ଟୋକିଓ ପାରାଲିମ୍ପିକ୍ସ : ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଲେ ଯୁବ ‘ଆଇଏଏସ୍‌’ ଅଫିସର୍‌ ସୁହାସ ଯତିରାଜ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଟୋକିଓ ପାରାଲିମ୍ପିକ୍ସରେ ଭାରତର ପ୍ରଦର୍ଶନ ପ୍ରଥମରୁ ଦମଦାର ରହି ଆସିଛି। ଆଜି ମଧ୍ୟ ଭାରତ ପାଇଁ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି ଯୁବ ଆଇଏଏସ୍ ଅଫିସର ସୁହାସ ଯତିରାଜ। ଦେଶର ପ୍ରଥମ ଆଇଏଏସ୍ ଅଫିସର ଭାବେ ସେ ଚଳିତ ଟୋକିଓ ପାରାଲିମ୍ପିକ୍ସରେ ଜିତିଛନ୍ତି ପଦକ। ପାରାଲମ୍ପିକ୍ସରେ ‘ପୁରୁଷ ସିଙ୍ଗ୍‌ଲ୍‌ସ୍‌ ଏସ୍‌ଏଲ୍‌୪’ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତା ଫାଇନାଲ୍‌ରେ ଫ୍ରାନ୍ସ୍‌ର ଲ୍ୟୁକାସ୍‌ ମାଜୁର୍‌ଙ୍କ ଠାରୁ ପରାସ୍ତ ହୋଇ ରୌପ୍ୟ ପଦକ ହାସଲ କରିଛନ୍ତି ସୁହାସ । ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱି ମାଜୁର୍‌ଙ୍କ ଠାରୁ ୨୧-୧୫, ୧୭-୨୧, ୧୫-୨୧ରେ ପରାସ୍ତ ହୋଇଛନ୍ତି। ସେମି ଫାଇନାଲ୍‌ରେ ସୁହାସ ଇଣ୍ଡୋନେସିଆର ଫ୍ରେଡି ସେତିୱାନଙ୍କୁ ସିଧାସଳଖ ଗେମ୍‌ରେ ପରାସ୍ତ କରି ଫାଇନାଲ୍‌ରେ ପ୍ରବେଶ କରିଥିଲେ ଓ ଭାରତ ପାଇଁ ଆଉ ଏକ ପଦକ ନିଶ୍ଚିତ କରିଥିଲେ।

ଆଜି ରୌପ୍ୟ ପଦକ ଜିତିଥିବା ଯତିରାଜଙ୍କ ପଦକକୁ ମିଶାଇ ବର୍ତ୍ତମାନ ସୁଦ୍ଧା ପାରାଲିମ୍ପିକ୍‌ କ୍ରୀଡ଼ାରେ ଭାରତ ମୋଟ ୧୮ଟି ପଦକ ହାସଲ କରିଛି। ଏଥି ମଧ୍ୟରେ ୪ଟି ସ୍ବର୍ଣ୍ଣ, ୮ଟି ରୌପ୍ୟ ଏବଂ ୬ଟି କାଂସ୍ୟ ପଦକ ରହିଛି । ଟୋକିଓ ପାରାଲିମ୍ପିକ୍ସରେ କେବଳ ବ୍ୟାଡ୍‌ମିଣ୍ଟନରେ ବର୍ତ୍ତମାନ ସୁଦ୍ଧା ଭାରତ ୩ଟି ପଦକ ଜିତି ସାରିଛି। ପୁରୁଷ ଏକକ ଏସ୍‌ଏଲ୍‌ ୪ ବର୍ଗରେ ସୁହାସ ରୌପ୍ୟ ପଦକ ଜିତିଥିବା ବେଳେ ଗତକାଲି ଓଡ଼ିଆ ପୁଅ ପ୍ରମୋଦ ଭଗତ ଏସ୍‌ଏଲ୍‌ ୩ ବର୍ଗରେ ସ୍ୱର୍ଣ୍ଣ ପଦକ ଏବଂ ମନୋଜ ସରକାର ବ୍ରୋଞ୍ଜ ପଦକ ଜିତିଥିଲେ। ଅନ୍ୟପକ୍ଷରେ ଭାରତ ବର୍ତ୍ତମାନ ସୁଦ୍ଧା ୧୮ଟି ପଦକ ଜିତି ସାରିଲାଣି। 

୨୦୧୬ରେ ବେଜିଙ୍ଗ୍‌ରେ ଆୟୋଜିତ ‘ଏସିଆନ୍‌ ଚାମ୍ପିଅନ୍‌ସିପ୍’ରେ ଅଂଶ ଗ୍ରହଣ କରି ସେ ସ୍ବର୍ଣ୍ଣ ପଦକ ହାସଲ କରିବାରେ ଥିଲେ ପ୍ରଥମ ଅଣ-ପାହ୍ୟା ଖେଳାଳି। ସେହିପରି , ୨୦୧୭ ଏବଂ ୨୦୧୯ରେ ‘ବିଡବ୍ଲୁଏଫ୍‌ ତୁର୍କୀସ୍‌ ଚାମ୍ପିଅନ୍‌ସିପ୍‌’ରେ ସ୍ବର୍ଣ୍ଣ ପଦକ ପାଇବା ସହ ୨୦୨୦ରେ ବ୍ରାଜିଲ୍‌ରେ ସ୍ବର୍ଣ୍ଣ ପଦକ ପାଇଥିଲେ। 

ସୁହାସଙ୍କ ଘର ହେଉଛି କର୍ଣ୍ଣାଟକାରେ। କମ୍ପ୍ୟୁଟର୍‌ ଇଞ୍ଜିନିୟର୍‌ ଡିଗ୍ରିଧାରୀ ସୁହାସ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ। ସେ ଉତ୍ତର ପ୍ରଦେଶ କ୍ୟାଡରର ଆଇଏଏସ୍ ଅଫିସର ହୋଇଥିବା ବେଳେ ଏବେ ସେଠାକାର ଗୌତମ ବୁଦ୍ଧ ନଗରର ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଛନ୍ତି। ୨୦୧୬ରେ ଆଜମଗଡ଼ର ଜିଲ୍ଲାପାଳ ଥିବା ବେଳେ ସେ ବ୍ୟାଡମିଣ୍ଟନ ଖେଳିବା ଆରମ୍ଭ କରିଥିଲେ। 

ଆଜମଗଡ଼ ଜିଲ୍ଲାପାଳ ରହିଥିବା ସମୟରେ ତାଙ୍କୁ ଏକ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟକୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା। ସେ ସେଠାରେ ମୁଖ୍ୟ ଅତିଥି ହେବା ପରିବର୍ତ୍ତେ ଉକ୍ତ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପାରାଲିମ୍ପିକ୍ସରେ ଏହି ସଫଳତା ପାଇଁ ସୁହାସଙ୍କୁ ଅଭିନନ୍ଦନର ସୁଅ ଛୁଟିଛି। 

Related Posts