ମନ୍ତ୍ରୀ ତେଜ ପ୍ରତାପ ଯାଦବଙ୍କ ଅଫିସିଆଲ୍ ମିଟିଂ ରେ ଲାଲୁଙ୍କ ବଡ ଜ୍ବାଇଁଙ୍କ ଉପସ୍ଥିତି କୁ ନେଇ ବିବାଦ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିହାର ସରକାରଙ୍କ ମନ୍ତ୍ରୀ ତେଜ ପ୍ରତାପ ଯାଦବଙ୍କ ବିଭାଗୀୟ ବୈଠକରେ ଲାଲୁ ପ୍ରସାଦଙ୍କ ବଡ଼ ଜ୍ବାଇଁ ଯୋଗ ଦେଇଥିବା ଫଟୋ ସାମାଜିକ ଗଣମାଧ୍ୟମାରେ ଭାଇରାଲ୍‌ ହୋଇଛି। ଲାଲୁ ପ୍ରସାଦଙ୍କ ବଡ଼ ଜ୍ବାଇଁ ତଥା ରାଜ୍ୟସଭା ସାଂସଦ ମିସା ଭାରତୀଙ୍କ ସ୍ବାମୀ ଶୈଳେଶ କୁମାର ତେଜ ପ୍ରତାପଙ୍କ ବିଭାଗୀୟ ବୈଠକରେ ଯୋଗଦେବା ନେଇ ବିବାଦ ଦେଖା ଦେଇଛି। ଏହାପରେ ‘ବିଜେପି’ ପକ୍ଷରୁ ‘ଆର୍‌ଜେଡି’କୁ ତୀବ୍ର ସମାଲୋଚନା କରାଯାଇଛି।

ତେବେ ଅଗଷ୍ଟ ୧୬ ତାରିଖ ଦିନ ତେଜ ପ୍ରତାପ ନୀତୀଶ କୁମାରଙ୍କ କ୍ୟାବିନେଟ୍‌ରେ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ଏବଂ ସେହି ଦିନ ତାଙ୍କୁ ପରିବେଶ, ବନ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଦାୟିତ୍ବ ମିଳିଥିଲା। ଏହାପରେ ଅଗଷ୍ଟ ୧୭ ତାରିଖ ଦିନ ଅରଣ୍ୟ ଭବନରେ ଆୟୋଜିତ ପରିବେଶ, ବନ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ସମୀକ୍ଷା ବୈଠକରେ ତେଜ ପ୍ରତାପ ଅଧ୍ୟକ୍ଷତା କରିଥିଲେ। ଉକ୍ତ ବୈଠକରେ ବିଭାଗୀୟ ଅଧିକାରୀମାନଙ୍କ ଗହଣରେ ତେଜ ପ୍ରତାପଙ୍କ ଭିଣୋଇ ମଧ୍ୟ ବସିଥିବା ଦେଖିବାକୁ ମିଳିଥିଲା। ସେହିପରି, ଅଗଷ୍ଟ ୧୮ ତାରିଖ ଦିନ ‘ବିହାର ପଲୁସନ୍‌ କଣ୍ଟ୍ରୋଲ୍‌ ବୋର୍ଡ’ର ଅଧିକାରୀମାନଙ୍କ ସହିତ ଆଉ ଏକ ବୈଠକ ଆୟୋଜନ ହୋଇଥିଲା। ସେଥିରେ ମଧ୍ୟ ଶୈଳେଶ କୁମାର ଯୋଗ ଦେଇଥିଲେ। ଏହି ବୈଠକରେ ସେ ତେଜ ପ୍ରତାପଙ୍କ ପାଖରେ ବସିଥିଲେ ।

ତେବେ ଉଭୟ ବୈଠକର ଭିଡିଓ ଏବଂ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି । ଏହାପରେ ପରେ ‘ବିଜେପି’ ବିହାର ସରକାରଙ୍କୁ ପ୍ରଶ୍ନ ପଚାରିଛି ଯେ, କେଉଁ ସାମର୍ଥ୍ୟରେ ଶୈଳେଶ କୁମାର ଏହି ବୈଠକ ଗୁଡ଼ିକରେ ଯୋଗ ଦେଇଥିଲେ।

ଶୈଳଶଙ୍କୁ ବିଦ୍ରୂପ କରି ‘ବିଜେପି’ର ଜଣେ ମୁଖପାତ୍ର ଟୁଇଟ୍‌ କରି ଲେଖିଛନ୍ତି, “ତେଜ ପ୍ରତାପଙ୍କୁ କେହି ଖାମଖିଆଲି ଦୃଷ୍ଟିରେ ଦେଖିବା ଅନୁଚିତ। ଶୈଳେଶ ମଧ୍ୟ ବୈଠକରେ ବସୁଛନ୍ତି। ମୁଁ ସୁନିଶ୍ଚତ ଯେ, ‘ଆର୍‌ଜେଡି’ର ସବୁ ମନ୍ତ୍ରୀଙ୍କ ଅପେକ୍ଷା କୋଟା କୁମାର ହେଉଛନ୍ତି, ସବୁଠୁ ବୁଦ୍ଧିମାନ ବିଜ୍ଞ ଏବଂ ମେଧାବୀ। ଶୈଳେଶଙ୍କ ଆଶୀର୍ବାଦ ମିଳିଲେ ତେଜ ପ୍ରତାପ ସରକାରରେ ଶ୍ରେଷ୍ଠ ମନ୍ତ୍ରୀ ହୋଇ ପାରିବେ।”

Related Posts