ଅନ୍ତ ହେବ କି କର୍ଣ୍ଣାଟକ ନାଟକ !

ସତ୍ୟପାଠ ବ୍ୟୁରୋ : କର୍ଣ୍ଣାଟକ ନାଟକର ଶେଷ ଦୃଶ୍ୟ ଖୁବଶୀଘ୍ର ଜଣାପଡିବ । କାରଣ ଏହାକୁ ନେଇ ବଡ ରାୟ ଶୁଣାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ମୁମ୍ବାଇ ହୋଟେଲରେ ଲୁଚିଥିବା ୧୦ଜଣ ବିଦ୍ରୋହୀ ବିଧାୟକଙ୍କୁ ସାମ୍ନାକୁ ଆସିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପିମ କୋର୍ଟ । ଇଚ୍ଛୁକ ବିଧାୟକ ଆଜି ସଂଧ୍ୟା ୬ଟା ସୁଦ୍ଧା ବାଚସ୍ପତିଙ୍କୁ ଭେଟି ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ । ଏହାସହ ବାଚସ୍ପତିଙ୍କ ନିକଟରେ ବ୍ୟକ୍ତିଗତ ଭାବେ ହାଜର ହୋଇ ବିଧାୟକମାନେ ସେମାନଙ୍କର ଇସ୍ତଫାର କାରଣ ଜଣାଇବାକୁ କହିଛନ୍ତି ।

ସେହିଭଳି ବିଧାୟକଙ୍କ ଇସ୍ତଫା ମାମଲାରେ ଆଜି ହିଁ ନିଷ୍ପତି ନେବାକୁ ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ବିଦ୍ରୋହୀ ବିଧାୟକଙ୍କ ପକ୍ଷରୁ କରାଯାଇଥିବା ଆବେଦନ ଉପରେ ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଆସନ୍ତାକାଲି ଇସ୍ତଫା ପ୍ରସଙ୍ଗ ଉପରେ ଚୂଡାନ୍ତି ଶୁଣାଣି କରାଯିବ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ବାଚସ୍ପତି ଜାଣିଶୁଣି ବିଧାୟକଙ୍କ ଇସ୍ତଫାକୁ ଅସାମ୍ବିଧାନିକ କହିବା ସହ ଗ୍ରହଣ କରୁନଥିବା ଅଭିଯୋଗ କରି ସୁପିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବିଦ୍ରୋହୀ ବିଧାୟକ । କର୍ଣ୍ଣାଟକର ୮ଜଣ କଂଗ୍ରେସ ବିଧାୟକ ଉପଯୁକ୍ତ ପ୍ରକ୍ରିୟାରେ ଇସ୍ତଫା ଦେଇନଥିବା ଦର୍ଶାଇ ଏହାକୁ ଗ୍ରହଣ କରିନଥିଲେ ବାଚସ୍ପତି । ଏବଂ ୧୨ ତାରିଖ ସୁଦ୍ଧା ବ୍ୟକ୍ତିଗତ ଭାବେ ଆସି ପକ୍ଷ ରଖିବାକୁ ନୋଟିସ୍ କରିଥିଲେ ।

ସେପଟେ, କର୍ଣ୍ଣାଟକରେ ଜାରି ରହିଥିବା ରାଜନୈତିକ ଡ୍ରାମା ବାଙ୍ଗାଲୁରୁରୁ ଯାଇ ଏବେ ଦିଲ୍ଲୀରେ ପହଁଚିଛି । କର୍ଣ୍ଣାଟକରେ ଜଣଙ୍କ ପରେ ଜଣେ କଂଗ୍ରେସ ବିଧାୟକ ଇସ୍ତଫା ଦେଉଥିବାବେଳେ ସଂସଦ ଭବନ ବାହାରେ ଧାରଣା ଦେଇଛି କଂଗ୍ରେସ । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସମେତ ବହୁ ସଂଖ୍ୟାରେ ସାଂସଦ ଓ ନେତା ସଂସଦ ପରିସରରେ ଥିବା ଗାନ୍ଧି ମୂର୍ତି ତଳେ ଧାରଣା ଦେଇଛନ୍ତି । ଅନ୍ୟପଟେ ବେଙ୍ଗାଲୁରର ଏକ ଗେଷ୍ଟ ହାଉସରେ ବିଧାୟକମାନଙ୍କୁ ଭେଟି ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ । ଏହି ବୈଠକରେ କର୍ଣ୍ଣାଟକ କଂଗ୍ରେସର ବରିଷ୍ଠ ନେତା ସିଦ୍ଧ ରମୈୟା, ଗୁଲାମ ନବୀ ଆଜାଦ ଓ କେସି ବେଣୁଗୋପାଳ ସାମିଲ ହୋଇଛନ୍ତି ।

Related Posts