୨୦୨୪ ରେ ନୀତିଶ କି ରାହୁଲ ନୁହଁ, କେସିଆର୍, ମମତା ବା ଶରଦ ପାୱାର ଙ୍କ ଭିତରୁ ଜଣେ ହେବେ ବିରୋଧୀଙ୍କ ପିଏମ କ୍ୟାଣ୍ଡିଡେଟ – ଅଖିଳେଶ ଯାଦବ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିହାରରେ ବିଜେପିକୁ ଶକ୍ତ ଝଟକା ଲାଗିଛି ଓ ସେଠାରେ ସରକାର ପରିବର୍ତ୍ତନ ହୋଇଛି। ଏହାପରେ ନୀତିଶ କୁମାରଙ୍କୁ ନେଇ ସବୁଆଡେ ଜୋରଦାର ଚର୍ଚ୍ଚା ହେବାରେ ଲାଗିଛି। କୁହାଯାଉଛି ଯେ ନୀତିଶ କୁଆଡେ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ। ତେବେ ନୀତିଶଙ୍କ ପଟ୍ଟ ପରିବର୍ତ୍ତନ ଓ ବିହାରରେ ବିଜେପିର ପତନ ଯେପରି ମୋଦିଙ୍କୁ ହରାଇବା ପାଇଁ ବିରୋଧୀଙ୍କ ମଧ୍ୟରେ ଆତ୍ମବିଶ୍ବାସ ବଢାଇ ଦେଇଛି। ଏହି ଚର୍ଚ୍ଚା ଆରମ୍ଭ ହେବାପରେ ଉତ୍ତରପ୍ରଦେଶରେ ରାଜନୈତିକ ମହୋଲ ମଧ୍ୟ ବଦଳିଛି। ସମାଜବାଦୀ ପାର୍ଟିର ନେତା ଅଖିଳେଶ ଯାଦବ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବାନେଇ ସପା କାର୍ଯ୍ୟକର୍ତ୍ତା ମାନେ ଚର୍ଚ୍ଚା ଆରମ୍ଭ କରିଦେଇଛନ୍ତି। ଅବଶ୍ୟ ସ୍ଵାଧୀନତା ଦିବସ ପରେ ଅଖିଳେଶ ଯେଉଁଭଳି ଭାବରେ ବିଜେପିକୁ ଶାଣିତ ଟାର୍ଗେଟ କରି ଆସୁଛନ୍ତି ତାହାକୁ ଦେଖିଲେ ଏଭଳି ଚର୍ଚ୍ଚା ସ୍ବାଭାବିକ।

ଅନ୍ୟପକ୍ଷରେ ଅଖିଳେଶ ଏହି ଚର୍ଚ୍ଚାକୁ ନେଇ ମୁଁହ ଖୋଲିଛନ୍ତି। ଏକ ସାକ୍ଷାତକାର ରେ ଅଖିଳେଶ ସ୍ପଷ୍ଟ କରିଛନ୍ତି ଯେ ତାଙ୍କର ଫୋକସରେ ଉତ୍ତର ପ୍ରଦେଶର ୮୦ଟି ଲୋକସଭା ଆସନ ରହିଛି। ୟୁପିରେ ସପାକୁ ସୁଦୃଢ଼ କରିବା ପାଇଁ ସେ ନିରନ୍ତର ପ୍ରୟାସ ଜାରି ରଖିଥିବା କହିଛନ୍ତି। ସେପଟେ ଦେଶରେ କେଉଁ ବିରୋଧୀ ନେତା ମୋଦୀଙ୍କ ବିରୋଧରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ସେ ପ୍ରଶ୍ନର ଉତ୍ତରରେ ଅଖିଳେଶ କହିଛନ୍ତି ଯେ, ରାଷ୍ଟ୍ରୀୟ ସ୍ତରରେ ଶରଦ ପାୱାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କିମ୍ବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ବିରୋଧୀଙ୍କ ଚେହେରା ହୋଇ ପାରନ୍ତି।

ଅଖିଳେଶଙ୍କ ଏହି ମନ୍ତବ୍ୟ ପରେ ଦେଶରେ ତୃତୀୟ ସାମୁଖ୍ୟ ଗଠନ ହେବା ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। କାରଣ ବିରୋଧୀଙ୍କ ଚେହେରା ତାଲିକାରେ ସେ କଂଗ୍ରେସର ପୂର୍ବତନ ଅଧକ୍ଷ ରାହୁଲ ଗାନ୍ଧୀଙ୍କ ନାମ ରଖି ନାହାନ୍ତି। ଏହାପରେ ୟୁପିଏ ରୁ ଅଲଗା ହୋଇ ଅନ୍ୟ ବିରୋଧୀ ଦଳ ମାନେ ବିଜେପି ବିରୋଧରେ ମୋର୍ଚ୍ଚା ଖୋଲିବା ନେଇ ଏକ ପ୍ରକାର ସୂଚନା ମିଳିଛି।

ତେବେ ଯଦି ଏହି ତୃତୀୟ ସାମୁଖ୍ୟ ଗଠନ ହୁଏ ତେବେ ବିରୋଧୀ ମାନେ କେତେ ଏକତାର ସହ ମୋଦୀଙ୍କ ବିରୋଧରେ ଲଢ଼ିବେ ତାହା ବଡ଼ ପ୍ରଶ୍ନ । ଅନ୍ୟ ପକ୍ଷରେ ଅଖିଳେଶଙ୍କ ମନ୍ତବ୍ୟ ଅନୁସାରେ ଶରଦ ପାୱାର, ମମତା ବାନାର୍ଜୀ କି କେସିଆର କାହା ନାମରେ ବିରୋଧୀଙ୍କ ମଧ୍ୟରେ ସହମତି ବନୁଛି ଦେଖିବାକୁ ବାକି ରହିଲା।

Related Posts