ବିଜେପି ସଭାପତି ଜେ ପି ନଡ୍ଡା, ସ୍ମୃତି ଇରାନି ଓ ସମ୍ବିତ ପାତ୍ରଙ୍କ ଆକାଉଣ୍ଟ ରଦ୍ଦ କରିବାପାଇଁ ଟୁଇଟରକୁ ଲେଖିଲା କଂଗ୍ରେସ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କଂଗ୍ରେସ ପାର୍ଟିର ତଥାକଥିତ ଏକ ଟୁଲକିଟ୍‌ କୁ ନେଇ ଏବେ ରାଜନୀତି ସରଗରମ । ବିଜେପି ସଭାପତି ଜେପି ନାଡା ଏବଂ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ବିରୋଧରେ ମାମଲା ରୁଜୁ କରିବାର କିଛି ଦିନ ପରେ ଏହି ୨ ନେତାଙ୍କ ସଙ୍ଗେ ସଙ୍ଗେ ସମ୍ବିତ ପାତ୍ର ଓ ବିଏଲ ସନ୍ତୋଷଙ୍କ ଟୁଇଟର ଆକାଉଣ୍ଟକୁ ସସ୍‌ପେଣ୍ଡ କରିବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। କଂଗ୍ରେସର ସୋସିଆଲ ମିଡିଆ ବିଭାଗର ମୁଖ୍ୟ ରୋହନ ଗୁପ୍ତା କହିଛନ୍ତି ଯେ,  “କଂଗ୍ରେସକୁ ବଦନାମ କରିବା ପାଇଁ ମିଥ୍ୟା ପ୍ରଚାର କରୁଥିବା ଭାଜପା ନେତାଙ୍କ ଟୁଇଟର ଆକାଉଣ୍ଟକୁ ବନ୍ଦ କରିବା ପାଇଁ ଟୁଇଟରକୁ ଲିଖିତ ଅଭିଯୋଗ ଜଣାଇଛୁ।” ଗୁପ୍ତା ଏବଂ କଂଗ୍ରେସ ରିସର୍ଚ୍ଚ ଟିମ୍ ର ମୁଖ୍ୟ ରାଜୀବ ଗୌଡା ଦେଇଥିବା ଏହି ଅଭିଯୋଗରେ କୁହାଯାଇଛି ଯେ ଟ୍ୱିଟରର ସିନ୍ଥେଟିକ୍ ଓ ମାନୁପଲେଟେଡ୍ ମିଡିଆ ନିୟମର ଏହା ଉଲ୍ଲଘଂନ।

ଟୁଲକିଟ୍‌ ମାମଲାରେ ବୁଧବାର କଂଗ୍ରେସର ଛାତ୍ର ଶାଖା ଏନ୍‌ଏସ୍‌ୟୁଆଇ ପକ୍ଷରୁ ପୂର୍ବତନ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂ ଓ ଭାଜପା ପ୍ରବକ୍ତା ସମ୍ବିତ ପାତ୍ରଙ୍କ ବିରୋଧରେ ମାମଲା ଦାୟର କରାଯାଇଥିଲା। ଗତ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦେଶର ଛବି ମଳିନ କରିବା ପାଇଁ କରୋନା ଭାଇରସର ନୂଆ ଷ୍ଟ୍ରେନକୁ ‘ଇଣ୍ଡିଆ ଷ୍ଟ୍ରେନ’ ଓ ‘ମୋଦି ଷ୍ଟ୍ରେନ’ ଭାବେ କଂଗ୍ରେସ ସୋସିଆଲ ମିଡିଆରେ ପ୍ରଚାର କରୁଥିବା ଭାଜପା ପକ୍ଷରୁ କୁହାଯାଇଥିଲା। ତେବେ ଦେଶର ସର୍ବପୂରାତନ ରାଜନୈତିକ ଦଳକୁ ବଦନାମ କରିବାକୁ ଭାଜପାର ଏହା ଏକ ଉଦ୍ୟମ ବୋଲି ଅଭିଯୋଗ ଆଣିଥିଲା କଂଗ୍ରେସ। ଏପଟେ କଂଗ୍ରେସର ମୁଖ୍ୟ ମୁଖପାତ୍ର ରଣଦୀପ ସୁରଜେୱାଲା କହିଛନ୍ତି ଯେ ମହାମାରୀ ସମୟରେ ଜୀବନ ରକ୍ଷାକାରୀ ଔଷଧ, ଭେଣ୍ଟିଲେଟର ଏବଂ ଆଇସିୟୁ ବେଡ୍ ଯୋଗାଇବାରେ ବିଫଳ ହୋଇଥିବାରୁ ବିଜେପି ଏଭଳି ବିଭ୍ରାନ୍ତିକର ତଥ୍ୟ ପ୍ରଚାର କରୁଛି। 

Related Posts