ଏମିତି ପୁଲିସ ବାବୁଙ୍କୁ ଶହେ ସଲାମ

ସତ୍ୟପାଠ ବ୍ୟୁରୋ : ସାମାଜିକ ଗଣମାଧ୍ୟମରେ ଅନେକ ଚର୍ଚ୍ଚିତ ଖବର ବା ଭିଜୁଆଲ ସବୁବେଳେ ଭାଇରାଲ ହୁଏ । କିନ୍ତୁ ବନ୍ୟାଜଳ ଭିତରୁ ବିପନ୍ନଙ୍କୁ ଉଦ୍ଧାର କରାଯିବା ସମୟର ଏ ଦୃଶ୍ୟ ଦେଖିଲେ ଯେ କେହି ବି ସଲାମ କରିବ ଏ ପୁଲିସ ଅଧିକାରୀଙ୍କୁ । ଏ ଦୃଶ୍ୟ ହେଉଛି ଗୁଜୁରାଟ ମୋର୍ବି ଜିଲ୍ଲା ତଙ୍କାରା ସହରର । ବନ୍ୟାଜଳର ପ୍ରଖର ସୁଅ କାଟି ଦୁଇ ବାଳିକାଙ୍କୁ ନିଜ କାନ୍ଧରେ ବସାଇ ଉଦ୍ଧାର କରିଛନ୍ତି ପୁଲିସ କର୍ମଚାରୀ ।

ପାଞ୍ଚଘଣ୍ଟା ଧରି ଅତି ପ୍ରବଳ ବର୍ଷା ହେବାରୁ କଲ୍ୟାଣପୁର ସ୍କୁଲ୍ର ପିଲାମାନେ ଅଟକି ରହିଯାଇଥିଲେ। ପାଣି ଘେରିଥିବା ସ୍କୁଲ୍ ମଧ୍ୟରେ ୪୩ ଜଣ ପିଲା ରହିଯାଇଥିବାରୁ ଚିନ୍ତିତ ସ୍କୁଲ୍ ପ୍ରଶାସନ ପୁଲିସ ସହଯୋଗ ଲୋଡ଼ିଥିଲା। ଏଡାଛଡ଼ା ଜିଲ୍ଲା ପ୍ରଶାସନ ଏବଂ ଜାତୀୟ ବିପର‌୍ୟ୍ୟୟ ପ୍ରଶମନ ବଳଙ୍କୁ ମଧ୍ୟ ସ୍କୁଲ୍ କର୍ତ୍ତୃପକ୍ଷ ଖବର ଦେଇଥିଲେ। କିନ୍ତୁ ସୁଅ ଏତେ ଖର ଥିଲା ଯେ ଡଙ୍ଗାରେ ପିଲାମାନଙ୍କୁ ଉଦ୍ଧାର କରିବା ଏନ୍ଡିଆର୍ଏଫ୍ ଟିମ୍ ପକ୍ଷରେ ସମ୍ଭବ ନ ଥିଲା। ତେଣୁ ଗୁଜରାଟ ପୁଲିସ ଦାୟିତ୍ୱ ଗ୍ରହଣ କରି ଗୋଟିଏ ପରେ ଗୋଟିଏ ଜଳବନ୍ଦୀ ପିଲାଙ୍କୁ ଉଦ୍ଧାର କରିଥିଲା।

ସହାୟତାକାରୀ ପୁଲିସ ଟିମ୍ରେ ସାମିଲ ହୋଇଥିଲେ କନେଷ୍ଟବଳ ପୃଥ୍ଵୀରାଜ ସିଂହ ଜାଦେଜା। ସେ ଦୁଇ ଜଣ ବାଳିକାଙ୍କୁ କାନ୍ଧରେ ବସାଇ ନିରାପଦ ସ୍ଥାନକୁ ନେଇଯାଇଥିଲେ। କନେଷ୍ଟବଳଙ୍କର ବୀରୋଚିତ ଉଦ୍ୟମକୁ ପ୍ରଶଂସା କରି ଗୁଜରାଟ ପୁଲିସର ଅତିରିକ୍ତ ଡିଜିପି ଶାମ୍ଶେର୍ ସିଂହ ସେ ଦୃଶ୍ୟର ଫଟୋ ଓ ଭିଡିଓ ଟୁଇଟ୍ କରିଛନ୍ତି। ଲେଖିଛନ୍ତି: ଆମ କାନ୍ଧରେ, ଆପଣଙ୍କ ସୁରକ୍ଷା।

Related Posts