
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର :କରୋନାର ଦ୍ୱିତୀୟ ଲହରୀର କରୁଣ ରୂପ ଦିଲ୍ଲୀ ରେ ଦେଖିବାକୁ ମିଳିଛି। ପୁଲିସ ଠାରୁ ଆରମ୍ଭ କରି ଗଣମାଧ୍ୟମ ପ୍ରତିନିଧି ପର୍ଯ୍ୟନ୍ତ କେହି କରୋନା କବଳରୁ ବର୍ତ୍ତି ପାରିନାହାନ୍ତି। ଦିଲ୍ଲୀର ଗାଜିଆବାଦର ଏକ ଡାକ୍ତରଖାନା ରେ ଜଣେ ପୁଲିସ ସବ-ଇନ୍ସପେକ୍ଟର ଅଙ୍କିତ ଚୌଧୁରୀଙ୍କ(୨୯) ମୃତ୍ୟୁ ଘଟିଛି। କରୋନା ଲକ୍ଷଣ ଦେଖା ଦେବାପରେ ସେ ଏପ୍ରିଲ ୧୫ରେ କୋଭିଡ଼ ପରୀକ୍ଷା କରାଇଥିଲେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା। ପ୍ରଥମେ ସେ ହୋମ କ୍ୱାରେଣ୍ଟାଇନ୍ ରେ ରହିଥିଲେ। ସ୍ଥିତି ଶଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ଉତ୍ତରପ୍ରଦେଶର ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ବୋଲି ଦିଲ୍ଲୀ ପୁଲିସ କହିଛନ୍ତି। ତାଙ୍କ ଦେହରେ କରୋନାଭାଇରସର ଭୟଙ୍କର ଲକ୍ଷଣ ଥିଲା ଏବଂ ଚିକିତ୍ସା ପାଇଁ ଜଣେ ପ୍ଲାଜ୍ମା ଦାତା ମଧ୍ୟ ବ୍ୟବସ୍ଥା କରାଯାଇଥିଲା କିନ୍ତୁ ତାଙ୍କ ଫୁସଫୁସ ଗୁରୁତର ଭାବେ ଆକ୍ରାନ୍ତ ହୋଇଥିଲା ବୋଲି ପୁଲିସ ଅଧିକାରୀକହିଛନ୍ତି।ସବ-ଇନ୍ସପେକ୍ଟର ଅଙ୍କିତ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ ଓ ଡାକ୍ତରଖାନାରେ ତାଙ୍କୁ ଏକ ବେଡ଼ ଚେଷ୍ଟା କରିବା ସତ୍ତ୍ୱେ ମିଳିନଥିଲା। ତାଙ୍କ ଫୁସଫୁସରେ ଏହି ସଂକ୍ରମଣ ଅଧିକ କ୍ଷତିପହଞ୍ଚାଇ ଥିବା ଡାକ୍ତରମାନେ କହିଥିଲେ ବୋଲି ଜଣେ ପୁଲିସ ଅଧିକାରୀ ନିଜର ପରିଚୟ ଲୁଚେଇ କହିଛନ୍ତି। ଦିଲ୍ଲୀର ଉତ୍ତର-ପଶ୍ଚିମ ଜିଲ୍ଲା ଅଧୀନରେ ଥିବା ଭରତ ନଗର ପୁଲିସ ଷ୍ଟେସନରେ ଏସଆଇ ପୋଷ୍ଟରେ କାର୍ଯ୍ୟରତ ଥିଲେ। ଏସଆଇ ଭାବେ ସେ ଦିଲ୍ଲୀ ପୁଲିସ ପାଇଁ ୮ ବର୍ଷ ସେବା ଯୋଗାଇ ଆସୁଥିଲେ। ୱାଜିରାବାଦରେ ତାଙ୍କର ପତ୍ନୀ ଓ ଦୁଇ ବର୍ଷର ଝିଅ ଅଛନ୍ତି ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଦିଲ୍ଲୀ ପୁଲିସର ସୂଚନାନୁସାରେ, କରୋନା ଦ୍ୱିତୀୟ ଲହର ସମୟରେ ପ୍ରାୟ ୮୦୦୦ ରୁ ଅଧିକ କର୍ମଚାରୀ ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୭୦୦୦ସୁସ୍ଥ ହୋଇଥିବା ବେଳେ ୧୦୦୦ ରୁ ଅଧିକ ଲୋକ ଏବେବି ଚିକିତ୍ସିତ ହେଉଛନ୍ତି।