ମର୍ଣ୍ଣିଂ ୱାକ୍‌ କରୁଥିବା ସମୟରେ କାର୍‌ ଧକ୍କାରେ ଚାଲିଗଲା କନଷ୍ଟେବଲ୍‌ଙ୍କ ଜୀବନ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ମର୍ଣ୍ଣିଂ ୱାକ୍‌ କରୁଥିବା ବେଳେ କନଷ୍ଟେବଳଙ୍କ ଉପରେ ମାଡ଼ିଗଲା କାର୍‌। ଏହି ଦୁର୍ଘଟଣାରେ କନଷ୍ଟେବଲ୍‌ଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଘଟଣା ହେଉଛି ଆଜି ଭୋର ସମୟର। ବାଙ୍କୀ-କଟକ ରାସ୍ତାର କଇଁମୁଣ୍ଡି ଫାଣ୍ଡି ନିକଟସ୍ଥ ଚାରିଘରିଆ ଛକ ନିକଟରେ ଏହି ଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି।

ମୃତ କନଷ୍ଟେବଳ ଜଣଙ୍କ ନାଁ ହେଉଛି ରମେଶଚନ୍ଦ୍ର ପରିଡ଼ା। ସେ କଇଁମୁଣ୍ଡି ଫାଣ୍ଡିର କାର୍ଯ୍ୟରତ ଥିଲେ। ତେବେ ମିଳିଥିବା ସୂଚନା ମୁତାବକ, ଆଜି ସକାଳୁ ସକାଳୁ ରମେଶଚନ୍ଦ୍ର ମର୍ଣ୍ଣିଂ ୱାକ୍‌ କରୁଥିଲେ। 

ଠିକ୍ ଏହି ସମୟରେ ଆଠଗଡ଼ ପଟୁ ଦ୍ରୁତ ଗତିରେ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ କାର୍‌ ତାଙ୍କୁ ଚାରିଘରିଆ ଛକ ନିକଟରେ ଧକ୍କା ଦେଇଥିଲା। ତେବେ ସ୍ଥାନୀୟ ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ବାଙ୍କୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ସେତେବେଳକୁ ସେ ମୃତ୍ୟୁବରଣ କରିସାରିଥିଲେ। 

ଦୁର୍ଘଟଣା ଘଟାଇଥିବା କାର୍‌ରେ ଦୁଇ ଜଣ ଯୁବକ, ଜଣେ ଯୁବତୀ ଓ ଡ୍ରାଇଭରଙ୍କୁ ମିଶାଇ ମୋଟ ୪ ଜଣ ଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣ ଆହତ ହୋଇଥିବାରୁ ସେମାନଙ୍କୁ ବାଙ୍କୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏବଂ ବାଙ୍କୀ ପୋଲିସ୍‌ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଥିବା ସୂଚନା ରହିଛି। 

Related Posts