ଆରମ୍ଭ ହେଲା କଂଗ୍ରେସର “ସ୍ବାଧୀନତା ଗୌରବ ଯାତ୍ରା”, ପ୍ରତି ଜିଲ୍ଲାରେ ୭୫ କିମି ପଦଯାତ୍ରା କରିବ ଦଳ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଅଖିଳ ଭାରତ କଂଗ୍ରେସ କମିଟି କ୍ରାନ୍ତି ଦିବସ ଅର୍ଥାତ୍‌ ମଙ୍ଗଳବାରରୁ ଅଗଷ୍ଟ ୧୪ ପର୍ଯ୍ୟନ୍ତ ଦେଶବ୍ୟାପୀ ସ୍ବାଧୀନତା ଗୌରବ ଯାତ୍ରା କରିବା ପାଇଁ ନିଷ୍ପତ୍ତି ନେଇଛି। ସେହି ଅନୁଯାୟୀ ପ୍ରତି ଜିଲ୍ଲାରେ ୭୫ କିମି ପଦଯାତ୍ରା କରି ଦଳ ଏହି କାର୍ଯ୍ୟକ୍ରମ ପାଳନ କରିବ। ସେହି ଅନୁସାରେ ପ୍ରଦେଶ କଂଗ୍ରେସ କମିଟି(ପିସିସି) ପକ୍ଷରୁ ସମସ୍ତ ସାଙ୍ଗଠନିକ ଜିଲାରେ ଏହି ସ୍ବାଧୀନତା ଗୌରବ ଯାତ୍ରାର ଶୁଭାରମ୍ଭ କରାଯାଇଛି।

ଏହି କ୍ରମରେ ଭୁବନେଶ୍ୱର ଜିଲା କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ ନାଲ୍‌କୋ ଛକ ମହାତ୍ମା ଗାନ୍ଧୀ ପାର୍କରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପିସିସି ସଭାପତି ଶରତ ପଟ୍ଟନାୟକ ମାଲ୍ୟାର୍ପଣ କରି ସ୍ବାଧୀନତା ଗୌରବ ପଦଯାତ୍ରା ଆରମ୍ଭ କରିଛନ୍ତି। ଏହି ପଦଯାତ୍ରା ଜାଭିୟର ଇନ୍‌ଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ, ମୁଣ୍ଡାସାହି, ସାଲିଆ ସାହି ଦେଇ ନୟାପଲ୍ଳୀ ଏନ୍‌-୫ ହନୁମାନ ମନ୍ଦରି ପାଖରେ ସମାପ୍ତ ହୋଇଛି। ରାମଧୁନ, ମହାତ୍ମା ଗାନ୍ଧୀ, ପଣ୍ଡିତ ନେହେରୁ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ସୁଭାଷ ବୋଷ, ଗୋପବନ୍ଧୁ, ମାଳତି ଚୌଧୁରୀ, ହରେକୃଷ୍ଣ ମହତାବଙ୍କ ଜୟଧ୍ୱନି ଦେଇ ୫ କି.ମି.ରୁ ଅଧିକ ରାସ୍ତା ଅତିକ୍ରମ କରିଥିଲେ। ଏହି ପଦଯାତ୍ରାରେ ଶତାଧିକ କଂଗ୍ରେସ କର୍ମୀ ମହିଳା, ଯୁବ, ଛାତ୍ର କଂଗ୍ରେସ, ସେବାଦଳ ସହିତ ଅନ୍ୟାନ୍ୟ ବିଭିନ୍ନ ପ୍ରକୋଷ୍ଠ ଓ ବିଭାଗର କାର୍ଯ୍ୟକର୍ତ୍ତାଙ୍କ ସହିତ ଶହ ଶହ ସାଧାରଣ ଜନତା ସାମିଲ ହୋଇଥିଲେ।

Related Posts