ନାଟର ଗୋବର୍ଦ୍ଧନଙ୍କୁ ନ୍ୟାୟ ଭିକ୍ଷା, ଗୋଟିଏ ଫଟୋରେ ପ.ଓଡ଼ିଶାରୁ କଂଗ୍ରେସକୁ ସଫା କରିଦେଲେ ନବୀନ !

ବିଧାୟକମାନେ ନବୀନଙ୍କ ଘରକୁ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ନେଇ ଆଲୋଚନା କରିବାକୁ ଯାଇଛନ୍ତି । ଏମାନଙ୍କ ସହ ବସି କଥା ହେବା କଥା ମୁଖ୍ୟମନ୍ତ୍ରୀ । କିନ୍ତୁ ବସିବାକୁ ଆସନ ଟିଏ ବି ନ ଦେଇ ଏମିତି ଛିଡ଼ା କରାଇ ବାହାରକୁ ଫଟୋ ଛାଡ଼ିବାରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଦେଖାଇବାକୁ ଚାହୁଁଛନ୍ତି ସେ ହିଁ ସର୍ବୋଚ୍ଚ ନେତା । ତାଙ୍କ ପାଖରେ ସମସ୍ତେ ଛୋଟ, ତାଙ୍କ ପାଖରେ ସମସ୍ତେ ନଗଣ୍ୟ । ସେ ହିଁ ବଡ଼ ଠାକୁର । ଆଉ ସମସ୍ତେ ପାର୍ଶ୍ବ ଦେବତା । ନବ ଦାସଙ୍କ ସମେତ ରାଜ୍ୟର ଆଇନ ନିର୍ମାତାମାନେ ଯେମିତି କାକୁତି ମୀନତି କରିବା ଭଙ୍ଗୀରେ ଛିଡ଼ା ହୋଇଛନ୍ତି ତାହା ଦେଖିବାକୁ ଯେତିକି ଅରୁଚିକର ସେତିକି ମୁଖ୍ୟମନ୍ତ୍ରୀଙ୍କ ଅସୌଜନ୍ୟ ଭାବକୁ ଦର୍ଶାଉଛି ।

ଦିନକ ତଳେ କଂଗ୍ରେସ ନେତା ନବ ଦାସଙ୍କ ସମେତ ପଶ୍ଚିମ ଓଡ଼ିଶାର ନେତାମାନେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସମୟର ଯେଉଁ ଫଟୋ ଆସିଛି ତାକୁ ନେଇ ହେଉଛି ଜୋରଦାର ଚର୍ଚ୍ଚା । କାହିଁକି ଓଡ଼ିଶାର ସାଧାରଣ ଲୋକଙ୍କର ସମସ୍ୟାର ସମାଧାନ ହୋଇପାରୁନାହିଁ । କାହିଁକି ସାଧାରଣ ଲୋକେ ନ୍ୟାୟ ଓ ଅଧିକାର ପାଇବାକୁ ଲାଞ୍ଛିତ ଓ ବଞ୍ଚିତ ହେଉଛନ୍ତି ତାର ପ୍ରମାଣ ହେଉଛି ଏହି ଫଟୋ ।

ତାରିଖ-ଜାନୁଆରୀ 3 । ଗୁରୁବାର । ସ୍ଥାନ-ନବୀନ ନିବାସ, ଭୁବନେଶ୍ବର । ପ୍ରସଙ୍ଗ-ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ।
ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଅନୁରୋଧ କରିବାକୁ ପଶ୍ଚିମ ଓଡ଼ିଶାର ବିଧାୟକମାନଙ୍କ ସହ ନବୀନ ନିବାସକୁ ଯାଇଥିଲେ କଂଗ୍ରେସ ବିଧାୟକ ନବ ଦାସ । ନବ ଦାସ ସେହି ଲୋକଙ୍କୁ ନ୍ୟାୟ ପାଇଁ ଅନୁରୋଧ କରିବାକୁ ଯାଇଥିଲେ ଯିଏ ହେଉଛନ୍ତି ସଂପୃକ୍ତ ନାଟର ଗୋବର୍ଦ୍ଧନ ।

ପୂର୍ବାପର ସଙ୍ଗତି ସହ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗଟି ହେଲା ଏହିପରି:ପ୍ରଥମ କଥା ହେଲା ଦଶକ ଦଶକ ଧରି ନ୍ୟାୟିକ ପ୍ରକ୍ରିୟାରୁ ବଞ୍ଚିତ ହୋଇ ଆସୁଥିବା ପଶ୍ଚିମ ଓଡ଼ିଶାବାସୀ ନିଜ ଅଞ୍ଚଳରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଦାବି କଲେ । ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ହେବ କି ନାହିଁ, ସେ ବାବଦରେ ରିପୋର୍ଟ ଦେବାକୁ ଗଠନ କରାଗଲା ସି.ଆର୍‌ ପାଲ୍‌ କମିସନ । ତଦନ୍ତ କମିସନ ରିପୋର୍ଟ ଦେବାକୁ ପ୍ରାୟ 5ରୁ 6 ବର୍ଷ ସମୟ ନେଲେ । ତା ପରେ ବର୍ଷାଧିକ ସମୟ ହେଲାଣି ରିପୋର୍ଟ ଚାପି ବସିଛନ୍ତି ନବୀନ ସରକାର ।

ରିପୋର୍ଟ ଦେବାକୁ ବାରମ୍ବାର କେନ୍ଦ୍ର ଆଇନମନ୍ତ୍ରୀ ଓ ହାଇକୋର୍ଟର ମୁଖ୍ୟ ବିଚାରପତି ଚିଠି ଲେଖିଲେଣି । କିନ୍ତୁ ରାଜ୍ୟ ସରକାର ନା ସେ ରିପୋର୍ଟ ବିଧାନସଭାରେ ଉପସ୍ଥାପନ କରୁଛନ୍ତି ନା ହାଇକୋର୍ଟଙ୍କୁ ଦେଉଛନ୍ତି । ଅନ୍ୟପଟେ ନ୍ୟାୟ ପାଇଁ ହନ୍ତସନ୍ତ ହେଉଛନ୍ତି ପଶ୍ଚିମ ଓଡ଼ିଶାବାସୀ । ଏଥିପାଇଁ ବାରମ୍ବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରେ ଦାବି କରାଯିବା ସହ ଅଞ୍ଚଳବାସୀ ଆନ୍ଦୋଳନ କରିଆସୁଛନ୍ତି । ଅର୍ଥାତ୍‌ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାପନ ନ ହୋଇପାରିବା ନେଇ ଯଦି ଅଭିଯୁକ୍ତଙ୍କ ତାଲିକା ପ୍ରସ୍ତୁତ କରାଯିବ ତେବେ ସେଥିରେ ନବୀନ ହେବେ ଅଭିଯୁକ୍ତ ନଂ -1 । ନବୀନ ଓ ତାଙ୍କ ସରକାରୀ କଳର ଅବହେଳା ହେଉଛି ପଶ୍ଚିମ ଓଡ଼ିଶାବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ ନ ହେବାର ପଛର ମୁଖ୍ୟକାରଣ ।

ଏବେ ଫେରିବା ଉପର ଫଟୋ ପ୍ରସଙ୍ଗକୁ । ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ନବୀନ ନିବାସକୁ ଯାଇଥିବା ନେତାମାନେ ବିଧାନସଭାର ସଦସ୍ୟ, ଲ’ ମେକର ବା ଆଇନ ନିର୍ମାତା, ନିଜ ନିଜ ଅଞ୍ଚଳର ଲକ୍ଷ ଲକ୍ଷ ଲୋକଙ୍କର ପ୍ରତିନିଧି । କିନ୍ତୁ ଏହି ଫଟୋର ବ୍ୟାଖ୍ୟା କଲେ ଯେଉଁ କଥା ସ୍ପଷ୍ଟ ହେଉଛି ନବୀନଙ୍କ ପ୍ରତି ଥିବା ଏମାନଙ୍କର ଦୁର୍ବଳତା ଆଉ ଓଡ଼ିଶାର ଲକ୍ଷ ଲକ୍ଷ ଲୋକଙ୍କର ପ୍ରତିନିଧିଙ୍କ ପ୍ରତି ନବୀନଙ୍କ ହେୟଜ୍ଞାନ । ନବୀନ ନିବାସର ଏହି ପ୍ରକୋଷ୍ଠରେ ନବୀନ ବସିଛନ୍ତି ଆଉ ମାନ୍ୟବର ବିଧାୟକମାନେ ଛିଡ଼ା ହୋଇଛନ୍ତି, ଏମାନଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଅଛନ୍ତି । କିନ୍ତୁ ମାନ୍ୟବର ବିଧାୟକ ମାନଙ୍କର ଛିଡ଼ା ହେବା ଭଙ୍ଗୀ ଅନେକ କିଛି ସ୍ପଷ୍ଟ କରୁଛି ।

ନିଜ ଘରକୁ ଆସିଥିବା ବିଧାନସଭାର ସହଯୋଗୀ ମାନଙ୍କୁ ବସିବାକୁ ଆସନଟିଏ ମଧ୍ୟ ଦେବାକୁ ଉଚିତ ମନେ କଲେ ନାହିଁ ନବୀନ । ବିରୋଧୀ ଦଳର ବିଧାୟକ ନବ ଦାସଙ୍କ ସମେତ ସମସ୍ତେ ଯେମିତି କାକୁତି ମୀନତି କରିବା ଭଙ୍ଗୀରେ ଛିଡ଼ା ହୋଇଛନ୍ତି ତାହା ଦେଖିବାକୁ ଯେତିକି ଅରୁଚିକର ସେତିକି ମୁଖ୍ୟମନ୍ତ୍ରୀଙ୍କ ଅସୌଜନ୍ୟ ଭାବକୁ ଦର୍ଶାଉଛି ।

ବିଧାୟକମାନେ ନବୀନଙ୍କ ଘରକୁ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ନେଇ ଆଲୋଚନା କରିବାକୁ ଯାଇଛନ୍ତି । ଏମାନଙ୍କ ସହ ବସି କଥା ହେବା କଥା ମୁଖ୍ୟମନ୍ତ୍ରୀ । କିନ୍ତୁ ବସିବାକୁ ଆସନ ଟିଏ ବି ନ ଦେଇ ଏମିତି ଛିଡ଼ା କରାଇ ବାହାରକୁ ଫଟୋ ଛାଡ଼ିବାରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଦେଖାଇବାକୁ ଚାହୁଁଛନ୍ତି ସେ ହିଁ ସର୍ବୋଚ୍ଚ ନେତା । ତାଙ୍କ ପାଖରେ ସମସ୍ତେ ନଗଣ୍ୟ, ତାଙ୍କ ପାଖରେ ସମସ୍ତେ ଛୋଟ । ସେ ହିଁ ବଡ଼ ଠାକୁର । ଆଉ ସମସ୍ତେ ପାର୍ଶ୍ବ ଦେବତା । ଗର୍ଭ ଗୃହରେ କେବଳ ସେ ହିଁ ବସିବେ, ଆଉ ତାଙ୍କ ପାଖରେ କାହାରି ବସିବାର ବି ଔକାତ୍‌ ନାହିଁ । ବିଧାନସଭାରେ ନିଜର ସହ ବିଧାୟକମାନଙ୍କୁ ନିଜ ଘରେ ଏମିତି ଛିଡ଼ା କରାଇବା ଦର୍ଶାଉଛି ନବୀନ ବାବୁଙ୍କର ମାନସିକତା ।

ଏହା କେବଳ ଅସୌଜନ୍ୟତା ନୁହେଁ ଏକ ସୁଚିନ୍ତିତ ରାଜନୈତିକ ଷଡ଼ଯନ୍ତ୍ର । ପ୍ରତିପକ୍ଷଙ୍କୁ ଛୋଟ ଦେଖାଇବାର ରାଜନୈତିକ ରଣନୀତି । ନିଜ ଘରକୁ ଡାକି ନିଜେ ବସି ଅନ୍ୟମାନଙ୍କୁ ଛିଡ଼ା କରାଇଦେଇ ନବୀନ ଦେଖାଇବାକୁ ଚାହିଁଛନ୍ତି ସେ ହିଁ ସବୁଠାରୁ ବଡ଼, ତାଙ୍କ ସହ କେହି ସମସ୍କନ୍ଦ ନୁହନ୍ତି । ତାଙ୍କ ବାପା ଓଡ଼ିଶାର ସବୁଠାରୁ ବଡ଼ ନେତା ଥିଲେ, ସେ ବାହାରେ ପଢ଼ିଛନ୍ତି, ସେ ଓଡ଼ିଆ କହିବେ ନାହିଁ, ଓଡ଼ିଆଙ୍କ ସହ ଭଲରେ ପଦେ କଥା ହେବେ ନାହିଁ, ସଭା ସମିତିରେ ତାଙ୍କର ଦୁଇ ତିନି ଫୁଟ୍‌ ପାଖରେ କେହି ବସିବେ ନାହିଁ । ଅର୍ଥାତ୍‌ ତାଙ୍କ ସମତୁଲ୍ୟ କେହି ନୁହନ୍ତି ।

ପୁଣି ଏହି ଫଟୋ ମୁଖ୍ୟମନ୍ତ୍ରୀଙ୍କ ପିଆର୍‌ଓଙ୍କ ପକ୍ଷରୁ ବିଧିବଦ୍ଧ ଅନୁଧ୍ୟାନ ପରେ ହିଁ ରିଲିଜ୍‌ କରାଯାଇଥିବ । କାରଣ ନବୀନ ନିବାସ ଭିତରକୁ ସବୁ ସାମ୍ବାଦିକଙ୍କୁ ଅନୁମତି ନ ଥିବାବେଳେ, ଏହି ଫଟୋ ହୁଏତ କୌଣସି ସରକାରୀ ସାମ୍ବାଦିକ ବା ମୁଖ୍ୟମନ୍ତ୍ରୀଙ୍କ ପିଆର୍‌ଓ ଉଠାଇଥିବେ । ଏବଂ ତାଙ୍କର ସହମତି କ୍ରମେ ଗଣମାଧ୍ୟମକୁ ଦିଆଯାଇଥିବ ।

ସବୁଠାରୁ ବଡ଼ କଥା ହେଲା ଏମାନଙ୍କ ଭିତରେ ଥିଲେ ନବ ଦାସ, ଯିଏ ବିରୋଧୀ ଦଳର କାର୍ଯ୍ୟକାରୀ ସଭାପତି ଓ କଂଗ୍ରେସ ବିଧାୟକ । ଏମିତି ଫଟୋ ଛାଡ଼ି ନବୀନ ବାବୁ ଦେଖାଇବାକୁ ଚାହୁଁଛନ୍ତି ଯେ ତାଙ୍କ ବିରୋଧରେ ଲଢ଼େଇ ପାଇଁ ବାହାସ୍ଫଟ ମାରୁଥିବା ବିରୋଧୀ ଦଳର ନେତାଙ୍କର ତାଙ୍କ ପାଖରେ କିଛି ଯୋଗ୍ୟତା ନାହିଁ । ଏହି ଗୋଟିଏ ଫଟୋ ଦେଖିଲେ ସାଧାରଣ ଲୋକଙ୍କର ଧାରଣା ହେବ ଯେ 2019 ପାଇଁ ପଶ୍ଚିମ ଓଡ଼ିଶାରୁ କଂଗ୍ରେସ ସଫା ହେଉଛି ।

ସବୁଠାରୁ ଦୁର୍ଭାଗ୍ୟର କଥା ହେଲା କଂଗ୍ରେସ ବିଧାୟକ ନବ ଦାସଙ୍କ ଚିନ୍ତା ଓ କାର୍ଯ୍ୟଧାରା । ନବ ବାବୁ କେମିତି ଭୁଲିଗଲେ ଯେ ସେ କେବଳ ପଶ୍ଚିମ ଓଡ଼ିଶାର ନେତା ନୁହନ୍ତି, ସେ ଜଣେ ବରିଷ୍ଠ ବିଧାୟକ, ସେ ସେହି ବିରୋଧୀ ଦଳର ନେତା ଯାହାର ଦାୟିତ୍ବ ସରକାରଙ୍କ ଭୁଲ ଭଟକାକୁ ଲୋକଲୋଚନକୁ ଆଣିବା ।

ତେବେ ନବ ବାବୁ କହିପାରନ୍ତି ଯେ ଯେ ପଶ୍ଚିମ ଓଡ଼ିଶାର ସ୍ବାର୍ଥ ପାଇଁ ସେ ନବୀନଙ୍କ ଘରେ ଝାଡୁ ବି ମାରିପାରନ୍ତି । କିନ୍ତୁ ନବ ବାବୁ ଭୁଲିବା ଉଚିତ ନୁହେଁ ଯେ ସେ ସେହି ମୁଖ୍ୟମନ୍ତ୍ରୀଙ୍କ ପାଖରେ ଆଣ୍ଠୁ ଭାଙ୍ଗି ଛିଡ଼ା ହୋଇଛନ୍ତି ଯିଏ ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠାରେ ସାଜିଛନ୍ତି ମୁଖ୍ୟ ଅନ୍ତରାୟ । ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ହେଲେ ମାତ୍ର କେଇ ଘଣ୍ଟା ଭିତରେ ନ୍ୟାୟ ଓ ନାଯ୍ୟ ଅଧିକାର ପାଇବା ବଦଳରେ ଯାହାଙ୍କ ପାଇଁ ପଶ୍ଚିମ ଓଡ଼ିଶାବାସୀ ମାସ ମାସ ଧରି ଦହଗଞ୍ଜ ହେଉଛନ୍ତି, ତାଙ୍କରି ଆଗରେ ନତମସ୍ତକ ହୋଇ ନବ ବାବୁ ପଶ୍ଚିମ ଓଡ଼ିଶାବାସୀଙ୍କ ଦାବିକୁ ଜଳାଞ୍ଜଳି ଦେଇ ଦେଲେ ନାହିଁ ତ ?

Related Posts