ପାଟକୁରାରେ ନିର୍ବାଚନ ହେଉଛି ନା ଯୁଦ୍ଧ !

ସତ୍ୟପାଠ ବ୍ୟୁରୋ : ପାଟକୁରାରେ ସାନି-ନିର୍ବାଚନ ହେଉନି ତ ଯେମିତି ଦୁଇ ବିରୋଧୀ ଶକ୍ତିଙ୍କ ଭିତରେ ଯେମିତି ଘମାଘୋଟ ଯୁଦ୍ଧ ହେବା ଭଳି ଲାଗୁଛି । ନିର୍ବାଚନମଣ୍ଡଳୀରେ ନେତା ମାଳ ମାଳ ରହି ନିର୍ବାଚନ ପରିଚାଳନା କରୁଛନ୍ତି । କଳେବଳେ କୌଶଳେ ନିଜ ନିଜ ପ୍ରାର୍ଥୀଙ୍କୁ ଜିତାଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି ଦୁଇ ରାଜନୈତିକ ଦଳ ବିଜେଡି ଓ ବିଜେପି । ଏତିକି ବେଳେ ସାମ୍ନାକୁ ଆସିଛି ଦୁଇ ଦଳଙ୍କର ତାରକା ପ୍ରଚାରକ ତାଲିକା । ଯେଉଁମାନେ ପାଟକୁରାରେ ନିଜ ଦଳର ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର । ହେଲେ ଏତେ ସଂଖ୍ୟକ ନେତାଙ୍କୁ ପାଟକୁରା ପଠାଯିବାର କାରଣକୁ ନେଇ ଦ୍ୱନ୍ଦରେ ଭୋଟର ଓ ସାଧାରଣ ଜନତା ।

ପାଟକୁରା ପଲିଟିକ୍ସରେ ପଶିଛନ୍ତି ତାରକା ପ୍ରଚାରକ । ବିଜେଡି ନିଜର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଥିବା ବେଳେ ବିଜେପି ବି ପଛରେ ପଡିନି । କ୍ଷମତାକେନ୍ଦ୍ରକୁ ଟକର ଦେବାକୁ ଦଳର ୪୦ ହେଭିୱେଟଙ୍କୁ ତାରକା ପ୍ରଚାରକ କରି ଦଳ ଛାଡିଛି ପାଟକୁରା ମଇଦାନକୁ । ବିଜେଡି ତରଫରୁ ନବୀନ ପଟ୍ଟନାୟକଙ୍କ ବ୍ୟତୀତ ବହୁ ମନ୍ତ୍ରୀ , ସାଂସଦ ଓ ବିଧାୟକଙ୍କୁ ପଠାଯାଇଛି ପାଟକୁରା । ଠିକ୍ ସେମିତି ବିଜେପି ବି ପ୍ରଭାରୀ ଅରୁଣ ସିଂଙ୍କ ସହ ଦୁଇ କେନ୍ଦ୍ରମନ୍ତ୍ରୀ ଓ ବିଧାୟକ, ସାଂସଦଙ୍କୁ ମଇଦାନକୁ ପଠାଇଛି । ତେବେ କଥା ହେଉଛି ଦୁଇ ଦଳର ୮୦ଜଣ ନେତା ସେଠାରେ କରିବେ କଣ ?

ପାଟକୁରାର ଭୁଗୋଳ କହୁଛି, ମାର୍ଶାଘାଈ ବ୍ଲକର ୭ଟି ପଂଚାୟତ ସହ ଗରଦପୁରର ୧୮ଟି ଓ ଡେରାବିଶର ୨୬ଟି ପଂଚାୟତକୁ ନେଇ ଗଠିତ ଏହି ନିର୍ବାଚନ ମଣ୍ଡଳୀ । ମାନେ ପୁରା ନିର୍ବାଚନ ମଣ୍ଡଳୀରେ ୩ଟି ବ୍ଳକ ଓ ୫୧ଟି ପଂଚାୟତ ରହିଛି । ଯଦି ହିସାବ ଦେଖାଯାଏ ତେବେ ଆନୁମାନିକ ଜଣଙ୍କ ଭାଗରେ ଗୋଟିଏ ଲେଖାଏଁ ପଂଚାୟତ ପଡିବ । କାରଣ ଷ୍ଟାର କ୍ୟାମ୍ପେନରଙ୍କ ବ୍ୟତୀତ ଆଉ କିଛି ନେତାମଧ୍ୟ ସେଠାରେ ଡେରା ପକାଇ ରହିଛନ୍ତି । ଯଦି ଏପରି ହୁଏ ଜଣେ ନେତା ଗୋଟିଏ ଲେଖାଏଁ ପଂଚାୟତ ଦେଖିଲେ ନିର୍ବାଚନର ଫଳାଫଳ କଣ ହେବ ତାହା ଏବେଠୁ କହିବା ମୁସ୍କିଲ ।

ସେପଟେ ପାଟକୁରାର ଇତିହାସ କହୁଛି, ୧୯୮୦ରେ ବିଜୁ ପଟ୍ଟନାୟକଙ୍କ ପରେ ଜନତା ପାର୍ଟି ଓ ଜନତା ଦଳରୁ ୪ଥର ବିଜୟୀ ହୋଇଛନ୍ତି ବିଜୟ ମହାପାତ୍ର । ଆଉ ତାଙ୍କ ପରେ ୨୦୦୪ରେ ବିଜେଡିର ଅତନୁ ସବ୍ୟସାଚ୍ଚୀ ନାୟକ ଏବଂ ୨୦୦୯ ଓ ୨୦୧୪ରେ ପୁଣି ବିଜେଡିର ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲ ବିଜୟୀ ହୋଇଛନ୍ତି । ଅର୍ଥାତ୍ ବିଜେଡି ଓ ବିଜୟଙ୍କ ଭିତରେ କେହି କାହାଠାରୁ କମ୍ ରେ ନାହାଁନ୍ତି । ତେବେ ଆକଳନ କହୁଛି ପୂର୍ବାପେକ୍ଷା ୨୦୦୪ ଓ ୨୦୦୯ରେ ବିଜେଡିର ଭୋଟହାର କମିଛି ।

କଥା ହେଉଛି, ସେଠାରେ ଏତେ ଲୋକଙ୍କ କାମ କଣ ? ବିଜୟ ମହାପାତ୍ର ଚାରି ଚାରି ଥରର ବିଧାୟକ । ସେଠାରୁ ଜିତି ସେ ବିଜୁ ବାବୁଙ୍କ କ୍ୟାବିନେଟରେ କୁଆଡେ ସବୁଠୁ ପାୱାରଫୁଲ ମନ୍ତ୍ରୀ ଥିଲେ । ତା ମାନେ ତ ସେ ଯଦି ପ୍ରକୃତରେ ସେଠାକାର ବିକାଶ ପ୍ରତି ଧ୍ୟାନ ଦେଇଥିବେ , ତେବେ ଲୋକମତ ତାଙ୍କରି ସପକ୍ଷରେ ଯିବ । ଏବେ ଆସିବା ବିଜେଡି ପାଖକୁ । ଦଳ ଗଲା ୨୦ବର୍ଷ ହେଲା ରାଜ୍ୟରେ ଶାସନ କରୁଛି । ତା ସାଙ୍ଗକୁ ୧୫ ବର୍ଷ ହେଲା ପାଟକୁରାରେ ବିଜେଡିର ହିଁ ବିଧାୟକ ଥିଲେ । ତେଣୁ ଦଳ ନିହାତି ସେଠାକାର ଲୋକଙ୍କ ଜୀବନଧାରଣ ମାନ ବଦଳାଇ ସାରିଥିବ, ଯଦି ବାସ୍ତବିକ କାମ ହୋଇଥିବ ।

ତେଣୁ ଯଦି ପ୍ରକୃତରେ ଲୋକଙ୍କ ପାଇଁ କାମ ହୋଇଛି, ଲୋକଙ୍କ ସମସ୍ୟା ସୁଧୁରିଛି, ଲୋକେ ଉପକୃତ ହୋଇଛନ୍ତି ତେବେ କହିବା ଦରକାର ନାହିଁ ଭୋଟ ଆପେ ମିଳିବ । କିନ୍ତୁ ଦୁଇ ଦଳର ନିଜ ଉପରେ ଭରସା ନାହିଁ ବୋଲି ଏବେ ୮୦ଜଣ ନେତାଙ୍କୁ ସାମାନ୍ୟ ଗୋଟିଏ ସାନି-ନିର୍ବାଚନ ପାଇଁ କାମରେ ଲଗାଉଛି । ନେତା ଗାଁ ଜଗିବେ, ଭୋଟ ମିଳିବ । ଏହା ହୁଏତ ରାଜନୀତିରେ ସମ୍ଭବ ହୋଇପାରେ କିନ୍ତୁ ବାସ୍ତବିକ କଥା ହେଉଛି ଉଭୟ ବିଜୟ ମହାପାତ୍ର ଓ ନବୀନ ପଟ୍ଟନାୟକ ଦୁହିଁଙ୍କର ନିଜ ଉପରେ ଓ ନିଜ କାମ ଉପରେ ଭରସା ପାଉନି । ମାନେ ବାଘର ବି ଫାଗକୁ ଭୟ ରହୁଛି । ନିଜର ବିଗତ ଦିନର ଇତିହାସକୁ ରୋମନ୍ଥନ କରି ଉଭୟେ ନିଜ ନିଜ ସପକ୍ଷରେ ଷ୍ଟାର ପ୍ରଚାରକଙ୍କୁ ଆଣିଛନ୍ତି । କିନ୍ତୁ ଲୋକେ କହୁଛନ୍ତି, ଯଦି ତୁମେ କିଛି କରି ନାହଁ ତେବେ ଆଉ କାହା କଥାରେ ଆମେ କାଇଁ ଭୋଟ ଦେବୁ ଯେ ?

Related Posts