ଆଜିଠାରୁ ଆରମ୍ଭ ହେବ କଂଗ୍ରେସର ‘ଭାରତ ଯୋଡ ଯାତ୍ରା’, ୫ ମାସ ମଧ୍ୟରେ ୩୭୫୦ କିମି ରାସ୍ତା ଅତିକ୍ରମ କରିବ ଦଳ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜିଠାରୁ ଆରମ୍ଭ ହେବ କଂଗ୍ରେସର ଭାରତ ଯୋଡ ଯାତ୍ରା । ଭାରତ ଯୋଡ ଯାତ୍ରା ସମୟରେ କଂଗ୍ରେସର ସମସ୍ତ ବଡ ନେତାମାନେ ମୁଦ୍ରାସ୍ଫୀତି, ବେରୋଜଗାରୀ ଏବଂ କେନ୍ଦ୍ର ସରକାରଙ୍କ ସମସ୍ତ ଭୁଲ ନୀତିକୁ ଜନସାଧାରଣଙ୍କ ସାମ୍ନାରେ ରଖିବାକୁ ଚେଷ୍ଟା କରିବେ। ଏହି ସମୟ ମଧ୍ୟରେ କଂଗ୍ରେସ ନେତା ମାନେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ୧୨ଟି ରାଜ୍ୟ ଏବଂ ୨ଟି କେନ୍ଦ୍ରଶାସିତ ଅଞ୍ଚଳ ଚାଲି ଚାଲି ଅତିକ୍ରମ କରିବେ।ଏହି ଯାତ୍ରା ତାମିଲନାଡୁର କନ୍ୟାକୁମାରୀରୁ ଆରମ୍ଭ ହୋଇ ଜାମ୍ମୁ କାଶ୍ମୀରର ଶ୍ରୀନଗରରେ ଶେଷ ହେବ। ଦୀର୍ଘ ୫ ମାସ ଧରି ଚାଲିବାକୁ ଥିବା ଏହି ଯାତ୍ରାରେ ପାଖାପାଖି ୩୭୫୦ କିଲୋମିଟର ରାସ୍ତା ଅତିକ୍ରମ କରିବେ କଂଗ୍ରେସ ନେତା ଓ କର୍ମୀ ।ଯାତ୍ରା ଆରମ୍ଭ ପାଇଁ କନ୍ୟାକୁମାରୀ ଏବଂ ଅନ୍ୟାନ୍ୟ ସ୍ଥାନରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏହି ଯାତ୍ରାକୁ ଆରମ୍ଭ ହେବା ପୂର୍ବରୁ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବିବେକାନନ୍ଦ ରକ୍ ମେମୋରିଆଲ୍ ଏବଂ କନ୍ୟାକୁମାରୀର କାମରାଜ ମେମୋରିଆଲ୍ ପରିଦର୍ଶନ କରିବେ।

ଯୋଡ ଯାତ୍ରା ଆରମ୍ଭ କରିବା ପୂର୍ବରୁ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସମାଧି ସ୍ଥଳରେ ଏକ ପ୍ରାର୍ଥନା ସଭାରେ ଯୋଗଦେବେ। ଏହା ପରେ ସେ କନ୍ୟାକୁମାରୀରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ ଯେଉଁଠାରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଏବଂ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲ ମଧ୍ୟ ଉପସ୍ଥିତ ରହିବେ।

କଂଗ୍ରେସ ନେତା କୁମାରୀ ଶୈଳଜାଙ୍କ ସୂଚନା ଅନୁଯାୟୀ ଏହି ଯାତ୍ରା ମାଧ୍ୟମରେ କଂଗ୍ରେସ ସାମାଜିକ କର୍ମୀ, ଅନ୍ୟ ରାଜନୈତିକ ଦଳ ତଥା ଲକ୍ଷ ଲକ୍ଷ ସାଧାରଣ ଲୋକଙ୍କ ସହ ଯୋଗାଯୋଗ କରିବ ଏବଂ ଦେଶର ଗୁରୁତର ଆହ୍ଵାନର ମୁକାବିଲା ପାଇଁ ଆଲୋଚନା ଆରମ୍ଭ କରିବ।

Related Posts