କୋଭିଡ୍ ମହାମାରୀ ଯୋଗୁଁ ବିଳମ୍ବ ହେଉଛି ସମବାୟ ନିର୍ବାଚନ : ସମବାୟ ମନ୍ତ୍ରୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ସେପ୍ଟେମ୍ବର ପହିଲା ଅର୍ଥାତ୍ ଗତକାଲି ଠାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଯାଇଛି। ଚଳିତ ଅଧିବେଶନରେ ବିଧାୟକ ଅମର ପ୍ରସାଦ ଶତପଥୀ ଓ ଆଦିତ୍ୟ ମାଢ଼ୀ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ପ୍ରଶ୍ନ କରିଥିଲେ ଯେ, ରାଜ୍ୟରେ ସମବାୟ ସଂସ୍ଥାଗୁଡ଼ିକରେ ନିର୍ବାଚନ କାହିଁକି ବିଳମ୍ବ ହେଉଛି ? ଏହି ପ୍ରଶ୍ନର ଲିଖିତ ଉତ୍ତର ରଖିଛନ୍ତି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ।

ବିଧାୟକ ଅମର ପ୍ରସାଦ ଶତପଥୀ ଓ ଆଦିତ୍ୟ ମାଢ଼ୀଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ତାଙ୍କ ଉତ୍ତରରେ କହିଛନ୍ତି ଯେ ରାଜ୍ୟର ସମବାୟ ସଂସ୍ଥାଗୁଡ଼ିକର ନିର୍ବାଚିତ ପ୍ରତିନିଧିମାନଙ୍କ କାର୍ଯ୍ୟକାଳ ଶେଷ ହୋଇଯାଇଛି।

ଏ ସମ୍ପର୍କରେ ରାଜ୍ୟ ସମବାୟ ନିର୍ବାଚନ କମିସନ୍ ମଧ୍ୟ ଅବଗତ ଅଛନ୍ତି। କିନ୍ତୁ ରାଜ୍ୟରେ କୋଭିଡ୍ ମହାମାରୀର ଦ୍ବିତୀୟ ଲହରର ଭୟାବହତା ଏବଂ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମ୍ଭାବ୍ୟ ତୃତୀୟ ଲହରର ଆଗମନର ସତର୍କ ବାଣୀ ଶୁଣାଯାଇଛି।

ତେଣୁ ଏହି ସବୁ ସ୍ପର୍ଶକାତର ବିଷୟ ଏବଂ ସମବାୟ ସଂସ୍ଥାର ସଭ୍ୟମାନଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ବର୍ତ୍ତମାନ ପରିସ୍ଥିତିରେ ସମବାୟ ସଂସ୍ଥାଗୁଡ଼ିକର ନିର୍ବାଚନ ନିମିତ୍ତ ପଦକ୍ଷେପ ସମବାୟ ନିର୍ବାଚନ କମିସନ୍ ଗ୍ରହଣ କରିପାରିନାହାନ୍ତି। ସ୍ବାଭାବିକ ସ୍ଥିତି ଫେରିଲା ପରେ ନିର୍ବାଚନ କରାଯିବ ବୋଲି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବିଧାନସଭାରେ ସୂଚନା ଦେଇଛନ୍ତି।

Related Posts