
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କରୋନା ରୋଗୀକୁ ଆଡମିଶନ ନକରିବା ଅଭିଯୋଗରେ ବେଙ୍ଗାଲୁରୁ ପୋଲିସ ଗୁରୁବାର ଏକ ଘରୋଇ ଡାକ୍ତରଖାନା ବିରୋଧରେ ମାମଲା ରୁଜୁ କରିଛି। ପୋଲିସର ସୂଚନାନୁସାରେ, ସ୍ୱାସ୍ଥ୍ୟ ଅଧିକାରୀ ଡ ନାଗେନ୍ଦ୍ରଙ୍କ ଅଭିଯୋଗକୁ ଭିତ୍ତି କରି ବନରଘାଟ ରୋଡରେ ଅବସ୍ଥିତ ଫୋର୍ଟିସ୍ ହସ୍ପିଟାଲ ବିରୋଧରେ ଏଫ୍ଆଇଆର୍ ଦାଖଲ କରାଯାଇଥିଲା। ଅଭିଯୋଗରେ ଦର୍ଶାଯାଇଛି ଯେ , ” ହସ୍ପିଟାଲ କର୍ତ୍ତୃପକ୍ଷ ରୋଗୀଙ୍କୁ ହସ୍ପିଟାଲରେ ଆଡମିଶନ କରିବାକୁ ଅସ୍ୱୀକାର କରିବା ପରେ ଡାକ୍ତରଖାନା ପରିସରରେ 77 ବର୍ଷିୟ ଉତ୍ପଳ ସିହ୍ନା (77) ଙ୍କ ମୃତ୍ୟୁ ଘଟିଛି। ରୋଗୀ ଜଣକ ଗୁରୁତର ଶ୍ବାସ ରୋଗରେ ପୀଡିତ ଥିଲେ ବୋଲି ପୁଟେନାହାଲୀ ଷ୍ଟେସନର ଜଣେ ଅଧିକାରୀ ନିଶ୍ଚିତ କରିଛନ୍ତି। ଡାକ୍ତର ନାଗେନ୍ଦ୍ର କହିଛନ୍ତି ଯେ ,”ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଡାକ୍ତରଖାନାକୁ ରେଫର୍ ହୋଇଥିବା କରୋନା ରୋଗୀଙ୍କ ପାଇଁ ଅତି କମରେ 339 ବେଡ୍ ସଂରକ୍ଷିତ ରଖିବାକୁ ପଡିବ କିନ୍ତୁ ମାତ୍ର 45 ଟି ଶଯ୍ୟା ପ୍ରଦାନ କରାଯାଇଛି, ଯାହା ନିୟମର ସ୍ପଷ୍ଟ ଉଲ୍ଲଂଘନ ଅଟେ।” ଚିକିତ୍ସା ଅବହେଳା ହେତୁ ଏହି ମୃତ୍ୟୁ ଘଟିଛି ବୋଲି ଅଭିଯୋଗରେ ଦର୍ଶାଯାଇଛି। ହସ୍ପିଟାଲ ପରିଚାଳନା ବୋର୍ଡର ୬ ଜଣ ସଦସ୍ୟଙ୍କ ନାମରେ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି।