ଲୋକସେବା ଭବନରେ କରୋନା ମାଡିବାରେ ଲାଗିଛି

ଲୋକସେବା ଭବନରେ କରୋନା ମାଡିବାରେ ଲାଗିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରୁ ଏକାଥରକେ ୧୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଏମାନଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ଅଧିକାରୀ ଓ କର୍ମଚାରୀମାନଙ୍କ ତାଲିକା ପ୍ରସ୍ତୁତ ହୋଇଛି । ଶୁକ୍ରବାର ଦିନ ଏମାନଙ୍କର ପରୀକ୍ଷା ହେବବୋଲି ସୂଚନା ମିଳିଛି ।

ସ୍ୱାସ୍ଥ୍ୟ ବିଭାଗରୁ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବାପରେ ବିଭାଗକୁ କର୍ତ୍ତୃପକ୍ଷ ସିଲ୍‍ କରିଦେଇଛନ୍ତି । ତେବେ କେବଳ ସ୍ୱାସ୍ଥ୍ୟ ବିଭାଗ ନୁହେଁ ପଞ୍ଚାୟତିରାଜ, ମତ୍ସ୍ୟ ଓ ପଶୁସମ୍ପଦ, ଅର୍ଥ ଓ ଶକ୍ତି ବିଭାଗରୁ କରୋନା ସଂକ୍ରମିତ ଚିହ୍ନଟ ହେବାପରେ କର୍ମଚାରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ପ୍ରଥମେ ପଞ୍ଚାୟତିରାଜ ବିଭାଗର ଜଣେ ସେକ୍ସନ ଅଫିସରଙ୍କୁ କରୋନା ହୋଇଥିବା ଜଣାପଡିଥିଲା । ସମ୍ପୃକ୍ତ କର୍ମଚାରୀ ଜଣଙ୍କ ଏକ ନମ୍ବର ଅଞ୍ଚଳରେ ରହୁଛନ୍ତି ଯେଉଁଠାରୁ କି ଏକାଧିକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେଣୁ କରୋନା ସଂକ୍ରମିତ ଚିହ୍ନଟ ହେଉଥିବା ଅଞ୍ଚଳରେ ରହୁଥିବା କର୍ମଚାରୀମାନଙ୍କୁ ଲୋକସେବା ଭବନକୁ ଆସିବାକୁ ବାରଣ ଲାଗି ମତପ୍ରକାଶ ପାଉଛି ।

ମାର୍ଚ୍ଚ ମାସରେ କରୋନା କଟକଣା ଜାରି ହେବାପରେ ଲୋକସେବା ଭବନ ସମେତ ବିଭାଗୀୟ ମୁଖ୍ୟ ଦପ୍ତର ଓ ଖାରବେଳଭବନର କର୍ମଚାରୀମାନଙ୍କ ଦପ୍ତର ଆସିବାପାଇଁ ବାରମ୍ବାର ନିର୍ଦ୍ଦେଶାବଳୀ ଜାରି ହେବାରେ ଲାଗିଛି । ତେବେ ଭିପିଏନ୍‍ ସୁବିଧା ନେଇଥିବା କର୍ମଚାରୀମାନେ ଘରେ ରହି କାମ କରିବାକୁ ଜୋର ଦିଆଯାଉଛି ।

ଅନ୍‍ ଲକ୍‍ ୩ ପରେ କିନ୍ତୁ ଅଧିକାଂଶ କର୍ମଚାରୀ ଲୋକସେବାଭବନକୁ ଆସୁଥିବା ଲକ୍ଷ୍ୟ କରାଯାଉଛି । ଯଦିଓ ନିୟମିତ ବ୍ୟବଧାନରେ ଲୋକସେବାଭବନ ବିଶୋଧିତ ହେଉଛି କିନ୍ତୁ ସ୍ଥାନ ଅଭାବରୁ କର୍ମଚାରୀଙ୍କ ମଧ୍ୟରେ ଦୂରତା ରକ୍ଷା କରାଯାଇ ପାରୁନାହିଁ । ସେହିଭଳି ରାଜଧାନୀରେ ବି କରୋନା ସଂକ୍ରମଣ ଏବେ ସର୍ବୋଚ୍ଚ ସ୍ତରରେ ରହିଛି । ଫଳରେ କେତେବେଳେ କେଉଁ କର୍ମଚାରୀ କରୋନାରେ ଆକ୍ରାନ୍ତ ହେବେ ସେହି ଆଶଙ୍କାରେ ଅଛନ୍ତି । ତେଣୁ କରୋନା ସଂକ୍ରମିତ ଅଞ୍ଚଳରୁ କର୍ମଚାରୀମାନେ ଯେଭଳି ଲୋକସେବାଭବନକୁ ନଆସିବେ ସେଥିପାଇଁ ପଦକ୍ଷେପ ନେବାକୁ ମତପ୍ରକାଶ ପାଉଛି ।

Related Posts