସିଟ୍ ରହିବ। ଫଳରେ ଆମର କର୍ମୀ ଏବଂ ନେତାମାନେ ଅନ୍ୟ ଆସନ ଗୁଡ଼ିକରେ କାମ କରିବାକୁ ଇଛା ପ୍ରକାଶ କରିବେ ନାହିଁ। ” ନାନା ପାଟୋଲଙ୍କ ବିବୃତ୍ତିକୁ ଗମ୍ଭୀରତାର ସହ ଗ୍ରହଣ କରିବା ଉଚିତ ନୁହେଁ ବୋଲି ଚୌହାନ କହିଛନ୍ତି। ପାର୍ଟିର କାର୍ଯ୍ୟକର୍ତ୍ତାଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ପାଟୋଲ ଏହି ବୟାନ ଦେଇଛନ୍ତି।  ତାଙ୍କୁ ଦଳକୁ ମଜବୁତ୍ କରିବା ପାଇଁ ଦାୟିତ୍ୱ ଦିଆଯାଇଛି।  ଏହାକୁ ମୁଖ୍ୟମନ୍ତ୍ରୀ ଗୁରୁତର ସହ ନେବା ଉଚିତ ନୁହେଁ। ” ଗଠବନ୍ଧନରେ ସାମିଲ୍ ହେବା ନିଷ୍ପତ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନେଇଛନ୍ତି। ତେଣୁ ଏହାର ନିଷ୍ପତ୍ତି ମୁମ୍ବାଇରେ ହୋଇ ପାରିବ ନାହିଁ।  ଗତ ସପ୍ତାହରେ ଏନସିପି ନେତା ତଥା ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ମଧ୍ୟ ସମାନ କଥା କହିଥିଲେ। “ଏହି ମେଣ୍ଟ ଗଠନ ସମ୍ପର୍କରେ ଏନସିପି ମୁଖ୍ୟ ଶରଦ ପାୱାର, କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀ ଏବଂ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ନିଷ୍ପତ୍ତି ନେଇଛନ୍ତି। ଗଠବନ୍ଧନ ସହ ଜଡିତ ଭବିଷ୍ୟତର ନିଷ୍ପତ୍ତି ମଧ୍ୟ ସେମାନଙ୍କ ଦ୍ୱାରା ନିଆଯିବ ବୋଲି ସେ କହିଛନ୍ତି। ଶିବସେନା ଏବଂ ବିଜେପି ମଧ୍ୟରେ ତଥାକଥିତ ‘ବ୍ୟାକ୍ ଡୋର ରଣନୀତି’ ସମ୍ପର୍କରେ ଚୌହାନ କହିଛନ୍ତି, ” ବିଜେପି ଅନୁଭବ କରୁଛି ଯେ ଦେବେନ୍ଦ୍ର ଫଡନାଭିସ୍ ଏବଂ ଉଦ୍ଧବ ଠାକରେଙ୍କ ମଧ୍ୟରେ କେମେଷ୍ଟ୍ରି ଭଲ ନୁହେଁ , ତେଣୁ ଶିବସେନା ସହ ସମ୍ପର୍କ କରିବାକୁ ଚେଷ୍ଟା କରୁଛି। କିନ୍ତୁ ଏହାର ଅର୍ଥ ନୁହେଁ ଯେ ଏମଭିଏ ସରକାର ପାଇଁ ତୁରନ୍ତ ବିପଦ ରହିଛି।  ଅନ୍ତତଃପକ୍ଷେ ବର୍ତ୍ତମାନ ସୁଦ୍ଧା ନୁହେଁ । ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ ବିଜେପି ଏବଂ ସେନା ମଧ୍ୟରେ ରାଜ୍ୟରେ ଥିବା ତିକ୍ତତାକୁ ଦୂର କରିବା ପାଇଁ ଫଡନାଭିସ୍ ଙ୍କୁ କେନ୍ଦ୍ର କ୍ୟାବିନେଟରେ ସାମିଲ କରାଯିବ। ” 

Related Posts