(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଆଫଗାନିସ୍ତାନ ଉପରେ ତାଲିବାନର କବଜା ପରେ ସବୁଆଡ଼େ ପ୍ରତିକ୍ରିୟା ପ୍ରକାଶ ପାଉଛି। ଏହା ମଧ୍ୟରେ ସମାଜବାଦୀ ପାର୍ଟି ସାଂସଦ ଶଫିକ୍କୁର ରହମାନ ବାର୍କ (Shafiqur Rahman Barq) ଙ୍କ ଏକ ବିବାଦୀୟ ବୟାନ ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶର ସମ୍ଭଲରୁ ସପା ସାଂସଦ ବାର୍କ କହିଛନ୍ତି ଯେ ,” ତାଲିବାନ ନିଜ ଦେଶର ସ୍ୱାଧୀନତା ପାଇଁ ଲଢୁଛନ୍ତି ଏବଂ ଆଫଗାନିସ୍ତାନବାସୀ ସେମାନଙ୍କ ନେତୃତ୍ୱରେ ସ୍ୱାଧୀନତା ଚାହୁଁଛନ୍ତି। ” ନ୍ୟୁଜ୍ ଏଜେନ୍ସି ANI କୁ ତାଲିବାନ ସମର୍ଥନରେ ବୟାନ ଦେଇ ସପା ସାସଂଦ ବାର୍କ କହିଛନ୍ତି, ‘ଯେତେବେଳେ ଭାରତ ବ୍ରିଟିଶ ଶାସନ ଅଧୀନରେ ଥିଲା, ସେତେବେଳେ ଆମ ଦେଶ ସ୍ୱାଧୀନତା ପାଇଁ ଲଢୁଥିଲେ । ବର୍ତ୍ତମାନ ତାଲିବାନ ନିଜ ଦେଶକୁ ମୁକ୍ତ କରିବାକୁ ଲଢେଇ କରୁଛି। ତାଲିବାନ ହେଉଛି ସେହି ଶକ୍ତି ଯିଏକି ଋଷ ଏବଂ ଆମେରିକା ଭଳି ଶକ୍ତିଶାଳୀ ଦେଶକୁ ନିଜ ଦେଶରୁ ବାହାର କରିବାରେ ସକ୍ଷମ ହୋଇଛି। ‘
ସପା ସାଂସଦ ବାର୍କ କହିଛନ୍ତି ଯେ ବର୍ତ୍ତମାନ ତାଲିବାନ ନିଜ ଦେଶକୁ ସ୍ୱାଧୀନ କରିବାକୁ ଚାହୁଁଛି। ଏହା ହେଉଛି ତାଲିବାନର ଆଭ୍ୟନ୍ତରୀଣ ମାମଲା। ଆମେରିକା କାହିଁକି ଆଫଗାନିସ୍ତାନକୁ ଶାସନ କରିବ ? ତାଲିବାନ ସେଠାରେ ଏକ ଶକ୍ତିଶାଳୀ ସାମ୍ମୁଖ୍ୟ ଏବଂ ଆଫଗାନିସ୍ତାନ ଲୋକମାନେ ଏହାର ନେତୃତ୍ୱରେ ସ୍ୱାଧୀନତା ଚାହୁଁଛନ୍ତି । ସେପଟେ ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ବାର୍କଙ୍କ ଏହି ବୟାନକୁ ନେଇ ତାଙ୍କୁ କଡା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ସମାଜବାଦୀ ଦଳର ନେତାଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ମୌର୍ଯ୍ୟ କହିଛନ୍ତି, ‘ ଯଦି ସମାଜବାଦୀ ଦଳର ଏପରି ବିବୃତ୍ତି ତାଲିବାନ ବିଷୟରେ ଆସେ, ତେବେ ଇମ୍ରାନ ଖାନ ଏବଂ ସମାଜବାଦୀ ପାର୍ଟି ମଧ୍ୟରେ ପାର୍ଥକ୍ୟ କ’ଣ ରହିବ ? ‘
ଉଲ୍ଲେଖଯୋଗ୍ୟ, ରବିବାର ଦିନ ତାଲିବାନ ରାଜଧାନୀ କାବୁଲକୁ ଅକ୍ତିଆରକୁ ନେବା ପରେ ତାଲିବାନ ଉତ୍ସବ ପାଳନ କରିଥିବାର ଦେଖିବାକୁ ମିଳିଥିଲା। ତାଲିବାନ କାବୁଲରେ ଥିବା ରାଷ୍ଟ୍ରପତି ଭବନକୁ କାବୁ କରିଛି। ଏପଟେ କାବୁଲ ରାସ୍ତାରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ରହିଛି ସେପଟେ ତାଲିବାନୀ ମାନେ ମଉଜ ମଜଲିସ୍ କରୁଛନ୍ତି । ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ଆଫଗାନିସ୍ତାନର ରାଷ୍ଟ୍ରପତି ଏବଂ ସରକାରର ଅନ୍ୟ ବରିଷ୍ଠ ନେତାଙ୍କ ବିରୋଧରେ କଡା ପ୍ରତିକ୍ରିୟା ଦେଇଛନ୍ତି।